ପାକିସ୍ତାନକୁ ନାକେଦମ କରିଥିବା ବଲୁଚିସ୍ତାନ୍ ଆର୍ମି କିଏ ? ଯିଏ କରାଚି ଷ୍ଟକ୍ ଏକ୍ସଚେଞ୍ଜ ଉପରେ କରିଛି ଆକ୍ରମଣ..
ପାକିସ୍ତାନ ଷ୍ଟକ୍ ଏକ୍ସଚେଂଜ୍ ଉପରେ ଆକ୍ରମଣ ପାଇଁ ବଲୁଚିସ୍ତାନ୍ ଲିରବରେସନ୍ ଆର୍ମିକୁ ଦାୟୀ କରାଯାଉଛି । ପାକିସ୍ତାନୀ ମିଡିଆ ସ୍ପଷ୍ଟ ଭାବେ ଆକ୍ରମଣ ପଛରେ ବଲୁଚ୍ ଆର୍ମି ଅଛି ବୋଲି ଦାବି କରୁଛନ୍ତି । ଯଦିଓ ଆକ୍ରମଣକାରୀଙ୍କୁ ପାକ୍ ସେନା ଗୁଳି କରି ମାରିଛି ତଥାପି ଏହି ଆକ୍ରମଣରେ ମୋଟ ୧୦ ଜଣ ପ୍ରାଣ ହରାଇଛନ୍ତି । ବଲୁଚିସ୍ତାନ୍ ଲିବରେସନ୍ ଆର୍ମିର ନାମ ଗତ କେଇ ବର୍ଷ ହେଲା ଏକ ଚରମପନ୍ଥୀ ସଂଗଠନ ଭାବେ ଆସୁଛି । ଆମେରିକା ମଧ୍ୟ ଏହାକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି ।
କେତେ ପୁରୁଣା ଏହି ସଂଗଠନ ?
ଏହି ସଂଗଠନର ଇତିହାସ ୫୦ ବର୍ଷ ପୁରୁଣା । ଜୁଲଫକିର ଅଲ୍ଲି ଭୁଟ୍ଟୋ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ସଂଗଠନ ପାକ୍ ସେନା ବିରୋଧରେ ଅସ୍ତ୍ର ଉଠାଇଥିଲା ।
ଜିଆ ଉଲ୍ ହକଙ୍କ ସମୟରେ ସଂଗଠନ ଧିମା ପଡିଥିଲା
ଜୁଲଫକିରଙ୍କୁ ଫାଶୀ ଦେଇ ଜିଆ ଉଲ୍ ହକ୍ ପାକିସ୍ତାନ ରାଷ୍ଟ୍ରପତି ହୋଇଥିଲେ । ଏହି ସମୟରେ ବଲୁଚିସ୍ତାନକୁ ସ୍ୱାଧୀନ କରିବା ପାଇଁ ଆନ୍ଦୋଳନ କରୁଥିବା ନେତାଙ୍କ ସହ ସେନା ସରକାରର ଆଲୋଚନା ହୋଇଥିଲା । ଫଳରେ ବଲୁଚ୍ ଚରମପନ୍ଥୀ ସେମାନଙ୍କ କାର୍ଯ୍ୟକଳାପ ବନ୍ଦ କରିଥିଲେ ।
ମୁଶାରଫଙ୍କ ଅମଳରେ ପୁଣି ବିଦ୍ରୋହ
ପୂର୍ବତନ ସାମରିକ ଶାସକ ପରଭେଜ୍ ମୁଶରଫଙ୍କ ଅମଳରେ ବଲୁଚିସ୍ତାନ୍ ହାଇକୋର୍ଟ ବିଚାରପତି ଜଷ୍ଟିସ ନବାଜ ମିରିଙ୍କ ହତ୍ୟା ଅଭିଯୋଗରେ ବଲୁଚ୍ ନେତା ନବାବ ଖୈର ବଖ୍ସଙ୍କୁ ଗିରଫ କରାଯାଇଥିଲା । ଏହାପରେ ୨୦୦୦ ମସିହାରୁ ବଲୁଚିସ୍ତାନର ବିଭିନ୍ନ ଅଂଚଳରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା । ସୁରକ୍ଷାବଳଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା
ଅଧିକାଂଶ ଆକ୍ରମଣର ଉତ୍ତରଦାୟୀତ୍ୱ ବଲୁଚ୍ ଲିବରେସନ୍ ଆର୍ମି ନେଇଥିଲା । ୨୦୦୬ରେ ପାକିସ୍ତାନ ସରକାର ଏହାକୁ ଆତଙ୍କବାଦୀ ସଂଗଠନ ସୂଚିରେ ସାମିଲ କରିଥିଲା । ନବାବଜାଦା ବାଲାଚ୍ ମିରଙ୍କୁ ଏହାର ମୁଖ୍ୟ ଘୋଷଣା କରିଥିଲା ।୨୦୦୭ରେ ବାଲାଚ୍ ମିରଙ୍କ ମୃତ୍ୟୁ ଖବର ଆସିଥିଲା । ଆଫଗାନିସ୍ତାନ ସୀମାରେ ପାକ୍ ସେନା ତାଙ୍କ ହତ୍ୟା କରିଛି ବୋଲି ବଲୁଚ୍ ଆର୍ମି ଅଭିଯୋଗ କରିଥିଲା ।
ଏବେ ଏହାର ମୁଖ୍ୟ କିଏ ?
ବାଲାଚଙ୍କ ଭାଇ ହିରବୟାର ଏବେ ବଲୁଚ୍ ଆର୍ମିର ସୁପ୍ରିମୋ । ସେ ବ୍ରିଟେନରେ ରୁହନ୍ତି । ଏହି ସଂଗଠନ ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ କରିଥାଏ । ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ହିରବୟାର ନୁହେଁ ବଶିର ଜେବ୍ ଏହି ସଂଗଠନର ନେତୃତ୍ୱ ନେଉଛନ୍ତି ।
ପାକିସ୍ତାନ ଗଠନର ବର୍ଷକ ପର୍ଯ୍ୟନ୍ତ ବଲୁଚିସ୍ତାନ ସ୍ୱାଧିନ ଥିଲା !
୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଭାରତଠାରୁ ଅଲଗା ହୋଇଥିଲା । ତେବେ ୧୯୪୮ ପର୍ଯ୍ୟନ୍ତ ବଲୁଚିସ୍ତାନ୍ ସ୍ୱତନ୍ତ୍ର ରାଷ୍ଟ୍ର ଥିଲା । ବଲୁଚିସ୍ତାନ ପାକିସ୍ତାନରେ ମିଶିବାକୁ ମନା କରିଦେଇଥିଲା । କଲାତର ଖାନ୍ ପାକିସ୍ତାନରେ ମିଶିବାକୁ ମନା କରିଥିଲେ । ତେବେ ୧୯୪୮ ମସିହାରେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଆଦେଶରେ ପାକ୍ ସେନା ବଲୁଚିସ୍ତାନକୁ କବଜାକୁ ନେଇଥିଲା । ୧୯୭୦ ମସିହାରେ ହୋଇଥିବା ବିଦ୍ରୋହ ବେଳେ ପାକ୍ ସେନା ଆକାଶମାର୍ଗରୁ ବଲୁଚିସ୍ତାନ ଉପରେ ବୋମାମାଡ କରିଥିଲା ।
ପାକିସ୍ତାନ ଭୂଭାଗର ୪୬ ପ୍ରତିଶତ !
ବଲୁଚିସ୍ତାନ ପାକିସ୍ତାନ ଭୂଭାଗର ୪୬ ପ୍ରତିଶତ । କିନ୍ତୁ ପାକିସ୍ତାନ ଜନସଂଖ୍ୟାର ମାତ୍ର ୬ ପ୍ରତିଶତ ହେଉଛନ୍ତି ବଲୁଚି । ବଲୁଚିସ୍ତାନରେ ପ୍ରଚୁର ଖଣିଜ ସମ୍ପଦ ଓ ଗ୍ୟାସ ରହିଛି । ବଲୁଚଙ୍କ ଅଭିଯୋଗ ଯେ,ପାକିସ୍ତାନୀ ପଂଜାବୀ ବଲୁଚିସ୍ତାନର ଖଣିଜ ଲୁଟ୍ କରୁଛନ୍ତି । ଚୀନକୁ ସେଠାରେ ବିଭିନ୍ନ ପ୍ରୋଜେକ୍ଟ ପାଇଁ ପାକିସ୍ତାନ ଅନୁମତି ଦେଇଛି । ଯାହାକୁ ବିରୋଧ କରି ମଝିରେ ମଝିରେ ବଲୁଚ୍ ବିଦ୍ରୋହୀ ଚୀନ୍ ପ୍ରୋଜେକ୍ଟ ଉପରେ ଆକ୍ରମଣ କରୁଛନ୍ତି ।
ମୋଦି ବଲୁଚିସ୍ତାନ୍ କଥା ଉଠାଇଛନ୍ତି
ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ଚେକ୍ ମେଟ୍ କରିବାକୁ ୨୦୧୫ରେ ମୋଦି ବଲୁଚିସ୍ତାନ ପ୍ରସଙ୍ଗ ଉଠାଇଥିଲେ । ବଲୁଚିସ୍ତାନ୍ ନେତା ସ୍ୱାଧିନତା ପାଇଁ ଭାରତର ସହଯୋଗ ଚାହାନ୍ତି । କୁହାଯାଏ ଯେ, ୧୯୮୦ ଦଶକରେ ଇନ୍ଦିରା ଗାନ୍ଧୀ ବଲୁଚିସ୍ତାନ ବିଦ୍ରୋହୀଙ୍କୁ ଖୋଲା ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ପରବର୍ତ୍ତି କାଳରେ ଓହରି ଯାଇଥିଲେ । ସେତେବେଳେ ଭାରତରେ ବଲୁଚ୍ ବିଦ୍ରୋହୀଙ୍କୁ ଟ୍ରେନିଂ ଦିଆଯାଉଥିଲା ବୋଲି କୁହାଯାଏ ।