ପୁରୁଣା ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ସ୍ୱାମୀକୁ ଭୁଜାଲିରେ ଆକ୍ରମଣ

ଭଦ୍ରକ: ପୁରୁଣା ପ୍ରେମକୁ ପାଇବା ପାଇଁ ସ୍ବାମୀକୁ ହତ୍ୟା ଉଦ୍ୟମ । ପ୍ରେମିକ ସହ ମିଶି ସ୍ବାମୀକୁ ଭୁଜାଲିରେ ଆକ୍ରମଣ କରିଛି ସ୍ତ୍ରୀ । ତେବେ ଅଳ୍ପକେ ବର୍ତ୍ତି ଯାଇଛି ସ୍ବାମୀ । ଏମିତି ଏକ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କମାର ଗାଁର ଶମ୍ଭୁନାଥ ଦଳେଇ ସାବରଙ୍ଗ ଥାନା ଏରଡାର ଲିଜାଙ୍କୁ ବିବାହ କରିଥିଲେ । କିନ୍ତୁ ଲିଜାଙ୍କର ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ରବିଙ୍କ ସହ ପ୍ରେମ ସମ୍ପର୍କ ଥିଲା । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ଘଟଣାଦିନ ସ୍ବାମୀ ଶମ୍ଭୁନାଥଙ୍କୁ ସାଙ୍ଗରେ ନେଇ ନିଜ ବାପ ଘର ଏରଡ଼ାକୁ ଆସିଥିଲେ ଲିଜା । ବିଳମ୍ବିତ ରାତିରେ ସମ୍ଭୁନାଥକୁ ମାରିବାକୁ ପ୍ଲାନ କରିଥିଲେ ଲିଜା ଓ ତାଙ୍କ ପ୍ରେମିକ । ଶମ୍ଭୁନାଥ ଶୋଇଥିବବେଳେ ଲିଜା ଓ ରବି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଶମ୍ଭୁନାଥଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ପରେ ଉଭୟ ଲିଜା ଓ ପ୍ରେମିକ ରବି ଫେରାର ହୋଇଯାଇଥିଲେ । ସାବରଙ୍ଗ ପୋଲିସ ଉଭୟଙ୍କୁ ଭୁବନେଶ୍ବର ଏୟାରପୋର୍ଟ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଛି ।