ଆହତ ନହୋଇ ମଧ୍ୟ ଟେଷ୍ଟ ସିରିଜ୍ ପୂର୍ବରୁ କାହିଁକି ଟିମରୁ ଓହରିଲେ ଇଶାନ କିଶାନ

1 min read

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ଟି-୨୦ ଏବଂ ଦିନିକିଆ ଖେଳି ସାରିଛି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ମ୍ୟାଚ । ୨ ମ୍ୟାଚ ବିଶିଷ୍ଟ ସିରିଜ ରହିଥିବାବେଳେ ଦଳକୁ ସିରିୟର ଖେଳାଳିମାନେ ଫେରୁଛନ୍ତି । ଏହାରି ଭିତରେ ଭାରତୀୟ କ୍ରିକେଟ ଦଳର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି । ଆହତ ହୋଇ ନଥିଲେ ସୁଦ୍ଧା କାହିଁକି ଏଭଳି ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କି, ନିୟମିତ ତିନୋଟିଯାକ ଫର୍ମାଟରେ ଦଳରେ ସ୍ଥାନ ପାଇ ଆସୁଥିଲେ ସୁଦ୍ଧା ଖେଳିବାର ସୁଯୋଗ ମିଳୁନାହିଁ । ଫଳରେ ମାନସିକ ଚିନ୍ତା କାରଣରୁ ସେ ସେ ଟେଷ୍ଟ ସିରିଜ ପୂର୍ବରୁ ଓହରିବା ସହ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

କେ.ଏଲ. ରାହୁଲ ଏବଂ ସଞ୍ଜୁ ସାମସନ ଏବେ ଦଳରେ ରହିଥିବାବେଳେ ଇଶାନ ତୃତୀୟ ବିକଳ୍ପ ରହିଛନ୍ତି । ସେପଟେ ଟେଷ୍ଟ ସିରିଜରେ ସିନିୟର ଖେଳାଳିମାନେ ଦଳକୁ ଫେରୁଛନ୍ତି । ଶେଷ ଦିନିକିଆରେ ସଞ୍ଜୁଙ୍କ ଲଢ଼ୁଆ ଶତକ ତାଙ୍କ ପ୍ରଭିତାର ଅସଲ ପରିଚୟ ଦେଇଛି । ସେପଟେ ଦିନିକିଆ ବିଶ୍ବକପରେ ମଧ୍ୟ ସ୍ଥାନ ପାଇଥିବା ଇଶାନ ବାରମ୍ବାର ହତାଦର ହୋଇଛନ୍ତି । ବାରମ୍ବାର ତାଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ୨୦୨୩ ଆରମ୍ଭରୁ ଦଳରେ ନିୟମିତ ସ୍ଥାନ ପାଉଥିଲେ ସୁଦ୍ଧା ବାରମ୍ବାର ବେଞ୍ଚରେ ବସୁଛନ୍ତି । ଅବସର ନେଇଥିବା ଖେଳାଳିମାନେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ଦେବା ପାଇଁ ବାରମ୍ବାର ଯୁକ୍ତି କରି ଆସୁଥିଲେ ସୁଦ୍ଧା ଖେଳିପାରୁ ନାହାନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ମଧ୍ୟ ନିକଟରେ ଇଶାନଙ୍କ ପାଇଁ ଯୁକ୍ତି ବାଢ଼ିଥିଲେ । ସେ କହିଥିଲେ କି, ଦଳରେ କାହିଁକି ତାଙ୍କୁ ସୁଯୋଗ ଦିଆଯାଉନାହିଁ । ଯୁବ ପ୍ରତିଭାବାନ ଖେଳାଳି ଇଶାନଙ୍କୁ ସୁଯୋଗ ଦେଲେ ସେ ଉଚ୍ଚକୋଟିର ପ୍ରଦର୍ଶନ କରିପାରନ୍ତେ ।