ଚାଷୀଙ୍କୁ ପର କରୁଛି ପିଆଜ, ମଧ୍ୟସ୍ଥି ମାଲାମାଲ୍

1 min read

ଭୁବନେଶ୍ୱର: ଆପଣ କିଣୁଥିବା ପିଆଜର ଦାମ୍‌ ୧୫ ଟଙ୍କା, ହେଲେ ଆପଣ ତା’କୁ ୭୦ ଟଙ୍କାରେ କିଣୁଛନ୍ତି । କିଏ ବଢ଼ାଇଲା ପିଆଜର ଦର ? କାହା ନିୟନ୍ତ୍ରଣରେ ପିଆଜ ? ପିଆଜ, ଟମାଟୋ, ଆଳୁ ସହ ସବୁ ପନିପରିବା ଦର ଏବେ ଆକାଶ ଛୁଆଁ । ମହଙ୍ଗା ମାଡ଼ରେ ବିଗିଡ଼ି ଯାଇଛି ରୋଷେଇ ଘରର ବଜେଟ୍‌ । ବିଶେଷ କରି ପିଆଜ ଏବଂ ଟମାଟୋ ଦାମକୁ ଭାରତ ସରକାର ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ଦର ନିୟନ୍ତ୍ରଣ ହେଉନାହିଁ । ପ୍ରମୁଖ ସହରମାନଙ୍କରେ ପିଆଜ କିଲୋ ପ୍ରତି ୭୦ ଟଙ୍କାରୁ ୮୦ ଟଙ୍କାରେ ମିଳୁଥିବା ବେଳେ ଟମାଟୋର ଦାମ କିଲୋ ପ୍ରତି ୬୦ ଟଙ୍କାରୁ ୭୦ ଟଙ୍କାରେ ବିକ୍ରି ହେଉଛି । ପ୍ରଶ୍ନ ଉଠୁଛି ଦରବୃଦ୍ଧିରୁ ଚାଷୀକୁ ଫାଇଦା ମିଳୁଛି କି ?ଚାଷୀ କେତେ ଟଙ୍କାରେ ବିକିଥାଏ ପିଆଜ ?
୭୦ ଟଙ୍କାରେ ଆପଣ କିଣୁଥିବା ପିଆଜ ଚାଷୀ ୧୨ରୁ ୧୫ ଟଙ୍କାରେ ବିକି ଥାଏ । ଚାଷୀ ଯେତେ ଟଙ୍କାରେ ପନିପରିବା ବିକେ ତାର ପାଞ୍ଚରୁ ଛଅ ଗୁଣ ଅଧିକ ଦାମରେ ଉପଭୋକ୍ତା କିଣିଥାନ୍ତି । ତେବେ. କେମିତି ଦାମ ଏତେ ବଢ଼େ ? ବ୍ୟବସାୟୀ ସଂଘର ସଭାପତି ତଥା ମାର୍କେଟ ବିଶେଷଜ୍ଞ ସୁଧାକାର ପଣ୍ଡା କୁହନ୍ତି, ଏସବୁ ଭିତରେ ସବୁଠାରୁ ଅଧିକ ପଇସା କମାନ୍ତି ମିଡିଲ ମ୍ୟାନ୍‌ ଅର୍ଥାତ୍ ମଧ୍ୟସ୍ଥି । ଆଗକୁ ଯଦି ସରକାର ଏହାକୁ ନିୟନ୍ତ୍ରଣ ନ କରନ୍ତି ତେବେ ସମସ୍ତ ପନିପରିବାର ଦାମ ଏପରି ହୁ ହୁ ହୋଇ ବଢିବ ।୧୫ ଟଙ୍କାର ପିଆଜ କିପରି ହୁଏ ୭୦ ଟଙ୍କା ?
ଦେଶରେ ମହାରାଷ୍ଟ୍ରରେ ଅଧିକ ପିଆଜ ଉତ୍ପାଦନ ହୋଇଥାଏ । ପିଆଜ ଏକ ଏପରି ଫସଲ ଯାହାକୁ ନେଇ ଚାଷୀ ଏବଂ ବ୍ୟବସାୟୀ ମଧ୍ୟରେ ସଉଦା ହୋଇଥାଏ । ଏ ମୂଲଚାଲ କରିଥାନ୍ତି ମିଡିଲ ମ୍ୟାନ୍‌ ବ୍ୟବସାୟୀ । ଚାଷ ପୂର୍ବରୁ ଚାଷୀର ଜମି ନେଇ ଭାଗବଣ୍ଟା ଛିଡ଼ିଥାଏ । ଜମିରେ ପିଆଜ ୧୨ରୁ ୧୫ ଟଙ୍କା କିଲୋ ହିସାବରେ ଚାଷୀଙ୍କ ଠାରୁ କିଣାଯାଏ । ମିଡିଲ ମ୍ୟାନ୍‌ ବ୍ୟବସାୟୀ ସେହି ଜମିର ଦେଖାଚାହାଁ ଦାୟିତ୍ୱ ମଧ୍ୟ ଚାଷୀକୁ ଦେଇଥାନ୍ତି । ପିଆଜ ଫସଲ ଉତ୍ପାଦନ ହେବା ସମୟରେ ବ୍ୟବସାୟୀ ପିଆଜର ଦର ନାସିକରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଛୋଟବଡ଼ ସହରରେ ନିୟନ୍ତ୍ରଣ କରନ୍ତି । ଭଲ ପିଆଜ ଯାହାକୁ ଚାଷୀ ୧୫ ଟଙ୍କାରେ ବିକନ୍ତି, ଆମେ ସେହି ପିଆଜକୁ କିଲୋ ପିଛା ୭୦ ଟଙ୍କାରେ କିଣିଥାଉ ।ଆମ ରାଜ୍ୟରେ ୪.୫ ଲକ୍ଷ ଟନ୍‌ ପିଆଜର ଆବଶ୍ୟକତା ରହିଛି । ନାସିକ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ରାଜ୍ୟରୁ ୩ ଲକ୍ଷ ଟନ ପିଆଜ ରାଜ୍ୟକୁ ଆମଦାନୀ କରାଯାଏ । ପିଆଜର ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବା ଉଚିତ୍ । ଉତ୍ପାଦିତ ପିଆଜକୁ ରଖିବା ପାଇଁ ଶୀତଳ ଭଣ୍ଡାର ଅଧିକରୁ ଅଧିକ ନିର୍ମାଣ କରାଗଲେ ନିଆଣ୍ଟିଆ ସମୟରେ ଦରବୃଦ୍ଧିକୁ ରୋକାଯାଇ ପାରିବ । ଏଥିସହ ଚାଷୀ, ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ')}

Leave a Reply