ଉତ୍ତରକାଶୀ ଟନେଲ ଉଦ୍ଧାରକାରୀ ରାଟ୍ ମାଇନର୍ସ କାହିଁକି ଫେରାଇଲେ ୫୦ ହଜାର ଟଙ୍କାର ଚେକ୍ ?

ଡେରାଡୁନ: ଗତ ମାସ ଉତ୍ତରାଖଣ୍ଡ ସିଲକ୍ୟାରା ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇ ହୃଦୟ ଜିତିଥିଲେ ରାଟ୍‌ ହୋଲ୍‌ ମାଇନର୍ସ  । ଏବେ ପୁଣି ଥରେ ଚର୍ଚ୍ଚାରେ ଏହି ଉଦ୍ଧାରକାରୀ ଟିମ୍‌  । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦେଇଥିବା ପୁରସ୍କାର ରାଶି ଫେରାଇ ଦେଇଛନ୍ତି ଟିମ୍‌ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପ୍ରଶଂସା ଯୋଗ୍ୟ  । କିନ୍ତୁ ଏହା ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ରାଟ୍‌ ହୋଲ୍‌ ମାଇନର୍ସ  ।

ନିଜ ଜୀବନକୁ ବାଜି ଲଗାଇ ଶ୍ରମିକଙ୍କ ଜୀବନ ବଞ୍ଚାଇଥିଲୁ  । କିନ୍ତୁ ରାଜ୍ୟ ସରକାର ଦେଇଥିବା ୧୨ ଜଣ ସଦସ୍ୟଙ୍କ ପାଇଁ ମାତ୍ର ୫୦ ହଜାର ଟଙ୍କା ସନ୍ତୋଷଜନକ ନୁହେଁ  । ଯେତେବେଳେ ମେସିନ ଟନେଲ ଭିତରେ ଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଅସମର୍ଥ ଥିଲା ସେତେବେଳେ ମାନୁଆଲି ଡ୍ରିଲିଂ କରିଥିଲେ ରାଟ୍‌ ହୋଲ୍‌ ମାଇନର୍ସ  ।

ହେଲେ ଏହି ପୁରସ୍କାର ରାଶି ଯଥେଷ୍ଟ ନଥିବାରୁ ସରକାରଙ୍କୁ ୫୦ ହଜାର ଟଙ୍କାର ଚେକ୍‌ ଫେରାଇ ଦେଇଛନ୍ତି ଟିମ୍‌ ସଦସ୍ୟ  । ଯେଉଁଦିନ ଚେକ୍‌ ମିଳିଥିଲା ସେଦିନ ସିଏମଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ  । କିନ୍ତୁ ସେଠାରେ ଥିବା ଅଧିକାରୀମାନେ ଦୁଇ ଦିନରେ ନୂଆ ପୁରସ୍କାର ରାଶି ଘୋଷଣା କରିବାକୁ ଆଶ୍ବସନା ଦେଇଥିଲେ  । ଏହାରି ମଧ୍ୟରେ ଦୁଇ ତିନି ଦିନ ବିତି ଯଯାଇଥିଲେ ସୁଦ୍ଧା କୌଣସି ଘୋଷଣା ହୋଇନଥିଲା  ।ଯଦି ପ୍ରତିଶ୍ରୁତି ପୂରଣ ନହୁଏ ତେବେ ସରକାରଙ୍କୁ ଚେକ୍‌ ଫେରାଇ ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି  ।