କାହିଁକି ବିଜୁ ବାବୁଙ୍କ ମର ଶରୀରରେ ଘୋଡ଼ା ଯାଇଥିଲା ତିନିଟି ଦେଶର ଜାତୀୟ ପତାକା ?

1 min read

ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଲେଖିବାକୁ ଯାଇ ପ୍ରତିଥଯଶା କଥାକାର ସୁରେନ୍ଦ୍ର ମହାନ୍ତି ଗୀତାର ଏକ ଶ୍ଳୋକର କିୟଦଂଶ ଉଦ୍ଧାର କରିଥିଲେ । ତାହା ହେଲା- ଅଭିଜାନନ୍ତି ମାଂ ମୁଢା ମାନୁଷୀ ତନୁମାଶ୍ରିତମ । ଅର୍ଥାତ ମୁଁ ମନୁଷ୍ୟ ଦେହରେ ଅଛି ବୋଲି ମୁର୍ଖ ମନୁଷ୍ୟ ମତେ ଚିହ୍ନି ପାରୁନାହିଁ । ବାସ୍ତବରେ ବିଜୁ ବାବୁଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ବିଜୁ ପଟ୍ଟପଟ୍ଟନାୟକ ଜଣେ ମଣିଷ । କିନ୍ତୁ ସେ ଯାହା କରିଯାଇଛନ୍ତି କୌଣସି ମନୁଷ୍ୟ କ୍ଷେତ୍ରରେ ତାହା ସମ୍ଭବ ନୁହେଁ । ରାଜ୍ୟ ବା ଦେଶ ନୁହେଁ, ସମଗ୍ର ବିଶ୍ବରେ ତାଙ୍କ ସାହାସିକତା ଓ ଦୁର୍ଦ୍ଦର୍ଷ ଦେଶପ୍ରେମର ଗାଥାକୁ ନେଇ ହୋଇଛି ଚର୍ଚ୍ଚା । ସେଥିପାଇଁ ତ ତାଙ୍କ ଅବର୍ତ୍ତମାନରେ ମଧ୍ୟ ବିଭିନ୍ନ ରାଷ୍ଟ୍ର ତାଙ୍କୁ ମନେ ପକାଉଛନ୍ତି । ୧୯୯୭ ମସିହା ଏପ୍ରଲ ୧୭ ତାରିଖରେ ତାଙ୍କ ମହାପ୍ରୟଣ ଘଟିବା ପରେ ତାଙ୍କ ମର ଶରୀରରେ ୩ଟି ଦେଶର ଜାତୀୟ ପତାକା ଘୋଡା ଯାଇଥିଲା । ତିନୋଟି ପତାକା ହେଲା ଭାରତ, ଇଣ୍ଡୋନେସିଆ ଓ ଋଷର ଜାତୀୟ ପତାକା । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମର ଶରୀରରେ କାହିଁକି ପଡିଥିଲା ତିନି ଦେଶର ଜାତୀୟ ପତାକା ? ୟା ପଛର କାହାଣୀ ପ୍ରତ୍ୟୋକ ଓଡିଆ କାହିଁକି ପ୍ରତ୍ୟୋକ ଭାରତୀୟଙ୍କ ପାଇଁ ଯେତିକି ଗର୍ବର କଥା ସେତିକି ପ୍ରେରଣାଦାୟୀ । ସାମଗ୍ରିକ ହିସାବରେ କୁହାଯାଇପାରେ, ବିଜୁ ପଟ୍ଟନାୟକ ଥିଲେ ଜଣେ ଦୁର୍ଦ୍ଦଶ ଦେଶଭକ୍ତ ।

ଡାଲମିଆ ଜୈନ ଏୟାରୱେଜର ମୁଖ୍ୟ ପାଇଲଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭରୁ ତାଙ୍କ ସାହସିକତା ଓ ଦେଶ ପ୍ରେମ ହୋଇଥିଲା ବହୁ ଚର୍ଚ୍ଚିତ । ନିଜ ସହଯୋଗୀ ପାଇଲଟମାନଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରି ଅଣ୍ଡର ଗ୍ରାଉଣ୍ଡ ଡାଇରେକ୍ଟୋରେଟ ନାମରେ ଏକ ବ୍ରିଟିଶ ବିରୋଧୀ ଅଭିଯାନ ଚଳାଇଥିବା ଦଳକୁ ବରାବର ସହଯୋଗ କରି ଆସୁଥିଲେ ବିଜୁ ବାବୁ । ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ଅରୁଣା ଅସଫ ଅଲ୍ଲୀଙ୍କ ଭଳି ନେତୃବୃନ୍ଦ ଥିଲେ ଏହି ଅଣ୍ଡରଗ୍ରାଉଣ୍ଡ ଡାଇରେକ୍ଟୋରେଟର ସଦସ୍ୟ । ଏହି ଗୋଷ୍ଠୀର ଗୁପ୍ତ ନିର୍ଦ୍ଦେଶକୁ କଲିକତା, ବମ୍ବେ, ମାଡ୍ରାସ ଆଦି ସ୍ଥାନରେ ଥିବା ସେମାନଙ୍କ କମ୍ରେଡଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜୁ ପଟ୍ଟନାୟକ ନିର୍ଭିକ ଭାବରେ କରୁଥିଲେ ସହଯୋଗ । ୧୯୪୨-୪୩ରେ ଯେତେବେଳେ ଅଣ୍ଡରଗ୍ରାଉଣ୍ଡ ମିଶନର କିଛି ଗୁରୁତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୟପ୍ରକାଶ ନାରାୟଣଙ୍କ ସହ ରାଜଗୋପାଳଚାରୀଙ୍କ ଭେଟିବା ଏକାନ୍ତ ଜରୁରୀ ଥିଲା, ସେତେବେଳେ ନିଜ ବିମାନରେ ରାଜଗୋପାଳଚାରୀଙ୍କୁ ମାଡ୍ରାସରୁ ଦିଲ୍ଲୀ ପହଞ୍ଚାଇଥିଲେ ବିଜୁ ବାବୁ । ବ୍ରିଟିଶ ଶାସନକୁ ସାମାନ୍ୟ ଭୃକ୍ଷେପ ନଥିଲା ବିଜୁ ବାବୁଙ୍କର । ଏଥିରେ କ୍ଷୁବ୍ଧ ହୋଇଥିଲା ବ୍ରିଟିସ ପ୍ରଶାସନ । ବିଜୁ ବାବୁଙ୍କୁ ଭୋଗିବାକୁ ପଡ଼ିଥିଲା ୨ ବର୍ଷର ଜେଲଦଣ୍ଡ ।

ଜେଲରୁ ବିଜୁ ବାବୁ ମୁକୁଳିବା ପରେ ଯେଉଁ ବିମାନ କମ୍ପାନୀରେ ବିଜୁବାବୁ ଯୋଗ ଦେଇଥିଲେ, ସେହି କମ୍ପାନୀ ବ୍ରିଟିଶମାନଙ୍କ ପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧରେ ନିୟୋଜିତ ଥିଲା । ଏହି ସମୟରେ ମଧ୍ୟ ବିଜୁ ବାବୁ ଦେଖାଇଥିଲେ ନିଜ ଦକ୍ଷତା, ଦୁର୍ଦ୍ଦଶ ପଣିଆ । ଦ୍ବିତୀୟ ବିଶ୍ବଯୁଦ୍ଧର ଘମାଘୋଟ ଭିତରେ ଯେତେବେଳେ ଚତୁର୍ଦ୍ଦିଗରେ କମାଣର ଗର୍ଜନ, ଆକାଶରେ ପାଦେ ପାଦେରେ ବିପଦ, ସେତେବେଳେ ହିମାଳୟର ଭୟଙ୍କର ଆକାଶକୁ ଚିରି ସେ ବହୁବାର ଚୀନ ମାଟିରେ ଓହ୍ଲାଇଥିଲେ ନିଜ ବିମାନ । ପହଞ୍ଚାଇ ଥିଲେ ସାମରିକ ସରଞ୍ଜାମ ଓ ସେନା । ସେହି ଯୁଦ୍ଧର ଘନଘଟା ଭିତରେ ଯୁଦ୍ଧ ତୋପର ଛାତିଥରା ଚିତ୍କାର ଭିତରେ ବ୍ରିଟିଶ ପରିବାରଙ୍କୁ ବର୍ମାରୁ ନେଇ ଲଣ୍ଡନରେ ପହଞ୍ଚାଇଥିଲେ । ସର୍ବୋପରି ଦ୍ବିତୀୟ ବିଶ୍ବଯୁଦ୍ଧ ବାରୁଦ ଗନ୍ଧ ଭିତରେ ଋଷର ଷ୍ଟାଲିଂଗ୍ରାଡକୁ ଉଡ଼ି ଯାଇଥିଲେ ବିଜୁ ବାବୁ । ପହଞ୍ଚାଇଥିଲେ ଯୁଦ୍ଧର ଖବର । ଋଷ ସେନାକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ସହାୟତା କରିବାକୁ ତାଙ୍କୁ ମିଳିଥିଲା ଦାୟିତ୍ବ ।  ହିଟଲର ବାୟୁସେନାର ବୋମାମାଡକୁ ପ୍ରତିହତ କରିଥିଲେ । ସେହି ସହଯୋଗର କୃତଜ୍ଞତା ଆକାରରେ ଋଷର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଜୁବାବୁଙ୍କୁ ମିଳିଥିଲା ମେଡାଲ ଓ ସମ୍ମାନ ।

ଡଚଙ୍କ କବଳରେ ଥିବା ଇଣ୍ଡୋନେସିଆର ସ୍ବଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଦୁର୍ଦ୍ଦଶ ଭୂମିକା ସମସ୍ତେ ଜାଣନ୍ତି । ୧୯୪୮ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏସିଆନ ସମ୍ମିଳନୀରେ ଇଣ୍ଡୋନେସିଆର ସଂଗ୍ରାମୀ ନେତା ମହମ୍ମଦ ହଟ୍ଟା ଓ ସାହରିରଙ୍କୁ ବିଜୁ ବାବୁ ଯେଉଁ ଭଳି ସାହସିକତାର ସହ ଜାକର୍ତ୍ତାରୁ ଉଠାଇ ଆଣିଥିଲେ ସେହି କାହାଣୀ ସମସ୍ତଙ୍କୁ ଆଜି ବି ଶିହରିତ କରେ । ଚତୁର୍ଦ୍ଦିଗରୁ ହେଉଥିବା ଡଚ୍ ସେନାର ଗୁଳିବର୍ଷଣକୁ ଭୃକ୍ଷେପ ନକରି ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କୁ ରକ୍ଷାକରି ଉଠାଇ ଆଣିଥିଲେ ବିଜୁବାବୁ । ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ବିଜୁବାବୁଙ୍କ ରହିଥିଲା ଅଶେଷ ଯୋଗଦାନ । ସେଥିପାଇଁ ତ ଇଣ୍ଡୋନସିଆର ଭୂମିପୁତ୍ର ଉପାଧି ପାଇଥିଲେ ବିଜୁବାବୁ । ଏଇ ସାହାଯ୍ୟ କାମ ଦେଇଥିଲା ୧୯୬୫ ମସିହା ଭାରତ-ପାକ ଯୁଦ୍ଧ ବେଳେ । ପାକିସ୍ତାନକୁ ସହାୟତା କରିବା ପାଇଁ ୩ଟି ସବମରିନ ପଠାଇଥିଲା ଇଣ୍ଡୋନେସିଆ । ଶାସ୍ତ୍ରୀଙ୍କ ଅନୁରୋଧରେ ସୁକର୍ଣ୍ଣୋଙ୍କ ସହ କଥା ହେଲେ ବିଜୁ ପଟ୍ଟନାୟକ । ପାକିସ୍ତାନକୁ ସହଯୋଗ କରିବାରୁ ଓହରିଥିଲା ଇଣ୍ଡୋନେସିଆ ।

୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ ସମୟ । ବିଜୁ ବାବୁଙ୍କ ସାହସ, କୌଶଳ ଏବଂ ବୁଦ୍ଧିମତ୍ତା ପାଇଁ ପ୍ରଧାନମନ୍ତ୍ରୀ ନେହେରୁ ତାଙ୍କୁ ସ୍ବତନ୍ତ୍ର ଯୁଦ୍ଧ ପରାମର୍ଶଦାତା ଭାବେ ଦେଇଥିଲେ ନିଯୁକ୍ତି । ଏହା ଏକ ବିରଳ ଉପଲବ୍ଧି କହିଲେ ଭୁଲ ହେବନାହିଁ । ଖାଲି ସେତିକି ନୁହେଁ, ନେପାଳରେ ରାଣା ରାଜର ପତନ ହେଉ କି କାଶ୍ମୀରରେ ସେନାଙ୍କୁ ଅବତରଣ, ସବୁ ବିଜୁବାବୁଙ୍କ ସାହସିକତାର ଆଉ ଦୁର୍ଦ୍ଦଶ ପଣିଆର ପରିଚୟ । ପାଇଲଟ ପରବର୍ତ୍ତୀ ଜୀବନରେ ଜଣେ ରାଷ୍ଟ୍ର ନାୟକର ଅବତାରରେ ଅବତୀର୍ଣ୍ଣ ବିଜୁ ବାବୁ ଅନ୍ତର୍ଜାତୀୟ ସ୍ତରରେ ବେଶ ନାଁ କରିଥିଲେ ଏହା କହିବା ବାହୁଲ୍ୟ । ସେଥିପାଇଁ ତ ତାଙ୍କ ଆବର୍ତ୍ତମାନରେ ମଧ୍ୟ ବିଭିନ୍ନ ରାଷ୍ଟ୍ରମନେ ପକାଉଛନ୍ତି ତାଙ୍କୁ ।