କରୋନା ଆତଙ୍କ : ହନିମୁନ୍ ପରେ ସ୍ୱାମୀଙ୍କୁ ଛାଡି ପଳାଇଲେ ସ୍ତ୍ରୀ, ପଛରେ ତିନି ରାଜ୍ୟର ପୋଲିସ

ଆଗ୍ରା: କରୋନା ଭାଇରସ ଲୋକଙ୍କୁ ଆତଙ୍କିତ କରିଛି । ଏହା ଭିତରେ ଏମିତି ବି ଖବର ଆସୁଛି ଯାହା ଆପଣଙ୍କୁ ଚିନ୍ତିତ କରିଦେବ । ଯେମିତି ଜଣେ ମହିଳାଙ୍କ ପାଇଁ ତିନି ତିନୋଟି ରାଜ୍ୟର ପ୍ରଶାସନ ଓ ପୋଲିସ ନାକେଦମ ହୋଇଛି । କାରଣ ତାଙ୍କ ପାଇଁ ଆହୁରି କିଛି ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

 

ଏବେ ଆସନ୍ତୁ ପୁରା ଘଟଣାକ୍ରମ କ’ଣ ଜାଣିବା । ଆଗ୍ରାର ଜଣେ ଝିଅ ବିବାହ ପରେ ନିଜ ସ୍ୱାମୀଙ୍କ ସହ ହନିମୁନ ପାଇଁ ଇଟାଲି ଯାଇଥିଲେ । ଇଟାଲିରେ କରୋନା କୋକୁଆଭୟ ଜାରି ଥିବା ବେଳେ ମହିଳାଙ୍କ ପତି ମଧ୍ୟ ଏହାଦ୍ୱାର ସଂକ୍ରମିତ ହୋଇଥିଲେ । ତେବେ ସେ ଜାଣି ପାରିନଥିଲେ । କିନ୍ତୁ ଇଟାଲିରୁ ସେମାନେ ବେଙ୍ଗାଲୁରୁ ଫେରିବା ପରେ ଏହା ଜଣା ପଡିଥିଲା । ମହିଳାଙ୍କ ପତି ଏକ ସଫ୍ଟୱାର କଂପାନିରେ କାମ କରନ୍ତି । ଇଟାଲିରୁ ଫେରିବା ପରେ ତାଙ୍କର ଟେଷ୍ଟ ହୋଇଥିଲା । ତାଙ୍କର କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ବାହାରିଥିଲା । ପତିଙ୍କୁ ଆଇସୋଲେଟେଡ୍ (ପୃଥକ) କରି ରଖାଯାଇଥିଲା । ଏହାପରେ ପ୍ରଶାସନ ମହିଳାଙ୍କୁ ମଧ୍ୟ ଆଇସୋଲେସନରେ ରଖିବାକୁ ଚାହିଁଥିଲା । କିନ୍ତୁ ଏଇଠି ମାମଲାରେ ମୋଡ ଆସିଥିଲା । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡି କରୋନା ଭୟରେ ଆଇସୋଲେସନ ୟୁନିଟରେ ଚମ୍ପଟ୍ ମାରିଥିଲେ । ଖାଲି ଚମ୍ପଟ୍ ମାରିନଥିଲେ,ସେ ମଧ୍ୟ ସିଧା ନିଜ ଘର ଆଗ୍ରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏମିତି କରି ମହିଳା ଜଣକ ନିଜ ସହ ହଜାର ହଜାର ଯାତ୍ରୀଙ୍କ ଜୀବନକୁ ବାଜି ଲଗାଇଥିଲେ ।

ସେ ବେଙ୍ଗାଲୁରରୁ ଫ୍ଲାଇଟରେ ନୂଆଦିଲ୍ଲୀ ଓ ନୂଆଦିଲ୍ଲୀରୁ ଟ୍ରେନରେ ଆଗ୍ରା ଯାଇଥିଲେ । ଏମିତି କରି ସେ ଏୟାରପୋର୍ଟ,ଟ୍ରେନରେ ତାଙ୍କ ସଂସ୍ପର୍ଷରେ ଆସିଥିବା ଅନେକ ଲୋକଙ୍କୁ କରୋନା ସଂକ୍ରମିତ କରିଥିବା ଆଶଙ୍କା କରାଯାଇଛି । ସେପଟେ ବେଙ୍ଗାଲୁରୁରେ ମହିଳଙ୍କ ନିଖୋଜ ହେବା ଖବର ପ୍ରଘଟ ହେବା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା । ସ୍ଥାନୀୟ ପ୍ରଶାସନ ତାଙ୍କ ଟ୍ରାଭେଲ ରୁଟକୁ ଟ୍ରାକ୍ କରି ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ସୂଚିତ କରିଥିଲେ ।

ଆଗ୍ରା ପ୍ରଶାସନ ମହିଳାଙ୍କ ବାପଘରେ ପହଂଚି ତାଙ୍କ ବିଶୟରେ ତଥ୍ୟ ସଂଗ୍ରହ କରିଥିଲା । କିନ୍ତୁ ତାଙ୍କ ବାପା ସେ ଘରେ ନଥିବା କହିଥିଲେ । ତେବେ ଅଧିକ ପଚରା ଉଚରା ପରେ ସେ ତାଙ୍କ ଝିଅ ଘରେ ଥିବା କଥା ମାନିଥିଲେ । କିନ୍ତୁ ପୁରା ପରିବାର ବାକି ଲୋକଙ୍କଠାରୁ ଅଲଗା ରୁହନ୍ତୁ ବୋଲି ଅଧିକାରୀଙ୍କ ପରାମର୍ଶକୁ ମହିଳାଙ୍କ ବାପା ମାନିବାକୁ ମନା କରିଦେଇଥିଲେ । ଏହାପରେ ପୋଲିସ ଓ ମାଜିଷ୍ଟ୍ରେଟ୍ ପହଂଚି ଉକ୍ତ ପରିବାରକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସହଯୋଗ କରିବାକୁ କହିଥିଲେ । ତା’ପରେ ଯାଇ ପରିବାରର ୮ ସଦସ୍ୟ ଓ ମହିଳା ଆଇସୋଲେସନରେ ରହିବାକୁ ରାଜି ହୋଇଥିଲେ ।

ଶିକ୍ଷା : କରୋନା ଏକ ସଂକ୍ରମିତ ରୋଗ । ଏଥିରେ ଆପଣ ଯଦି ସଂକ୍ରମିତ ତେବେ ଆପଣଙ୍କ ନୈତିକ କର୍ତ୍ତବ୍ୟ ହେଉଛି ଅନ୍ୟମାନେ ଏହା ଦ୍ୱାରା କେମିତି ସଂକ୍ରମିତ ନେହେବେ ସେଥିଲାଗି ଚେଷ୍ଟା କରିବା । ଆପଣ ନିଜକୁ ଅଲଗା ରଖିବାକୁ ମନା କରିବା ଅର୍ଥ ନିଜ ସହ ପୁରା ସମାଜକୁ ବିପଦରେ ପକାଉଛନ୍ତି ।

 

Leave a Reply