ପୁଅ ସହ ମିଶି ସ୍ବାମୀଙ୍କୁ ୮ ଖଣ୍ଡ କଲା ମାଆ

କୋଲକାତା: ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ସ୍ତ୍ରୀ । ବାପାକୁ ମାରିବାରେ ମାଆକୁ ସହାୟତା କରିଛି ପୁଅ । ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ କୋଲକାତାରେ ଚର୍ଚ୍ଚା । ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ମଲ୍ଲିକପୁର ଡିହିପଡ଼ାରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ପୂର୍ବତନ ନୌସେନା ଅଧିକାରୀ ଉଜ୍ବଳ ୧୮ ତାରିଖରୁ ନିଖୋଜ ଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସ୍ତ୍ରୀ ଓ ପୁଅକୁ ପଚରାଉଚରା କରିବା ବେଳେ ବାପାକୁ ମାରି ଖଣ୍ଡ ଖଣ୍ଡ କରିଦେଇଥିବା ସ୍ବୀକାର କରିଛି ପୁଅ । ମୃତ ଉଜ୍ବଳ ନୌସେନାର ପୂର୍ବତନ ଅଧିକାରୀ ଥିଲେ । ନିକଟରେ ଏକ କମ୍ପାନୀର ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରିଥିଲେ । ମଦ ପିଇ ପ୍ରତିଦିନ ସ୍ତ୍ରୀ ଓ ପିଲା ସହ ଝଗଡ଼ା କରୁଥିଲେ । ଯାହାକୁ ନେଇ ଉଭୟ ମାଆ ଓ ପୁଅଙ୍କ ମଧ୍ୟରେ କ୍ରୋଧ ଦେଖା ଦେଇଥିଲା । ୧୮ ତାରିଖ ଦିନ ପୁଣି ମଦ ପିଇ ଉଜ୍ବଳ ଝଗଡ଼ା କରିବାରୁ ମାଆ ପୁଅ ମିଳିମିଶି ଉଜ୍ବଳଙ୍କୁ ଶ୍ବାସରୁଦ୍ଧ କରି ମାରିବା ସହ ମୃତଦେହକୁ ଏକ ଧାରୁଆ ଅସ୍ତ୍ରରେ ୬ରୁ ୮ ଖଣ୍ଡ କରି ପୋଖରୀରେ ଫିଙ୍ଗି ଦେଇଥିଲେ । ପୋଲିସ ଉଜ୍ବଳଙ୍କ ମୃତଦେହର ଏକ କଟା ଅଂଶ ପାଇଥିବା ବେଳେ, ଶରୀରର ଆଉ କୌଣସି ଅଂଶ ମିଳିନାହିଁ ।