ସ୍ବାମୀଙ୍କୁ କୋଟିଏ ଟଙ୍କା ଚୂନ ଲଗାଇ ପ୍ରେମିକ ସହ ପତ୍ନୀ ଫେରାର

ଥାଇଲ୍ୟାଣ୍ଡ: ଯଦି ଆପଣ ରାତାରାତି କୋଟିପତି ହୋଇଯିବେ ଓ ତା’ପର ଦିନକୁ କାଙ୍ଗାଳ ହୋଇଯିବେ ତେବେ କେମିତି ଲାଗିବ । ଚିନ୍ତା କରିପାରୁଥିବେ ନିଶ୍ଚିତ । ଏବେ ଏମିତି ମାନସିକ ସ୍ଥିତିରେ ଅଛନ୍ତି ଥାଇଲ୍ୟାଣ୍ଡର ମାନିତ। ମାନିତଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ୨୬ ବର୍ଷର ବୈବାହିକ ସମ୍ପର୍କ ଓ ପରିବାରକୁ ପର କରି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ପତ୍ନୀ ଅଙ୍ଗକାନାରତା ।

ଅଭିଯୋଗ ଅନୁସାରେ, ଥାଇଲ୍ୟାଣ୍ଡର ଇସାନ ପ୍ରାନ୍ତର ୪୯ ବର୍ଷିୟ ମାନିତଙ୍କର ନଭେମ୍ବର ପ୍ରଥମ ସପ୍ତାହରେ ଏକ ଲଟେରୀ ଲାଗିଥିଲା । ଏଥିରେ ସେ ଏକ କୋଟି ୩୬ ଟଙ୍କା ଜିତିଥିଲେ । ଟ୍ୟାକ୍ସ କଟିବା ପରେ ତାଙ୍କ ଆକାଉଣ୍ଟକୁ ଏକ କୋଟି ୩୦ ଲକ୍ଷ ଟଙ୍କା ଆସିଥିଲେ । ଯାହାକୁ ସେ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ । ହେଲେ ସେ ଜାଣି ନଥିଲେ ବିବାହକୁ ୨୬ ବର୍ଷ ବିତି ଯାଇଥିଲେ ବି ପତ୍ନୀଙ୍କର ଅନ୍ୟ ପୁରୁଷ ସହ ପ୍ରେମ ସମ୍ପର୍କ ରହିଛି । ଆକାଉଣ୍ଟକୁ ଟଙ୍କା ଆସିବା ପରେ ପତ୍ନୀ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି ।

ଦି ଥାଇଗର ରିପୋର୍ଟ ଅନୁସାରେ, ମାନିତ ଅଙ୍ଗକାନାରାତ ଏବଂ ତାଙ୍କ ପ୍ରେମିକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ପୋଲିସକୁ କହିଛନ୍ତି, ସେମାନଙ୍କ ମଧ୍ୟରେ ସବୁ ଠିକଠାକ ଥିଲା । ଉଭୟ ୩ଟି ପିଲାଙ୍କ ବାପାମାଆ । ଲଟେରୀ ଜିତିବା ପରେ ଏକ ମନ୍ଦିରରେ ୨୦ ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏକ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଯେଉଁଥିରେ ସମ୍ପର୍କୀୟ ଓ ନିକଟତମ ବନ୍ଧୁ ସାମିଲ ହୋଇଥିଲେ । ଏହି ପାର୍ଟିରେ ଅଙ୍ଗକାନାରାତଙ୍କ ସହ ଜଣେ ଅଜଣା ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ସେ ସମୟରେ ପଚାରିବାରେ ସେ ତାଙ୍କ ସମ୍ପର୍କୀୟ ବୋଲି ଅଙ୍ଗକାନାରାତ କହିଥିଲେ । ହେଲେ ପରେ ଜଣାପଡ଼ିଲା ସେ ତାଙ୍କ ପ୍ରେମିକ ଥିଲେ ।

ଅନ୍ୟପକ୍ଷରେ ଥାନାକୁ ଯାଇଥିଲେ ବି ମାନିତ ଟଙ୍କା ଫେରି ପାଇବାର ଆଶା ବହୁତ କମ ରହିଛି । କାରଣ ପୋଲିସ କହିଛି, ଟଙ୍କା ଥିବା ଆକାଉଣ୍ଟ ଅଙ୍ଗକାନାରାତଙ୍କ ନାଁରେ ରହିଛି । ଏଥିରେ ମାନିତ ନିଜ ଇଚ୍ଛାରେ ଟଙ୍କା ଡିପୋଜିଟ୍ କରିଛନ୍ତି । ଅନ୍ୟପକ୍ଷରେ ମାନିତ ଓ ଅଙ୍ଗକାନାରାତଙ୍କ ବିବାହ ଅଧିକାରୀକ ସ୍ତରରେ ହୋଇନାହିଁ । ବିବାହର ୨୬ ବର୍ଷ ହୋଇ ଯାଇଥିଲେ ବି ସେମାନେ ବିବାହ ପଞ୍ଜିକରଣ କରିନାହାନ୍ତି ।