ପଶ୍ଚିମବଙ୍ଗ ପରେ ଆସାମ ବଢାଇଲା ଲକଡାଉନ୍ ଅବଧି,ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

1 min read

ସପ୍ତାହ ତଳର ସ୍ଥିତି ଆଉ ଏବେ ନାହିଁ । ଗତ ମାସେ କାଳ କୋଭିଡ୍-ସଂକ୍ରମକଙ୍କ ବୃଦ୍ଧି ହାର କମୁଥିବା ବେଳେ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଏହା ସାମଗ୍ରିକ ଭାବେ ଜାତୀୟ ସ୍ତରରେ ବୃଦ୍ଧି ବୋଲି ମନେ ହେଉଥିଲେ ମଧ୍ୟ ଏହା ପଛରେ କିଛି ରାଜ୍ୟ ପ୍ରମୁଖ ଭୂମିକା ନେଇଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ହରିୟାଣା ଓ ତେଲେଙ୍ଗାନା ଭଳି ରାଜ୍ୟ ଏବେ ଫୋକସରେ । ଗତ ମଙ୍ଗଳବାର ଦେଶର ସର୍ବାଧିକ ୪ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଟିମବଙ୍ଗ ଓ ଆସାମ ସରକାର ନିଜ ନିଜ ରାଜ୍ୟରେ ଲକଡାଉନର ଅବଧିକୁ ସଂପ୍ରସାରଣ କରିଛନ୍ତି । ପଶ୍ଚିମବଙ୍ଗ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବଢାଇଥିବା ବେଳେ ଆସାମ ନିଜର ପ୍ରମୁଖ ସହର ଗୌହାଟୀ ଓ ସମ୍ପୂର୍ଣ୍ଣ କାମରୂପ ଜିଲ୍ଲାରେ ଦୁଇ ସପ୍ତାହର ଲକଡାଉନ୍ ଲାଗୁ କରିଛି । ତେବେ ଉଭୟ ରାଜ୍ୟ ରାତ୍ରି କର୍ଫ୍ୟୁକୁ ମଧ୍ୟ ସାରା ରାଜ୍ୟ ପାଇଁ ବଳବତ୍ତର ରଖିଛନ୍ତି  ।

ଶୁକ୍ରବାର ସାରା ଦେଶରେ ୧୭ହଜାରରୁ ଅଧିକ ସଂକ୍ରମକ ଚିହ୍ନଟ ହୋଇଛନ୍ତି । ବିଗତ ଦିନରେ ସଂକ୍ରମକଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା । ଏବେ ଦେଶର କରୋନା ସଂକ୍ରମକଙ୍କ ସଂଖ୍ୟା ୪ ଲକ୍ଷ ୯୦ହଜାର ୪୦୧ ହୋଇଥିବା ବେଳେ ଗତ ସପ୍ତାହେ ହେବେ ଦେଶରେ ଦିନ ପିଛା ହାରାହାରି ସଂକ୍ରମକଙ୍କ ସଂଖ୍ୟା ସର୍ବାଧିକ ୧୫ହଜାରରେ ପହଞ୍ଚିଛି । ଯଦି ସଂଖ୍ୟା କ୍ରମାଗତ ଭାବେ ନବଢି କେବଳ ସ୍ଥିର ରୁହେ ତେବେ ମଧ୍ୟ ପ୍ରତି ସପ୍ତାହରେ ଦେଶରେ ୧ ଲକ୍ଷ ସଂକ୍ରମିତ ବଢିବେ । ଗତ ୨୧ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ଜାତୀୟ ସ୍ତରରେ ସର୍ବନିମ୍ନ ସ୍ତରରୁ ଖସି ଆସି ୩.୫୯ ପ୍ରତିଶତରେ ପହଞ୍ଚିଥିଲା । ମାତ୍ର ଗୁରୁବାର ଦିନ ଏହା ବଢି ୩.୬୭ ପ୍ରତିଶତରେ ପହଞ୍ଚିଛି । ସେହିଭଳି ସସ୍ତାହ ତଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ୨୦ ଦିନରେ ଦୁଇ ଗୁଣା ହେଉଥିବା ବେଳେ ଏବେ ଗୁରୁବାରଠାରୁ ଏହା ୧୯.୬୩ରେ ପହଞ୍ଚିଛି । ଅର୍ଥାତ ପ୍ରତି ୧୯.୬୩ ଦିନରେ ଦେଶରେ ସଂକ୍ରମକଙ୍କ ସଂଖ୍ୟା ଦୁଇ ଗୁଣ ହେଉଛି । ମୁଖ୍ୟତଃ ଦିଲ୍ଲୀ, ହରିୟାଣା, ତାମିଲନାଡୁ, ତେଲେଙ୍ଗାନାରେ ସଂକ୍ରମକଙ୍କ ହାରାହାରି ସଂଖ୍ୟା ଗତ ଚାରି ଦିନ ହେବ ଯଥେଷ୍ଟ ବଢିଛି । ତେବେ ଏହା ପଛର କାରଣ ମଧ୍ୟ ସ୍ପଷ୍ଟ  । ସମ୍ପୃକ୍ତ ରାଜ୍ୟଗୁ୍ଡିକରେ ପୂର୍ବରୁ ହୋଇଥିବା ଟେଷ୍ଟିଂର ସଂଖ୍ୟା ଏବେ ବଢିଛି । ଟେଷ୍ଚିଂର ସଂଖ୍ୟା ବଢିବା ହେତୁ ସଂକ୍ରମକଙ୍କ ସଂଖ୍ୟା ମଧ୍ୟ ବଢିଛି । ଗତ ୧୦ ଦିନ ହେବ ମହାରାଷ୍ଟ୍ରରେ ଦିନ ପିଛା ହାରାହାରି ୧୭ ହଜାର ଟେଷ୍ଟିଂ ହେଉଛି । ଏହା ପୂର୍ବରୁ ୧୩ରୁ ୧୪ ହଜାର ମଧ୍ୟରେ ଟେଷ୍ଟିଂ ହେଉଥିଲା । ଟେଷ୍ଟିଂର ସଂଖ୍ୟା ବଢିବା ହେତୁ ମହାରାଷ୍ଟ୍ର ଗୁରୁବାର ଦୀର୍ଘ ଦିନ ପରେ ୪୮୪୧ ସଂଖ୍ୟକ ପଜିଟିଭ୍ କେସ୍ ଦେଖିବାକୁ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ଦିନ୨୪ ହଜାର ଟେଷ୍ଟିଂ ହୋଇଥିଲା । ତେବେ ଏଭଳି ସ୍ଥିତି କେବଳ ମହାରାଷ୍ଟ୍ର ଭଳି ବହୁଳ ଭାବେ ପ୍ରଭାବିତ ରାଜ୍ୟରେ ସୀମିତ ବୋଲି ଭାବିବା ମଧ୍ୟ ଭୁଲ୍ ହେବ । ଦିଲ୍ଲୀର ସଂକ୍ରମିତଙ୍କ ସଂଖ୍ୟ ବୃଦ୍ଧି ହାର ମୁମ୍ୱାଇକୁ ଟପି ସାରିଲାଣି ଓ ଖୁବ୍ କମ୍ ଦିନ ମଧ୍ୟରେ ଦିଲ୍ଲୀ ମହାରାଷ୍ଟ୍ରକୁ ଟପିଯିବାର ଆଶଙ୍କା ଦେଖା ଦେଲାଣି । ଦିଲ୍ଲୀ ଏବେ ଦେଶର ଦୁଇ ଗୁଣା ହାରରେ ସଂକ୍ରମିତଙ୍କୁ ଚିହ୍ନଟ କରୁଛି । ଗତ ମଙ୍ଗଳବାର ଦିଲ୍ଲୀରେ ଦେଶର ସର୍ବାଧିକ ସଂକ୍ରମିତ ବାହାରିଥିଲେ । ସଂଖ୍ୟା ଥିଲା ୪ହଜାର । ଏବେ ଟେଷ୍ଟିଂ ସଂଖ୍ୟାକୁ ଦିନ ପିଛା ୫ରୁ ୭ହଜାରରୁ ବଢାଇ ୧୭ ହଜାରକୁ ଅଣା ଯାଇଥିବା ହେତୁ ସଂକ୍ରମିତ ଅଧିକ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ର ଓ ଦିଲ୍ଲୀ ପଛକୁ ଥିବା ତାମିଲନାଡୁ ଓ ଗୁଜୁରାଟରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ବଢିବା ପରେ ସଂକ୍ରମକଙ୍କ ସଂଖ୍ୟା ବଢିଛି ।

ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ବହୁଳ ଭାବେ ସଂକ୍ରମିତ ରାଜ୍ୟଗୁଡିକ ନିଜ ଟେଷ୍ଟିଂର ସଂଖ୍ୟା ବଢାଇବା ପରେ ସଂକ୍ରମକଙ୍କ ଚିହ୍ନଟର ସଂଖ୍ୟା ମଧ୍ୟ ବଢୁଛି । ଲକଡାଉନକୁ ସଂପ୍ରସାରଣ ନକରି କେବଳ ଟେଷ୍ଟିଂ କରିବା ଦ୍ୱାରା ସଂକ୍ରମକ ଚିହ୍ନଟ ହେବା ସହଜ ହୋଇ ପାରେ ସତ, ମାତ୍ର ସଂକ୍ରମକଙ୍କ ବୃଦ୍ଧି ହାରକୁ ରୋକି ହେବ ନାହିଁ । ଏଣୁ ରାଜ୍ୟ ନିଜ ସ୍ତରରେ ସଂକ୍ରମଣ ରୋକିବା ପାଇଁ କଡା ଆଇନଯୁକ୍ତ ଲକଡାଉନ୍ ଲଗାଇବା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣ ଚର୍ଚ୍ଚା ଜୋର ଧରିଛି । ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାକୁ ନେଇ ଆଶଙ୍କା ପ୍ରକାଶ ପାଇଲାଣି ଯେ,ହୁଏତ ଲକଡାଉନ୍ ନୂଆ ରୂପରେ ଫେରିପାରେ ।

Leave a Reply