ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ

1 min read

ଭୁବନେଶ୍ୱର: ୧୯୯୫ର ବହୁଚର୍ଚ୍ଚିତ ବିଧାୟକଙ୍କ ପତ୍ନୀଙ୍କୁ ହତ୍ୟା ମାମଲା । ଦୋଷୀ ସାବ୍ୟସ୍ତ ହେଲେ ସ୍ବାମୀ ତଥା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗୋଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୨୮ ବର୍ଷ ପରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଆଧାରରେ ପତ୍ନୀହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୫ ମସିହାରେ ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀଙ୍କୁ ପୋଡ଼ି ମାରିଦେଇଥିଲେ ରାମମୂର୍ତ୍ତି ।

ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ । ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ପରେ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ଶେଷରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ଦଣ୍ଡବିଧାନ କରିବେ କୋର୍ଟ । ରାମମୂର୍ତ୍ତି ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିବାବେଳେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସରକାରଙ୍କ ତରଫରୁ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ ।