ଗାେମାଂସରେ ରୋକ୍‌ ଲଗାଇବାକୁ କାହିଁକି ଦାବି କରୁଛି ଅକ୍ସଫୋର୍ଡ ୟୁନିଭର୍ସିଟିର ଛାତ୍ର ସଙ୍ଗଠନ?

1 min read

ବ୍ରିଟେନ:  ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ କ୍ୟାଣ୍ଟିନରେ ଗୋମାଂସ ଏବଂ ବିଭିନ୍ନ ଲାଲ ମାଂସ ଆଦି ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି । ଏହାକୁ ଭୋଟ ମାଧ୍ୟମରେ ସମର୍ଥନ କରିଛନ୍ତି ୟୁନିଭର୍ସିଟିର ଦୁଇ-ତୃତୀୟାଂଶ ଛାତ୍ରଛାତ୍ରୀ । ଏହାଦ୍ୱାରା ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି ।
ଚଳିତ ଦିନ ମାନଙ୍କରେ ବ୍ରିଟେନର ଏକାଧିକ କଲେଜରେ ଶାକାହାରୀ ଖାଦ୍ୟ ପଦାର୍ଥକୁ ଏକପ୍ରକାର ଉତ୍ସାହିତ କରାଯାଉଛି । ଏହି ପଦକ୍ଷେପ କଲେଜ ପ୍ରଶାସନ ନେଇନାହିଁ ବରଂ ଭିନ୍ନ ଏକ ପରିବର୍ତ୍ତନ ଆଣିବା ପାଇଁ ଦୃଢବଦ୍ଧ ହୋଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନଜରରେ ରଖି ଏକ ବିକଳ୍ପକୁ ଚୟନ କରିଛନ୍ତି । ଏହି କ୍ୟାମ୍ପେନରେ ସାମିଲ ରହିଛି ଲଣ୍ଡନ ୟୁନିଭର୍ସିଟି, କେମ୍ବ୍ରିଜ ୟୁନିଭର୍ସିଟି ଏବଂ ଗୋଲ୍ଡସ୍ମିଥ ୟୁନିଭର୍ସିଟି ଆଦି । ଏମାନଙ୍କ ସହିତ ସାମିଲ ହୋଇଛି ଅକ୍ସଫୋର୍ଡ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ୟୁନିଅନ୍ ।

ଗୋ-ମାଂସ କିମ୍ବା ଲାଲ ମାଂସ ଭକ୍ଷଣ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ଘଟୁଛି, ଆଉ ତା ସାଙ୍ଗକୁ ଗ୍ଲୋବାଲ ଓ୍ୱାର୍ମିଂ ଭଳି ସମସ୍ୟା । ଯଦି ବିଫ୍ ବ୍ୟାନ ଭଳି ପଦକ୍ଷେପ ନିଆଯାଏ ତେବେ ଏକ ବିରାଟ ଧରଣର ପରିବର୍ତ୍ତନ ଆସିବ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯେଉଁ କ୍ୟାମ୍ପେନରେ ସାମିଲ ହୋଇଛନ୍ତି ୨୨ ହଜାରରୁ ଅଧିକ ଛାତ୍ରଛାତ୍ରୀ । ରିପୋର୍ଟ ଅନୁସାରେ ଉକ୍ତ ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟ ମ୍ୟାନେଜମେଣ୍ଟକୁ ପଠାଇଛି ଷ୍ଟୁଡେଣ୍ଟ ୟୁନିଅନ୍ ।  ପରିବେଶ ବିଶେଷଜ୍ଞମାନଙ୍କ ମତରେ ମାଂସ ଯୋଗାଣ ପାଇଁ ଅଧିକରୁ ଅଧିକ ଗୋରୁ ପାଳିବା ଏବଂ ଯାହା ଫଳରେ ସେମାନଙ୍କ ଠାରୁ ବହୁ ପରିମାଣର ଗ୍ରୀନ୍ ହାଉସ୍ ଗ୍ୟାସ୍ ବାହାରିଥାଏ । ଯେଉଁ ଗ୍ୟାସ୍ କି ସୂର୍ଯ୍ୟର ଉତ୍ତାପକୁ ଅବଶୋଷଣ କରିବା ସହ ପୃଥିବୀକୁ କ୍ରମାଗତ ଭାବେ ଗରମ କରିଥାଏ ।

ଆକଳନ ଅନୁଯାୟୀ ପୃଥିବୀର ମୋଟ ଗ୍ରୀନ୍ ହାଉସ୍ ଗ୍ୟାସର ୧୪ ପ୍ରତିଶତ ଗାଈ, ବଳଦ, ଷଣ୍ଢ ଏବଂ ମେଣ୍ଢା ଭଳି ଗୃହପାଳିତ ପଶୁମାନଙ୍କଠାରୁ ନିର୍ଗତ ହୁଏ। ଏହାବ୍ୟତୀତ ଗୋମାଂସ ଉତ୍ପାଦନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ବହୁ ପରିମାଣର ଜଳ ମଧ୍ୟ ଆବଶ୍ୟକ ହୋଇଥାଏ ।| ଯେପରିକି ଗାଈ ପାଇଁ ଏକ ଟନ୍ ଚାରା ପ୍ରସ୍ତୁତ କରିବା ଲାଗି ହାରାହାରି ୧,୬୨,୫୯,୦୦୦ ଲିଟର ପାଣି ଆବଶ୍ୟକ ପଡିଥାଏ । ଏହାକୁ ନଜର କଲେ ଜାଣିପାରିବେଯେ, ଯଦି ଆପଣ ଅଧା ପରିମାଣର ମାଂସ ଖାଆନ୍ତି, ତାହେଲେ ଆପଣ ସମ ପରିମାଣର ଜଳ ମଧ୍ୟ ବ୍ୟବହାର କରୁଛନ୍ତି । ତେଣୁ ବିଫ୍ ବ୍ୟାନ ହେଲେ ଏକପ୍ରକାର ଜଳ ସଂରକ୍ଷଣ ହୋଇ ପାରିବ ।

ଜୀବମାନଙ୍କ ଠାରୁ ମିଳୁଥିବା ମାଂସ, ଅଣ୍ଡା ଏବଂ କ୍ଷୀର ପରି ଖାଦ୍ୟ ପଦାର୍ଥ ବିଶ୍ୱ ପ୍ରୋଟିନ୍ ଯୋଗାଣର ମାତ୍ର ୩୭ ପ୍ରତିଶତ ହୋଇଥାଏ । ଏହାର ଅର୍ଥ ବାକି ଅଂଶ ଶାକାହାରୀ ଖାଦ୍ୟ ଦ୍ୱାରା ପୂର୍ଣ୍ଣ ହୋଇଥାଏ । ୟୁଏସ୍ ଡାଏଟାରୀ ଗାଇଡଲାଇନ ଆଡଭାଇଜରି କମିଟିର ସଦସ୍ୟ ଲିଣ୍ଡା ୱାନ୍ ହର୍ନ କୁହନ୍ତି, ମାଂସାହାରୀ ଖାଦ୍ୟପଦାର୍ଥ ବଦଳରେ ଉଦ୍ଭିଦ ଜାତୀୟ ଖାଦ୍ୟପଦାର୍ଥ ଗ୍ରହଣ କରିବା ଉଚିତ୍। ମାଂସରୁ ଯେତିକି ପରିମାଣର ପ୍ରୋଟିନ୍ ମିଳେ ସମ ପରିମାଣର ପ୍ରୋଟିନ୍ ଶୁଖିଲା ଫଳ, ବାଦାମ, ଛେନା, ବିନ୍ସ ଏବଂ ମଟର ଆଦି ଜିନିଷରୁ ମଧ୍ୟ ମିଳିଥାଏ ।

ଫ୍ରେଣ୍ଡସ୍ ଅନ୍ ଆର୍ଥ ସଙ୍ଗଠନର କହିବା ଅନୁସାରେ ବିଶ୍ୱରେ 50 କୋଟି ଲୋକ ସଂପୂର୍ଣ୍ଣ ଶାକାହାରୀ ହୋଇଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନକୁ ନେଇ କ’ଣ ନିଷ୍ପତ୍ତି ନେଉଛି ପରିଚାଳନା କମିଟି ତାହା ଉପରେ ସମସ୍ତଙ୍କର ନଜର ରହିବ ।

Leave a Reply