ଋଷର ୟୁକ୍ରେନ ହାମଲା ବିରୁଦ୍ଧରେ ପୁଣି ବାହାରିଲା ଆମେରିକା, ପୁଟିନଙ୍କ ୨ ଝିଅ ଉପରେ ଲଗାଇଲା କଟକଣା

କିଭ୍: ୪୩ ଦିନର ଯୁଦ୍ଧରେ ଧ୍ୱସ୍ତ ହୋଇଛି ୟୁକ୍ରେନ । ସବୁ ସହରରୁ ଆସୁଛି ବିଧ୍ୱଂସର ବିନାଶକାରୀ ଚିତ୍ର। ସବୁ ସହରରେ ଘନ ଘନ ମିସାଇଲ ଓ ବୋମା ମାଡ଼। ୟୁକ୍ରେନରେ ଋଷର ବର୍ବରତା ବିରୁଦ୍ଧରେ ପୁଣିଥରେ ସାମ୍ନାକୁ ଆସିଛି ଆମେରିକା । ଋଷ ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା।

ପୂର୍ବରୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆମେରିକା ଏବଂ ଅନ୍ୟ କିଛି ଦେଶ ଋଷ ଏବଂ ଏହାର ଅନେକ ନାଗରିକଙ୍କ ଉପରେ କଟକଣା ଲାଗୁ କରିଛନ୍ତି । ଏହା ବ୍ୟତୀତ ବୁଧବାର କିଛି ରଷିଆନ୍ ବ୍ୟାଙ୍କ ଉପରେ ଆମେରିକା ଜରିମାନା ମଧ୍ୟ ଲଗାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କ ଝିଅମାନଙ୍କ ସମ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି । ପରିବାର ଲୋକେ ପୁଟିନଙ୍କ ସମ୍ପତ୍ତି ଲୁଚାଇପାରନ୍ତି ବୋଲି ଏପରି ନିଷ୍ପତ୍ତି ନେଇଛି ଆମେରିକା ।

ତେବେ କେବଳ ପୁଟିନ ନୁହଁନ୍ତି ତାଙ୍କ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ, ତାଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ଆମେରିକାର ପ୍ରତିବନ୍ଧକ ପରିସର ଭିତରକୁ ଆସିଛନ୍ତି । ତା ସହିତ ପୁଟିନଙ୍କ ସମସ୍ତ ନିକଟତର ବ୍ୟକ୍ତି ଯଥା ଋଷିଆ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ସଦସ୍ୟମାନଙ୍କ ଉପରେ ବି ପ୍ରତିବନ୍ଧକ ଲାଗିଛି ।

ପୁଟିନଙ୍କର ଦୁଇ ଝିଅ ମାରିଆ ଏବଂ କ୍ୟାଟରିନା ଟିଖୋନୋଭଙ୍କ ବିରୋଧରେ ଏହି ନୂଆ ଦଣ୍ଡବିଧାନ କରାଯାଇଛି । ପୁଟିନଙ୍କ ସମସ୍ତ ଘନିଷ୍ଠଙ୍କୁ ଆମେରିକୀୟ ଆର୍ଥିକ ବ୍ୟବସ୍ଥାରୁ ଅଲଗା କରିଦେବା ପରେ ଆମେରିକାରେ ରଖିଥିବା ସମ୍ପତ୍ତିକୁ ଅଚଳ କରି ଦିଆଯାଇଛି । ଏହା ସହ ଋଷର ସର୍ବବୃହତ ସରକାରୀ ତଥା ବେସରକାରୀ ଆର୍ଥିକ ପ୍ରତିଷ୍ଠାନ, ସେରବ୍ୟାଙ୍କ ଏବଂ ଆଲଫା ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଋଷ ବିରୋଧରେ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରିଛି ଆମେରିକା । ଋଷରେ ଆମେରିକାର ସମସ୍ତ ନୂଆ ପୁଞ୍ଜି ନିବେଶକୁ ମଧ୍ୟ ନିଷେଧ କରାଯାଇଛି ।

ଜଣାଇଦେବାକୁ ଚାହୁଁ ଯେ ଭ୍ଲାଦିମିର ପୁଟିନଙ୍କ ପରିବାର ବିଷୟରେ ବହୁତ କମ୍ ତଥ୍ୟ ସାମ୍ନାକୁ ଆସିଛି ସୂଚନା ମୁତାବକ ପୁଟିନଙ୍କ ପୂର୍ବତନ ପତ୍ନୀ ଲ୍ୟୁଡମିଲାଙ୍କ ୨ ଝିଅ ଅଛନ୍ତି । ଯାହାଙ୍କ ନା ମାରିଆ ଭୋରୋଣ୍ଟସୋଭା ଏବଂ କ୍ୟାଟରିନା ଟିକୋନୋଭା । ବିବାହର ପ୍ରାୟ ୩୦ ବର୍ଷ ପରେ ପୁଟିନ ପତ୍ନୀଙ୍କଠୁ ଅଲଗା ହୋଇଥିଲେ । ପୁଟିନ ତାଙ୍କ ପରିବାର ସହିତ ୧୯୯୬ରେ ମସ୍କୋକୁ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କ ଝିଅମାନେ ଏକ ଜର୍ମାନ ଭାଷା ବିଦ୍ୟାଳୟରେ ପଢ଼ୁଥିଲେ । କିନ୍ତୁ ପରେ ୧୯୯୯ରେ ପୁଟିନ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କ ଝିଅମାନେ ସ୍କୁଲରୁ ଓହରି ଯାଇଥିଲେ ଏବଂ ଘରୁ ଅଧ୍ୟୟନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନାଁ ବଦଳାଇ ନକଲି ପରିଚୟ ଦେଇ କଲେଜରେ ଆଡମିଶନ କରିଥିଲେ ।

କିଛିଦିନ ପୂର୍ବରୁ ପୁଟିନ କରୋନା ଟୀକାକରଣ ସମୟରେ ତାଙ୍କ ଝିଅ ବିଷୟରେ ଆଲୋଚନା କରିଥିଲେ ଯେ ତାଙ୍କ ଝିଅକୁ ମଧ୍ୟ ଏହି ଟିକା ଦିଆଯାଇଛି । ଏହା ବ୍ୟତୀତ ପୁଟିନ ତାଙ୍କ ଝିଅମାନଙ୍କର ପରିଚୟ କେବେ ପ୍ରକାଶ କରିନାହାଁନ୍ତି, କେବଳ ଏତିକି କହିଛନ୍ତି ଯେ ତାଙ୍କର ୨ ଜଣ ଝିଅ ଅଛନ୍ତି । ତାଙ୍କ ପରିବାର ସବୁବେଳେ ସ୍ପଟ୍ ଲାଇଟ୍ ଠାରୁ ଦୂରରେ ରୁହନ୍ତି ।