ପ୍ରତିଦିନର ଅତ୍ୟାଚାର ଅସହ୍ୟ ହେବାରୁ ଚରମ ନିଷ୍ପତ୍ତି ନେଲା ସ୍ତ୍ରୀ

ଜଗତସିଂହପୁର: ଅସହ୍ୟ ହେଲା ସ୍ୱାମୀର ଅତ୍ୟାଚାର । ପ୍ରତିଦିନ ମାଡ଼ଗାଳି ଖାଇବା ପରେ ଶେଷରେ ସୀମା ଟପିଲା ସ୍ୱାମୀ । ଆଉ ମଦୁଆ ସ୍ୱାମୀକୁ ହତ୍ୟା କଲା  ସ୍ତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ସଦେଇପୁର ଗାଁରେ । ପ୍ରତିଦିନ ମଦ ପିଇ ମାରପିଟ ସହିବା ପରେ ଜନ୍ତ୍ରଣା ଅସହ୍ୟ ହେବାରୁ ସ୍ତ୍ରୀ କରିଛି ସ୍ୱାମୀକୁ ହତ୍ୟା । ସେତିକି ନୁହେଁ ସ୍ୱାମୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀ ।

ସୂଚନା ଅନୁସାରେ, ସଦେଇପୁର ଗାଁରେ ରହୁଥିବା ସୁଶାନ୍ତ ଦିନ ମଜୁରୀଆ ଭାବେ କାର୍ଯ୍ୟ କରନ୍ତି । ଏବଂ ସେଥିରୁ ଯାହା ରୋଜଗାର କରନ୍ତି ସେ ମଦ ପିଇ ଘରେ ଆସି ଗଣ୍ଡଗୋଳ କରନ୍ତି । କେବଳ ସେତିକି ନୁହେଁ  ଦିନ ମଜୁରିଆ ଭାବେ କାମ କରୁଥିବା ସୁଶାନ୍ତ ପ୍ରତିଦିନ ମଦ ପିଇ ଆସି ଘରେ ସ୍ତ୍ରୀକୁ ମାରଧର ମଧ୍ୟ କରନ୍ତି । ସ୍ୱାମୀର ଏଭଳି ଅତ୍ୟାଚାରକୁ ସବୁ ସହି ଯାଆନ୍ତି ସ୍ତ୍ରୀ । କିନ୍ତୁ  ଏହାକୁ ପ୍ରତିବାଦ କରିପାରନ୍ତି ନାହିଁ । ଶେଷରେ ଅତ୍ୟାଚାର ଅସହ୍ୟ ହେବାରୁ ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ତ୍ରୀ । ଏହାପରେ ଥାନାରେ ଆତ୍ମସମର୍ପଣ କରିଛି । ପୁରା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଘର ଭିତରେ ଥିବା ମଶାରି ଭିତରୁ ମୃତଦେହ ଉଦ୍ଧାର କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି ।

Leave a Reply