ଜମି ବିକି ସ୍ତ୍ରୀ ଖାତାରେ ଜମା କରିଥିଲେ ୩୯ ଲକ୍ଷ, ୧୧ ଟଙ୍କା ଛାଡ଼ି ପଡ଼ୋଶୀ ସହ ପତ୍ନୀ ଫେରାର୍

Wife Run Away With 39 Lakh Rupees Credited By Husband In Account Bihar

ପାଟଣା: ବିହାରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠି ସ୍ତ୍ରୀ ୩୯ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । ଜମି ବିକି ସ୍ତ୍ରୀ ଖାତାରେ ସ୍ୱାମୀ ୩୯ ଲକ୍ଷ ଟଙ୍କା ଜମା କରିଥିଲେ । ଅଭିଯୋଗ ଅନୁସାରେ, ଆକାଉଣ୍ଟରେ ମାତ୍ର ୧୧ ଟଙ୍କା ରଖି ପଡ଼ୋଶୀ ସହ ପତ୍ନୀ କୁଆଡ଼େ ପଳାଇ ଯାଇଛନ୍ତି । ପାଟଣାର ବିହଟାର ଏହି ଘଟଣା ପୂରା ବିହାରରେ ଚହଳ ପକାଇଛି । ଫେରାର୍ ମହିଳା ଜଣଙ୍କ ୨ ଛୁଆର ମାଆ ।

ସୂଚନା ଅନୁସାରେ, ବ୍ରଜକିଶୋର ସ୍ତ୍ରୀ କଥାରେ ଗାଁରେ ଥିବା ପୈତୃକ ଜମିକୁ ବିକି ଦେଇଥିଲେ । ଜମି ବିକ୍ରିରୁ ମିଳିଥିବା ୩୯ ଲକ୍ଷ ଟଙ୍କାକୁ ସ୍ତ୍ରୀ ଖାତାରେ ବାନ୍ଧିଥିଲେ । ସେହି ଟଙ୍କାରେ ସେ ସହରରେ ଜମି କିଣିଥାନ୍ତେ । ଏବେ ବ୍ରଜକିଶୋରଙ୍କ ଏତଲା କ୍ରମେ ପୋଲିସ ମାମଲା ରୁଜୁ କରିଛି ।

୧୪ ବର୍ଷ ତଳେ ବିହଟାର ବ୍ରଜକିଶୋର ସିଂହ ଭୋଜପୁରର ପ୍ରଭାବତୀ ଦେବୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ରହିଛି । ପିଲାଙ୍କ ପାଠପଢ଼ା ପାଇଁ ବ୍ରଜକିଶୋର ଗାଁଠାରୁ ଦୂରରେ ଅନ୍ୟତ୍ର ଘର ଭଡ଼ା ନେଇଥିଲେ । ସେଠାରେ ପ୍ରଭାବତୀ ଛୁଆଙ୍କ ସହ ରହୁଥିଲେ । ଆଉ ବ୍ରଜ ଘର ଚଳାଇବା ପାଇଁ ଗୁଜରାଟରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ।

ବ୍ରଜକିଶୋଙ୍କ ଅନୁସାରେ, ସେ ସ୍ତ୍ରୀ କଥାରେ ଜମି ବିକି ୩୯ ଲକ୍ଷ ଟଙ୍କା ଜମା କରିଥିଲେ । ଆଉ ପତ୍ନୀଙ୍କ କଥା ଅନୁସାରେ ସପ୍ତାହ ପରେ ଗୁଜରାଟରୁ ଘରକୁ ଆସିଥିଲେ । ଆଉ ଯେତେବେଳେ ଗାଁ ଘରୁ ଭଡ଼ାଘରକୁ ଆସିଲେ ତ ତାଲା ପଡ଼ିଥିବା ଦେଖିଥିଲେ । ପତ୍ନୀଙ୍କୁ ଫୋନ୍ କଲେ ନମ୍ବର ବନ୍ଦ ଥିଲା । ଘର ମାଲିକଙ୍କୁ ପଚାରିବାରୁ ଜଣା ପଡ଼ିଥିଲା ପ୍ରଭାବତୀ ଘର ଖାଲି କରି ସକାଳ ୫ଟାରୁ ପଳାଇ ଯାଇଛନ୍ତି । ବ୍ରଜକିଶୋର ପ୍ରଭାବତୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ ।

ଏହା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ପରେ ଜଣାପଡ଼ିଥିଲା କୌଣସି ଯୁବକଙ୍କ ସହ ପ୍ରଭାବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ପ୍ରଭାବତୀ ଉକ୍ତ ଯୁବକଙ୍କ ଖାତାକୁ ୨୬ ଲକ୍ଷ ଟଙ୍କା ମଧ୍ୟ ପଠାଇଛନ୍ତି । ଆଉ ୧୩ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ଉଠାଇଛନ୍ତି । ଏବେ ଆକାଉଣ୍ଟରେ ମାତ୍ର ୧୧ ଟଙ୍କା ରହିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

Leave a Reply