ଟାଟା ସୁମୋ ବୋଲି କାହିଁକି କୁହାଯାଇଥାଏ, କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…ପଢନ୍ତୁ…..

ଭୁବନେଶ୍ୱର: ମଣିଷକୁ ଭଲ ପାଉଥିବା, ଜୀବନ୍ତ କରୁଥିବା ଓ ସାଧନା ବୋଲି ବୁଝୁଥିବା ଲୋକେ ଦିନେ ଉଦାହରଣ ପାଲଟି ଦୁନିଆ ଛାଡନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ସୁମନ୍ତ ମୁଲଗାଓକର୍ । ସେ ନିଜ କର୍ମକୁ ନିଷ୍ଠାପର ଭାବେ କରି ଟାଟା ଭଳି ଅନୁଷ୍ଠାନରେ ଏକ ମାଇଲ ଖୁଣ୍ଟ ପାଲଟିଥିଲେ । ଟାଟା ନିଜର ଏକ ଚାରିଚକିଆ ଯାନକୁ ତାଙ୍କ ନାମରେ ନାମିତ କରିଥିଲା ।  ଟାଟା କମ୍ପାନୀରେ କାର୍ଯ୍ୟରତ ଥିବା ମୁଲଗାଓକର୍ ନିଜ ଅସ୍ୱାଭାବିକ ବ୍ୟବହାର ପାଇଁ ଦିନେ ସମସ୍ତଙ୍କ ନଜରକୁ ଆସିଥିଲେ । ସାଧାରଣତଃ ମଧ୍ୟାହ୍ନ ଭୋଜନ ବିରତିରେ  ଟାଟାର ସମସ୍ତ ବରିଷ୍ଠ କର୍ତ୍ତୃପକ୍ଷମାନେ ଏକାଠି ବସି  ଭୋଜନ କରିଥାନ୍ତି ।

ମାତ୍ର କେବଳ ମୋଲଗାଓକର ସେମାନଙ୍କ ସହ ଏକାଠି ନ ଖାଇ ଏହି ସମୟରେ ନିଜ ଗାଡ଼ି ଧରି ବାହାରକୁ ଚାଲି ଯାଆନ୍ତି । ଠିକ୍ ମଧ୍ୟାହ୍ନ ଭୋଜନ ସରିଲେ,  ସେ କିଛି ସମୟ ପୂର୍ବରୁ ଆସି କମ୍ପାନୀରେ ପହଞ୍ଚି ଯାଆନ୍ତି । ତାଙ୍କ ଅଫିସ ବନ୍ଧୁମାନଙ୍କର ଧାରଣା ଏହା ଥିଲା ଯେ,  ସେ କୌଣସି ବଡ଼ ହୋଟେଲରେ ଖାଇବା ଉଦ୍ଦେଶ୍ୟରେ ବାହାରି ଯାଉଥିଲେ । ମାତ୍ର ବାସ୍ତବତା ଏହାଠରୁ ସମ୍ପୂର୍ଣ୍ଣ ଭିନ୍ନ ଓ ପ୍ରେରଣାଦାୟକ ଥିଲା । ତେବେ ଦିନେ ତାଙ୍କର ଏଭଳି ପ୍ରତି ଦିନ ବାହାରକୁ ଯିବା ଘଟଣାର ସତ୍ୟତା ଜାଣିବା ପାଇଁ ତାଙ୍କର ଜଣେ ବନ୍ଧୁ ତାଙ୍କ ପିଛା କଲେ । ମୁଲଗାଓକର ମଧ୍ୟାହ୍ନ ଭୋଜନ ବିରତି ସମୟରେ, କେଉଁଠିକି ଯାଉଛନ୍ତି ଜାଣିବା ପାଇଁ ବନ୍ଧୁଜଣକ ତାଙ୍କ ପଛେ ପଛେ ଗଲେ । ସେ ଦେଖିଲେ, ମୁଲଗାଓକରଙ୍କ ଗାଡ଼ି ଏକ କମ୍ପାନୀଠାରୁ କିଛି ଦୂରରେ ଥିବା ଏକ ଢାବାରେ ଅଟକିଲା ।

ମୋଲଗାଓକର ଢ଼ାବାରେ ଖାଦ୍ୟ ବରାଦ କରି ଢ଼ାବାରେ ଥିବା ଟ୍ରକ୍ ଡ୍ରାଇଭରମାନଙ୍କ ସହ ଆଲୋଚନା କଲେ । ଖାଦ୍ୟ ଖାଇବା ମଝିରେ ମଝିରେ ଟାଟା ଟ୍ରକକୁ ନେଇ ଡ୍ରାଇଭରମାନେ କେତେ ସନ୍ତୁଷ୍ଟ ସେ ନେଇ ପ୍ରଶ୍ନ କରୁଥିଲେ । ଟ୍ରକର ମାନରେ ଆଉ କଣ କଣ ପରିବର୍ତ୍ତନ କରି ହେବ ଓ ଜଣେ ଡ୍ରାଇଭର ଭାବେ ଟାଟା ଟ୍ରକଠାରୁ ସେମାନଙ୍କର କଣ ଆଶା ରହିଛି ସେ ନେଇ ପ୍ରଶ୍ନ କରିଥିଲେ । ଡ୍ରାଇଭରମାନଙ୍କ ଠାରୁ ବିସ୍ତୃତ ଭାବେ ଟ୍ରକର ବ୍ୟବହାରିତା ସମ୍ୱନ୍ଧୀତ ତଥ୍ୟ ସଂଗ୍ରହ କରୁଥିଲେ । ଏହିଭଳି ଭାବେ ପ୍ରତି ଦିନ ଡ୍ରାଇଭରମାନଙ୍କ ସହ ଆଲୋଚନା କରି ସେ ଅଫିସ ଫେରୁଥିଲେ ।

ସେମାନଙ୍କ ଅଭିଜ୍ଞତାକୁ କମ୍ପାନୀର କାମରେ ଲଗାଇବାକୁ ଚେଷ୍ଟା କରୁଥିଲେ । ଟାଟା ଟ୍ରକରେ କୌଣସି ପ୍ରକାର ପରିବର୍ତ୍ତନ କରିବା ବେଳେ ସେ ସେମାନଙ୍କ ମତକୁ ପ୍ରାଥମିକତା ଦେଉଥିଲେ । ପଥରେ ଚିନ୍ତା କରନ୍ତୁ ତ, ଜଣେ କର୍ମଚାରୀର ନିଜ କମ୍ପାନୀ ପ୍ରତି ୟାଠାରୁ ବଡ଼ ପ୍ରତିବଦ୍ଧତା କଣ ଥାଇପାରେ? ଏଭଳି ଏକ କର୍ମଚାରୀ ପାଇଁ କମ୍ପାନୀ ନିଜକୁ ଗର୍ବିତ ଅନୁଭବ କରୁଥିବ ନିଶ୍ଚୟ । ତେବେ ଟାଟା କମ୍ପାନୀ ତାଙ୍କର କମ୍ପାନୀ ପ୍ରତି ଏହି ଉତ୍ସର୍ଗୀକୃତ ମନୋଭାବ ଦେଖିବା ପରେ ନିଜର ଏକ ଚାରିଚକିଆ ଯାନକୁ ମୋଲଗାଓକରଙ୍କ ନାମରେ ନାମିତ କରିଥିଲା । ତାହା ଥିଲା ‘ସୁମୋ’ । ଘରେ ଘରେ ପରିଚିତ ନାଁ ଟାଟା ସୁମୋ । ସୁମନ୍ତ ଶଦ୍ଦରୁ ସୁ ଓ ମୋଲଗାଓକର ଶଦ୍ଦରୁ ମୋ ଶଦ୍ଦକୁ ଉଠାଇ, ଟାଟା ନିଜ ଚାରିଚକିଆ ଯାନର ନାମକରଣ କରିଥିଲା ଟାଟା ‘ସୁମୋ’ । ଏମିତି ଉଦାହରଣ ପ୍ରମାଣ କରେ କର୍ମବୀରଙ୍କ ମହାନତାକୁ । ସେଇ କ୍ୱଚିତ ନିଷ୍ଠାପରତାକୁ ଯାହା ଯୁଗେ ଯୁଗେ ପ୍ରେରଣା ହୋଇ ବଞ୍ଚିବ ।

 

Leave a Reply