କାହିଁକି ଆର୍ମି ଅଫିସରଙ୍କୁ ପସନ୍ଦ କରନ୍ତି ବିକି କୌଶଲ, ଏଥର ଯବାନ ନୁହେଁ ଫିଲ୍ଡ ମାର୍ଶାଲ

ମୁମ୍ବାଇ: ନିକଟରେ ବିକି କୌଶଲଙ୍କ ଦୁଇଟି ଫିଲ୍ମ ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି ଓ ଗୋବିନ୍ଦା ନାମ ମେରା ଦର୍ଶକଙ୍କୁ ସେତେଟା ଛୁଇଁ ପାରିନାହିଁ  । କିନ୍ତୁ ତାଙ୍କ ଆଗାମୀ ଫିଲ୍ମ ସାମ ବାହାଦୀରକୁ ନେଇ ଏବେ ଚର୍ଚ୍ଚା ଜୋର୍‌  । ଫିଲ୍ମର ଟ୍ରେଲର ଓ ବିକିଙ୍କ ଲୁକ୍‌ ଦର୍ଶକଙ୍କ ମନ କିଣି ନେଇଚି  । ଏଥିରେ ସେ ଜଣେ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିବେ  । ଏହା ପୂର୍ବରୁ ବିକି ଉରି ଦ ସର୍ଜିକାଲ ଷ୍ଟ୍ରାଇକରେ ଆର୍ମି ଅଫିସର ଭୂମିକାରେ ନଜର ଆସିଥିଲେ  ।

ଏକ ସାକ୍ଷାତକାରରେ ବିକି କହିଛନ୍ତି ତାଙ୍କୁ ଫିଲ୍ମରେ ଚରିତ୍ର ପାଇଁ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ବହୁତ ଖୁସି ଲାଗେ  । କେବଳ ସାମ ବାହାଦୂର ଚରିତ୍ର ପାଇଁ ତାଙ୍କୁ ତିନି ଦିନ ମରାଠା ରେଜିମେଣ୍ଟ ସହ ରହିବାକୁ ପଡିଥିଲା  । ଏହି ସମୟରେ ସେ ଯବାନଙ୍କ ସହ ଖୁବ ମଜାମସ୍ତି କରିଥିଲେ  । କିନ୍ତୁ ଯବାନ ମାନେ ରାତି ୩ଟାରେ ଶୋଇ ଭୋର ୫ଟା ଉଠିଯିବା କଥାକୁ ସହଜରେ ହଜମ କରିପାରି ନାହାନ୍ତି ବିକି  ।

ଭାରତୀୟ ସେନାରେ ଅନୁଶାସନ ଭରି ରହିଛି  । ମରାଠା ରେଜିମେଣ୍ଟରେ ୩ ଦିନ ରହଣି ସମୟରେ ଯବାନ ମାନେ ଅନେକ ରିଅଲ୍‌ ହିରୋଙ୍କ କାହାଣୀ ତାଙ୍କୁ ଶୁଣାଇଥିଲେ  । ଯାହା ବିକିଙ୍କୁ ଭାରତୀୟ ସେନା ପ୍ରତି ଆହୁରି ଆକର୍ଷିତ କରିଥିଲା  । ପୂର୍ବରୁ ଉରି ଦ ସର୍ଜିକାଲ  ଷ୍ଟ୍ରାଇକରେ ବିକିଙ୍କୁ ଜଣେ ଯବାନ ଭୂମିକାରେ ଦେଖିବାକୁ ମିଳିଥିଲା  । ମାତ୍ର ୨୫ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଖାପାଖି ୩୬୦ କୋଟି ଟଙ୍କା ରୋଜଗାର କରିଥିଲା  । ରାତାରାତି ଷ୍ଟାର ପାଲଟି ଯାଇଥିଲେ ବିକି କୌଶଲ  ।

ଏବେ ବିକି ସାମ ବାହାଦୂର ଚଳଚ୍ଚିତ୍ରରେ ଶ୍ୟାମ ମାନେକ ଶ’ଙ୍କ ଚରିତ୍ରରେ ନଜର ଆସିବେ  । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଶ୍ୟାମ ଭାରତୀୟ ସେନା ମୁଖ୍ୟ ଥିଲେ  । ଭାରତୀୟ ସେନାର ପ୍ରଥମ ଅଫିସର ଭାବେ ତାଙ୍କୁ ଫିଲ୍ଡ ମାର୍ଶାଲର ଉପାଧି ମିଳିଥିଲା  । ୪ ଦଶକ ପର୍ଯ୍ୟନ୍ତ ସେ ଭାରତୀୟ ସେନାରେ ରହିବା ସହ ୫ ଟି ଯୁଦ୍ଧ ସାମନା କରିଥିଲେ  ।