ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ କାହିଁକି ନଥିଲା ସିଟ୍ ?

ଯାଜପୁର : ଯାଜପୁରରେ ଏକ ଦୁର୍ଘଟଣାଗ୍ରସ୍ତ ବସକୁ ନେଇ ଚର୍ଚ୍ଚା  । ବସରେ ସିଟ ନାହିଁ କିନ୍ତୁ କାହିଁକି ରାସ୍ତାରେ ଗଡୁଥିଲା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି  । ଏ ନେଇ ବସ ବିରୋଧରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି  । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ଗତ ୧୨ ତାରିଖ ରାତିରେ ଏହି ବସ ସହ ବୋଲେରୋର ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିଲେ  । ବସଟି ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ ନେଉଳପୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା  । ଧର୍ମଶାଳା ପୋଲିସ ଉଭୟ ଗାଡିକୁ ଜବତ କରିଥିଲା  । ହେଲେ ଦୁର୍ଘଟଣା ଗ୍ରସ୍ତ ଶନିଦେବ ବସକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି  । ବସ ବାହାରେ ଟୁଟୁ ଏସି ଲକଜୁରିଅସ ଲେଖା ହୋଇଥିବା ବେଳେ ବସରେ ଯାତ୍ରୀ ବସିବା ପାଇଁ କୌଣସି ସିଟ ନାହିଁ  ।

ବିନା ସିଟରେ କୌଣସି ଯାତ୍ରୀ ନଥାଇ ବସଟି କେଉଁ ଉଦେଶ୍ୟ ରେ ରାସ୍ତାରେ ଯାତାୟାତ କରୁଥିଲା ତାକୁ ନେଇ ସନ୍ଦେହ ବଢବାରେ ଲାଗିଛି । ବସଟି ଭଦ୍ରକ ଅଂଚଳର ଅଞ୍ଜୁମ ଏରୋ ଵାନୋଙ୍କ ନାମରେ ରହିଥିବା ବେଳେ ଦୁର୍ଘଟଣା ଦିନରୁ ହିଁ ଡ୍ରାଇଭର ଫେରାର ହୋଇ ଯାଇଛି  । ଖୁବ ଶୀଘ୍ର ବସ ମାଲିକଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି  । ବସ ବିରୋଧରେ ମାମଲା ରୁଜୁ କରି ଧର୍ମଶାଳା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି  । ଏ ନେଇ ଧର୍ମଶାଳା ଥାନା ଅଧିକାରୀ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି  ।