spot_img

Latest Posts

ଓ୍ବାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ କେରଳ ବିଧାନସଭା ନିର୍ବାଚନ ଦାୟିତ୍ବ କାହିଁକି ମିଳିଲାନି ?

ଆସନ୍ତା ଏପ୍ରିଲରେ ଦେଶର ୪ଟି ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ତାମିଲନାଉ ଓ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ରାଜନୈତିକ ମହଲରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । କେରଳର ଓ୍ବାୟନାଡରୁ ସାଂସଦ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସାମ ନିର୍ବାଚନ ଦାୟିତ୍ବ ଦିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପ୍ରିୟଙ୍କା ଯେଉଁ ରାଜ୍ୟରେ ସାଂସଦ ଅଛନ୍ତି, ତାଙ୍କୁ ସେହି ରାଜ୍ୟର ଦାୟିତ୍ବ ନଦେଇ ଅନ୍ୟ ରାଜ୍ୟର ଦାୟିତ୍ବ କ’ଣ ପାଇଁ ଦିଆଯାଇଛି ।

ଗତ ୧୦ ବର୍ଷ ଧରି କେଳରରେ LDF ସରକାର ରହିଛି । ଅନ୍ୟପକ୍ଷରେ ଆସାମରେ ୧୫ ବର୍ଷ କ୍ଷମତାରେ ରହିଥିବା କଂଗ୍ରେସ ଗଡ଼ରେ ବିଜେପି ନିଜର ଗଡ଼ ମଜବୁତ କରିବା ଆରମ୍ଭ କରିଦେଇଛି । ରାଜ୍ୟରେ ସରକାର ଗଠନ ପାଇଁ ଦୁଇ ଜାତୀୟ ଦଳ ଅଣ୍ଟା ଭିଡ଼ିଛନ୍ତି । ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କୁ କେରଳ ଛାଡ଼ି ଅନ୍ୟ ରାଜ୍ୟକୁ ପଠାଯିବା ଏବେ କଂଗ୍ରେସର ଏକ ନୂଆ ରଣନୀତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ପ୍ରିୟଙ୍କାକୁ ଆସାମରେ ସକ୍ରିୟ ଥିବା ଦେଖାଯାଇଥିଲା । ପ୍ରିୟଙ୍କାଙ୍କ ସହ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ କର୍ଣ୍ଣାଟକର ଡେପୁଟୀ ସିଏମ ଡିକେ ଶିବକୁମାରଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଚୟନ କରାଯାଇଛି । ବଘେଲ ୨୦୨୧ରେ ମଧ୍ୟ ପ୍ରିୟଙ୍କାଙ୍କ ସହ ଥିଲେ । କେରଳରେ କିପରି କଂଗ୍ରେସ ଓ ପ୍ରିୟଙ୍କାଙ୍କ  ସ୍ଥିତି ରହିଛି ଆସନ୍ତୁ ଜାଣିବା…

୧- ନିକଟରେ କେରଳରେ ଆସିଥିବା ସ୍ଥାନୀୟ ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଚିନ୍ତାଜନକ ରହିଛି । ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଭଲ ରହିଥିଲା । ମାତ୍ର ଥିରୁବନନ୍ତପୁରମ ନଗର ନିଗମରେ ଏନଡିଏ ୧୦୦ଟି ଓ୍ବାର୍ଡରୁ ୫୦ଟି ବାଜି ମାରିଛି ।

୨- କେରଳ ଉପରେ ଏଥର ବିଜେପିର ଖାସ ନଜର ରହିଛି । ପ୍ରତିଥର କେରଳରେ କ୍ଷମତା ପରିବର୍ତ୍ତନର ପରମ୍ପରା ରହିଛି । ଯଦି ଏଥର କଂଗ୍ରେସ କେରଳରେ କିଛି ହାସଲ କରେ, ତେବେ ୨୦୨୫ର ଦିଲ୍ଲୀ ଓ ବିହାର ପରାଜୟର ଦୁଃଖ କିଛିଟା ଲାଘବ ହୋଇପାରେ ।

୩- ୨୦୨୪ରେ ରାହୁଲ ଗାନ୍ଧୀ ରାୟବରେଲି ଲୋକସଭା ଆସନକୁ ନିଜ ପାଖରେ ରଖିଥିଲେ ଓ ଓ୍ବାୟନାଡରୁ ଇସ୍ତଫା ଦେଇଥିଲେ । ଏହାପରେ ପ୍ରିୟଙ୍କା ଓ୍ବାୟନାଡରୁ ଲଢ଼ି ଲୋକସଭା ଯାଇଥିଲେ । ସେଥିପାଇଁ ଓ୍ବାୟନାଡରୁ ଲୋକସଭାରେ ପ୍ରତିନିଧିତ୍ବ କରୁଥିବା ପ୍ରିୟଙ୍କାକୁ ଆସାମ ପ୍ରଭାରୀ କରିବା ଟିକେ ଅଜବ ମନେହେଉଛି ।

୪- କଂଗ୍ରେସ ପାଇଁ କେରଳ ଏକ ବଡ଼ ଚ୍ୟାଲେଞ୍ଜ ହେବ । ନିର୍ବିବାଦ ଭାବେ ପ୍ରାର୍ଥୀଙ୍କ ଟିକେଟ ବାଣ୍ଟିବା କାମ ପ୍ରିୟଙ୍କା କରିପାରିବେ ନାହିଁ, ଏହା ନୁହେଁ । ପୂର୍ବରୁ ସାରା ଦେଶରେ ପ୍ରିୟଙ୍କା ଅନେକ ସଙ୍କଟର ସମାଧାନ କରିଛନ୍ତି ।

Latest Posts

Don't Miss