ରିଲ୍ସ ପାଇଁ ୟୁଟ୍ୟୁବର୍ ପ୍ରେମିକକୁ ଡାକି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରିଲ୍ସ ପାଇଁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଭାଙ୍ଗିଗଲା ସୁନାର ସଂସାର । ଏହି ଘଟଣା ଘଟିଛି ହରିୟାଣାରେ । ରିଲ୍ସ ନିଶା ଏତେ ଅଧିକ ହୋଇଯାଇଥିଲା ଯେ, ପତ୍ନୀ ଜଣଙ୍କ ତାଙ୍କ ୟୁଟ୍ୟୁବର୍ ପ୍ରେମିକକୁ ଡାକି ସ୍ବାମୀଙ୍କୁ ହତ୍ୟା କରିଛି ।
ପତ୍ନୀ ରବିନା ରିଲ୍ସ ତିଆରି କରୁଥିଲେ । ସ୍ବାମୀଙ୍କୁ କିନ୍ତୁ ଏ ସବୁ ପସନ୍ଦ ନଥିଲା । ସେ ଏହାକୁ ବାରଣ କରୁଥିଲେ । ଏହାକୁ ନେଇ ଘରେ ପ୍ରତିଦିନ ଝଗଡ଼ା ବି ହେଉଥିଲା । ହତ୍ୟାକାଣ୍ଡ ହୋଇଥିବା ରାତିରେ ମଧ୍ୟ ଏହାକୁ ନେଇ ଝଗଡ଼ା ହୋଇଥିଲା । ବିବାଦ ଏତେ ବଢ଼ି ଯାଇଥିଲା ଯେ, ରବିନା ତାଙ୍କ ୟୁଟ୍ୟୁବର ପ୍ରେମିକ ସୁରେଶକୁ ଡାକି ସ୍ବାମୀଙ୍କୁ ହତ୍ୟା କରିଥିଲେ । ଏହା ପରେ ମୃତଦେହକୁ ନାଳରେ ଫିଙ୍ଗି ଦେଇଥିଲେ ।
ଗତ ୨୮ ମାର୍ଚ୍ଚରେ ପୋଲିସକୁ ମୃତଦେହ ମିଳିଥିଲା । ରବିନାଙ୍କ ସ୍ବାମୀ ପ୍ରବୀଣଙ୍କ ମୃତ୍ୟୁ କିପରି ହେଲା ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଯାଞ୍ଚ ଏବଂ ସମସ୍ତଙ୍କୁ ପଚରାଉଚରା କରିବା ପରେ ରିଲ୍ସ ପାଇଁ ହତ୍ୟା କରାଯାଇଛି ବୋଲି ଜଣାପଡ଼ିଥିଲା ।
ରବିନାଙ୍କର ଇଣ୍ଟାଗ୍ରାମରେ ୬୫୯ଟି ପୋଷ୍ଟ ରହିଛି । ଏବଂ ୩୫ ହଜାର ଫଲୋଅର୍ ଅଛନ୍ତି । ତାଙ୍କର ୬ ବର୍ଷର ପୁଅ ମଧ୍ୟ ରହିଛି । ରବିନାଙ୍କ ପ୍ରେମିକ ମଧ୍ୟ ବିବାହିତ । ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରାଯାଇଛି ।