ନନ୍ଦିଘୋଷ ବ୍ୟୁରୋ : ଫସଲ ଉଜାଡୁଛନ୍ତି ଜଙ୍ଗଲୀ ଜନ୍ତୁ । ଭୀଷଣ କ୍ଷତିକୁ ନେଇ ଚିନ୍ତାରେ ମକା ଚାଷୀ। ମିଳୁନି ସରକାରୀ ପ୍ରୋତ୍ସାହନ। ମକା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସମେତ ବିଭିନ୍ନ ଗାଁରେ ବ୍ୟାପକ ପରିମାଣରେ ମିଠା ମକା ଚାଷ କରାଯାଉଛି। କାହିଁକି ନା ମିଠା ମକା ଚାଷ ଲାଭ ଦାୟକ ଫସଲ l ହେକ୍ଟର ହେକ୍ଟର ଜମିରେ ମିଠା ମକା ଚାଷ କରିଛନ୍ତି ଚାଷୀ। ଭଲ ଅମଳ ସହ ଭଲ ରୋଜଗାର ଆଶାରେ ଚାଷୀମାନେ ମକା ଚାଷରେ ଅର୍ଥ ଓ ଶ୍ରମ ଖର୍ଚ୍ଚ କରିଥିଲେ । ହେଲେ ଏବେ ଅମଳ ସମୟରେ ଜଙ୍ଗଲୀ ବାରହାଙ୍କ ଉପଦ୍ରବ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରଜ କରି ଚାଷ କରିଥିବା ଚାଷୀ ଏବେ କିଭଳି ଋଣ ଶୁଝିବେ ସେହି ଚିନ୍ତାରେ।
ଦିନରେ ମାଙ୍କଡ଼ ,କିରା ଓ ରାତିରେ ପଶୁଛନ୍ତି ଜଙ୍ଗଲୀ ବାରାହା। ମକା ଗଛକୁ ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଅନେକ ଜମିରେ ମକା ଫସଲ କ୍ଷତିଗ୍ରସ୍ତ ହୋଇଛି। ହେକ୍ଟର ହେକ୍ଟର ଜମିରେ ଫସଲ ନଷ୍ଟ ହେଉଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ନିଜ ଫସଲକୁ ଜଙ୍ଗଲୀ ବାରାହାଙ୍କଠାରୁ ସୁରକ୍ଷା ଦେବା ଏବେ ଚାଷୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏନେଇ ବନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। କ୍ଷୟକ୍ଷତିର ଆକଳନ କରି ପ୍ରଶାସନ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ।

