ଭାରତ ରୁଷ ଠାରୁ ତେଲ କିଣୁ ବୋଲି ୩ ବର୍ଷ ପୂର୍ବେ ଚାହୁଁଥିଲା ଆମେରିକା ! ଏବେ କାହିଁକି ବଦଳିଲା ରଣନୀତି ?

ରୁଷରୁ ଭାରତ ତୈଳ ଆମଦାନୀ ଉପରେ ଆମେରିକା ଟାରିଫ୍ ଲାଗୁ କରିଛି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତ ରୁଷ ଠାରୁ ତୈଳ କିଣୁ ବୋଲି ୩ ବର୍ଷ ପୂର୍ବେ ଆମେରିକା ଚାହୁଁଥିଲା, ପୂର୍ବ ଆମେରିକୀୟ ରାଜଦୂତଙ୍କ ବୟାନରୁ ଏହା ଜଣାପଡ଼ିଛି । ପୂର୍ବ ରାଜଦୂତଙ୍କ ଟିପ୍ପଣୀ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଟ୍ରମ୍ପ ଭାରତ ଉପରେ ଟାରିଫ ଲଗାଇବା ସହ ଧମକ ମଧ୍ୟ ଦେଇଛନ୍ତି । ଟ୍ରମ୍ପଙ୍କ ଧମକକୁ ନୂଆଦିଲ୍ଲୀ ଜୋରଦାର ବିରୋଧ କରିବା ସହ ନିଜର ହିତ ପାଇଁ ଭାରତ ରୁଷ ସହ ସହଯୋଗ ଜାରି ରଖିବ ବୋଲି କହିଛି । ଏହା ମଧ୍ୟରେ ଆମେରିକାର ପୂର୍ବ ରାଷ୍ଟ୍ରଦୂତଙ୍କ ଏକ ପୁରୁଣା ଟିପ୍ପଣୀ ଭାଇରଲ ହେବାରେ ଲାଗିଛି । ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଜିର ବୟାନର ବିଲକୁଲ ବିପରୀତ ଅଟେ ।
ଭାଇରାଲ ଭିଡିଓରେ ଭାରତରେ ଅବସ୍ଥାପିତ ଥିବା ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହୁଛନ୍ତି, ବିଶ୍ବରେ ଦର ସ୍ଥିର ରଖିବା ପାଇଁ ରୁଷ ଠାରୁ ଭାରତ ଏକ ନିଶ୍ଚିତ ମୂଲ୍ୟ ସୀମାରେ ତୈଳ କିଣିବା ପାଇଁ ଓ୍ବାଶିଂଟନ ପ୍ରୋତ୍ସାହିତ କରିଥିଲା । ଅନ୍ତରାଷ୍ଟ୍ରୀୟ ମାମଲାରେ ବିବିଧତା ଉପରେ ୨୦୨୪ ସମ୍ମିଳନୀ ଅବସରରେ ଗାର୍ସେଟି ଏହା କହିଥିଲେ । ଭାରତର ପଦକ୍ଷେପ ଆମେରିକାର ନୀତିର ଡିଜାଇନର ଅଂଶ ବୋଲି ସେ କହିଥିଲେ ।
ସମ୍ମିଳନୀରେ ସେ କହିଥିଲେ, ‘କୌଣସି ବ୍ୟକ୍ତି ଏକ ନିଶ୍ଚିତ ମୂଲ୍ୟ ସୀମାରେ ରୁଷ ତେଲ କିଣୁ ବୋଲି ଆମେ ଚାହୁଁଥିଲୁ । ସେଥିପାଇଁ ଭାରତ ରୁଷଠାରୁ ତେଲ କିଣିଲା । ଏହା କୌଣସି ଉଲ୍ଲଂଘନ ନଥିଲା । ଏହା ବାସ୍ତବରେ ନୀତିର ଡିଜାଇନ ଥିଲା । ତେଲର ଦର ବଢ଼ୁ, ଏହା ଆମେ ଚାହୁଁନଥିଲୁ ।’
ତେବେ ଉକ୍ତ ଟିପ୍ପଣୀ ସାମ୍ନାକୁ ଆସିବା ପରେ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ୟୁକ୍ରେନ ଯୁଦ୍ଧର ପ୍ରାରମ୍ଭରେ ଭାରତ ରୁଷ ତେଲ କିଣିବା ଆମେରିକା ନୀତିର ଅଂଶ ଥିଲା । ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅଭିଯୋଗ ଲଗାଉଛନ୍ତି ଯେ, ଭାରତ ୟୁକ୍ରେନ ଯୁଦ୍ଧ ସମୟରେ ତେଲ କିଣି ରୁଷକୁ ସହାୟତା କରୁଛି । ଆମେରିକାର ପ୍ରବଳ ଚାପ ପରେ ବି ଭାରତ ପକ୍ଷରୁ ରୁଷରୁ ନିଜର ସହଯୋଗ କମ କରିବାର ସଂକେତ ମିଳୁନାହିଁ । ଏଥିସହିତ ଭାରତ ଆମେରିକାକୁ କଡ଼ା ଜବାବ ମଧ୍ୟ ଦେଇଛି ।