ଆମେରିକାରେ ସୋରିଷ ତେଲ ବ୍ୟାନ୍, ଜାଣନ୍ତୁ କାହିଁକି…

ୱାଶିଂଟନ୍: ଦେଶରେ ଇନ୍ଧନ ଠାରୁ ଆରମ୍ଭ କରି ଖାଇବା ତୈଳ ପର୍ଯ୍ୟନ୍ତ ପ୍ରତ୍ୟେକଟି ଜିନିଷର ତୈଳବୃଦ୍ଧି ଖାଉଟିଙ୍କୁ ସମସ୍ୟାରେ ପକାଇଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ପକେଟ୍ ଉପରେ। ଇନ୍ଧନ ଦର ଦୈନିକ ବଢ଼ୁଥିବା ବେଳେ ଖାଇବା ତେଲର ଦର ବୃଦ୍ଧି ଗୃହିଣୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ବଜାରରେ ଏବେ ସୋରିଷ ତେଲ ଲିଟର ପିଛା ରହିଛି ପ୍ରାୟ ୨୨୫ ଟଙ୍କା । ଯାହା ଚଳିତ ବର୍ଷ ଆରମ୍ଭରେ ଲିଟର ପିଛା ୧୩୦ରୁ ୧୪୦ ଟଙ୍କା ଥିଲା । ଅବଶ୍ୟ ଗତ କିଛି ଦିନ ହେବ ସୋରିଷ ତେଳକୁ ଛାଡ଼ି ଅନ୍ୟ ସମସ୍ତ ତେଲର ଦରବୃଦ୍ଧିରେ ସାମାନ୍ୟ ଆଶ୍ୱସ୍ତି ଦେଖିବାକୁ ମିଳିଛି । ତେବେ ଏହି ସୋରିଷ ତେଲ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆଜି ଆମେ ଆପଣଙ୍କ ସହିତ ଶେୟାର କରିବୁ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେଉଁ ସୋରିଷ ତେଲକୁ ଭାରତରେ ବହୁଳ ବ୍ୟବହାର କରାଯାଏ, ତାହା ଉପରେ ଆମେରିକାରେ ପ୍ରତିବନ୍ଧକ ଲାଗିଛି ।
ଆମେରିକାରେ ଯଦି ଆପଣ ସୋରିଷ ତେଲ କିଣିବେ, ତେବେ ତାହା ଉପରେ ଆପଣଙ୍କୁ ଏହା ଲେଖା ଥିବାର ଦେଖିବାକୁ ମିଳିବଯେ, ଏହା କେବଳ ଏକ୍ସଟର୍ନାଲ ବ୍ୟବହାର ପାଇଁ । ଅର୍ଥାତ୍ ସେଠାରେ କେବଳ ଏହି ତେଲକୁ ବସାଜ କରିବା ପାଇଁ ବ୍ୟବହାର କରାଯାଏ । ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ସ ଆଡମିନଷ୍ଟ୍ରେସନ ସୋରିଷ ତେଲକୁ ଏକ ଖାଦ୍ୟ ତେଲ ଭାବରେ ବ୍ୟବହାର କରିବା ଉପରେ ରୋକ ଲଗାଇଛନ୍ତି । ଆଡମିନଷ୍ଟ୍ରେସନଙ୍କ ଅନୁସାରେ ସୋରିଷ ତେଲର ବ୍ୟବହାର ଶରୀର ପାଇଁ ହାନିକାରକ ।
ବାସ୍ତବରେ ସୋରିଷ ତେଲରେ ପ୍ରଚୁର ମାତ୍ରାରେ ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ ରହିଛି । ଏହା ସତଯେ ଏହା ଶରୀର ମଧ୍ୟରୁ ଖରାପ କୋଲେଷ୍ଟ୍ରଲକୁ ବାହାର କରିଦିଏ । କିନ୍ତୁ ଏଫଡିଏ ଅନୁସାରେ ୟୁରିସିକ୍ ଏସିଡର ବହୁଳ ବ୍ୟବହାର ମଣିଷ ଶରୀର ପାଇଁ କ୍ଷତିକାରକ । ସୋରିଷ ତେଲରେ ୨୦ରୁ ୪୦ ପ୍ରତିଶତ ୟୁରିସିକ୍ ଏସିଡ୍ ଥାଏ । ପଶୁ ଦେହରେ ଏହାକୁ ନେଇ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲାଯେ, ଏହା ଶରୀରର ପୋଷକ ତତ୍ତ୍ୱକୁ କମ୍ କରିଦିଏ । ଏହାଦ୍ୱାରା ହୃତପିଣ୍ଡକୁ କ୍ଷତି ପହଞ୍ଚାଇଥାଏ ।
ଭାରତ ବ୍ୟତୀତ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ବାଂଲାଦେଶରେ ବହୁଳ ମାତ୍ରାରେ ସୋରିଷ ତେଲ ବ୍ୟବହାର ହୁଏ । ଭାରତ ସରକାର ଚଳିତ ବର୍ଷ ୮ ଜୁନରେ ସୋରିଷ ତେଲରେ କୌଣସି ପ୍ରକାରର ଭେଜାଲ ମିଶାଇବା ଉପରେ ରୋକ ଲଗାଇଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ସୋରିଷ ତେଲରେ ପାମ୍ ଏବଂ ରାଇସ ବ୍ରାନ ଅଏଲ ବ୍ୟବହାର ହେଉଥିଲା । ତେବେ ୧୯୯୦ରେ ସରକାର ସୋରିଷ ତେଲରେ ଅନ୍ୟ ତେଲ ମିଶାଇବାକୁ ଅନୁମତି ଦେଇଥିଲେ ।