ଉତ୍ତରାଖଣ୍ଡ ଲୋକଙ୍କ ପାଇଁ ମୁଲାୟମ ସିଂ ଯାଦବ ଖଳନାୟକ କାହିଁକି ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ । ଉଭୟ ରାଜ୍ୟରେ ବିଜେପିକୁ କ୍ଷମତାରୁ ହଟାଇବା ଲକ୍ଷ୍ୟରେ ସାମାଜବାଦୀ ପାର୍ଟି । ଉତ୍ତରାଖଣ୍ଡରେ ଯେବେ ଯେବେ ନିର୍ବାଚନ ହୁଏ ଚର୍ଚ୍ଚାକୁ ଆସିଥାନ୍ତି ମୁଲାୟମ ସିଂ ଯାଦବ । ଭଲ କାମ ପାଇଁ ନୁହେଁ, କାରଣ ଅଲଗା । ଯାହା ରାଜ୍ୟବାସୀଙ୍କ ମନରେ ମୁଳାୟମ ଓ ସପା ପାଇଁ ଭରିଛି ଘୃଣାର ପାହାଡ । ତେବେ କାହିଁକି ଏହି ପାହାଡୀ ରାଜ୍ୟର ଲୋକଙ୍କ ମନରେ ମୁଲାୟମଙ୍କୁ ନେଇ ଏତେ ଘୃଣା ? ମୁଲାୟମ ରାଜ୍ୟବାସୀଙ୍କ ସହ ଏମିତି କ’ଣ କରିଛନ୍ତି ଓ କହିଛନ୍ତି ଯେ ଲୋକେ ତାଙ୍କୁ ଖଳନାୟକ ରୂପରେ ଦେଖିଥାନ୍ତି ? ଉତ୍ତରାଖଣ୍ଡ ନିର୍ବାଚନକୁ ନେଇ ବିଶେଷ ଉପସ୍ଥାପନା ‘ନାୟକ ନେହିଁ, ଖଲନାୟକ…’ ।

ସୂଚନାଯୋଗ୍ୟ ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେଉଛି । ଆମ ଆଦମୀ ପାର୍ଟି ମଧ୍ୟ ପୂରା ବଳ ଲଗାଇ ଦେଇଛି । ଏହାବାଦ ସପା ଓ ବସପା ମଧ୍ୟ ଏହି ପାହାଡୀ ରାଜ୍ୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ବାସପା ତ ଏଠାରେ କିଛି ଆସନରେ ଜିତିବାକୁ ସକ୍ଷମ ହେଉଛି । ହେଲେ ସପା ପାଇଁ ଉତ୍ତରାଖଣ୍ଡ ଏବେ ବି ବହୁତ ଦୂର । ରାଜ୍ୟର ୨୭ ବର୍ଷର ଇତିହାସରେ ଏହି ଦଳ ବିଧାନସଭା ନିର୍ବାଚନରେ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ । ପ୍ରତିଥର ନିର୍ବାଚନରେ ସପାକୁ ମାଟି କାମୁଡ଼ିବାକୁ ପଡିଛି ।

ମୁଲାୟମ ସିଂ ସମାଜବାଦୀ ପାର୍ଟିର ମୂଳଦୁଆ ପକାଇବା ପରେ ଦଳର ପ୍ରଥମ ସମ୍ମିଳନୀ ଉତ୍ତରାଖଣ୍ଡର ନୈନିତାଲରେ କରିଥିଲେ । ଏହାପରେ ବି ରାଜ୍ୟ ପ୍ରତିଷ୍ଠାର ଦୁଇ ଦଶକ ପରେ ମଧ୍ୟ ରାଜ୍ୟବାସୀ ସପାକୁ ଗ୍ରହଣ କରୁନାହାନ୍ତି କାହିଁକି ?

କାହିଁକି ମୁଲାୟମଙ୍କ ପ୍ରତି ଏତେ ଘୃଣା ?

ସପା ପ୍ରତି ରାଜ୍ୟବାସୀଙ୍କ ଏହି ଘୃଣା ୨୭ ବର୍ଷ ପୁରୁଣା । ଏହା ରାମପୁର ତିରାହା କାଣ୍ଡ ସହ ଜଡିତ । ଯାହାକୁ ନେଇ ଆଜି ବି ସପାକୁ ରାଜ୍ୟବାସୀ ଗ୍ରହଣ କରୁନାହାନ୍ତି ।

ମୁଲାୟମ ଖଳନାୟକ କାହିଁକି ?

୧୯୯୪ ମସିହା ସେପ୍ଟେମ୍ବର ଓ ଅକ୍ଟୋବର ମାସ ଘଟଣା । ମସୁରୀ ଓ ରାମପୁର ତିରାହାରେ ସଂଘଟିତ ବର୍ବରତା ଆଜି ବି ଭୁଲି ନାହାନ୍ତି ରାଜ୍ୟବାସୀ । ସେହି ରାତିରେ ଉତ୍ତରାଖଣ୍ଡର ନିରୀହ ପୁରୁଷଙ୍କ ଜୀବନ ଯାଇଥିବା ବେଳେ ମହିଳାଙ୍କ ଉପରେ ସୀମା ଲଙ୍ଘିଥିଲା ନିର୍ଯାତନା । ଘଟଣାକୁ ୨୭ ବର୍ଷ ବିତି ଗଲାଣି ସତ ହେଲେ ରାଜ୍ୟବାସୀଙ୍କ ହୃଦୟରେ ହୋଇଥିବା କ୍ଷତ ଆଜି ସତେଜ ଅଛି । ଏହା ହିଁ କାରଣ ରାଜ୍ୟବାସୀ ମୁଲାୟମଙ୍କୁ ନିଜର ପରମ ଶତ୍ରୁ ଭାବିଥାନ୍ତି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ଉତ୍ତରପ୍ରଦେଶରୁ ଅଲଗା ହେବା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ମୁଲାୟମ ସିଂ ଯାଦବ । ଜଳ, ଜଙ୍ଗଳ, ଜମି ଓ ପାହାଡରୁ ପଳାୟନ ପ୍ରସଙ୍ଗକୁ ନେଇ ଉତ୍ତରାଖଣ୍ଡକୁ ଅଲଗା ରାଜ୍ୟ କରିବାର ଦାବି ଜୋରରେ ଥିଲା । ସଡ଼କରେ ବିକ୍ଷୋଭ, ଶୋଭାଯାତ୍ରା ପ୍ରଦର୍ଶନ ବହୁତ ଚାଲିଥିଲା । ଯାହା ମୁଲାୟମ ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟି ଥିଲା । ରାଜ୍ୟ ପୋଲିସ ସ୍ଥିତି ସାମାନ୍ୟ କରିବାରେ ଲାଗିଥିଲେ । ଏହି ସମୟରେ ମୁଲାୟମ ପ୍ରଦର୍ଶନକାରୀଙ୍କ ଉପରେ ଶକ୍ତି ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦୁଇ ସେପ୍ଟେମ୍ବରର କାଳରାତି

ଦୁଇ ସେପ୍ଟେମ୍ବରକୁ ମସୁରୀ ହତ୍ୟାରେ ୬ ଆନ୍ଦୋଳନକାରୀଙ୍କ ଜୀବନ ଯାଇଥିଲା । ସେତେବେଳେ ରାଜ୍ୟ ଆନ୍ଦୋଳନ ସଂଘର୍ଷ ସମିତି ନେତୃତ୍ବରେ ପ୍ରଦର୍ଶନ କରାଯାଉଥିଲା । ୧ ସେପ୍ଟେମ୍ବରରେ ଖଟିମାରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଗୁଳି ଚଲାଇଥିଲା । ସେହି ରାତିରେ ସଂଘର୍ଷ ସମିତି ଝୁଲାଘର ସ୍ଥିତ ପୋଲିସ କାର୍ଯ୍ୟାଳନକୁ ନିଜ ନିୟନ୍ତ୍ରଣକୁ ନେଇ ଧାରଣାରେ ବସିଥିଲେ । ପୋଲିସ ୫ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ଏହାର ବିରୋଧରେ ୨ ସେପ୍ଟେମ୍ବର ଅନ୍ୟ ଆନ୍ଦୋଳନକାରୀ ଝୁଲାଘରରେ ପହଞ୍ଚି ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ହେଲେ ରାତିରେ ସେଠାରେ ମୁତୟନ ପୋଲିସ କର୍ମୀ କୌଣସି ଚେତାବନୀ ନଦେଇ ମଉନ ବ୍ରତ ଶୋଭାଯାତ୍ରା ଉପରେ ଆଖିବୁଜା ଗୁଳି ଚଲାଇବା ଆରମ୍ଭ କରି ଦେଇଥିଲେ । ଏଥିରେ ୬ ଜଣ ଆନ୍ଦୋଳନକାରୀଙ୍କ ଜୀବନ ଚାଲି ଯାଇଥିଲା ଓ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିଲା ।

ଏକ ଅକ୍ଟୋବର ନର ସଂହାର

ଅକ୍ଟୋବର ପହିଲଶ ରାତିରେ ରାଜ୍ୟ ସରକାର ନିର୍ଦ୍ଦେଶରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିଲା ଆଉ ଏକ ରକ୍ତାକ୍ତ ଆକ୍ରମଣ । ରାମପୁର ତିହାରାରେ ଆନ୍ଦୋଳନକାରୀଙ୍କ ଉପରେ ଆଖି ବୁଜା ଗିଳି ଚଲାଇ ଥିଲେ ସୁରକ୍ଷାରେ ନିୟୋଜିତ ପୋଲିସ କର୍ମଚାରୀ । ଏଥିରେ ୭ ଜଣ ଆନ୍ଦୋଳନକାରୀଙ୍କ ଜୀବନ ଯାଇଥିଲା ଓ ବହୁ ଲୋକ ଆହତ ହୋଇଥିଲେ । ଘଟଣାର କିଛି ବର୍ଷ ପରେ କିଛି ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଉତ୍ତରାଖଣ୍ଡ ଲୋକେ ଏମିତି ନ୍ୟାୟ ମିଳିବ ବୋଲି କେବେ ଭାବି ନଥିଲେ ।

ଏହି ଦୁଇଟି ଘଟଣା ଉତ୍ତରାଖଣ୍ଡର ଲୋକଙ୍କ ମନରେ ମୁଲାୟମଙ୍କ ପ୍ରତି ଘୃଣା ଭରି ଦେଇଥିଲା । ଯାହା ଏବେ ବି ସେମିତି ରହିଛି ଓ ମୁଲାୟମଙ୍କ ପରେ ଅଖିଳେଶ ଦଳର ନେତୃତ୍ବ ନେବା ପରେ ବି ଲୋକଙ୍କ ମନରୁ ଏହାକୁ ହଟାଇ ପାରିନାହାନ୍ତି ।

ମୁଲାୟମଙ୍କ ବିବାଦୀୟ ବୟାନ

ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମଙ୍କ ନିର୍ଦ୍ଦେଶରେ ପୋଲିସ ନରସଂହାର ଚଲାଇଥିବା ବେଳେ ମୁଲାୟମ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟନା ଦେବାରେ ଲାଗିଥିଲେ । ଏମିତି ଏକ ବହୁ ଚର୍ଚ୍ଚିତ ବୟାନରେ ମୁଲାୟମ ସବୁ ସୀମା ଟପି ଯାଇଥିଲେ । ଏଥିରେ ସେ କହିଥିଲେ, ‘ମୁଁ ସେମାନଙ୍କ ଚିନ୍ତା କାହିଁକି କରିବି ? ସେମାନେ କ’ଣ ମୋତେ ଭୋଟ ଦେଇଥିଲେ ?

ଏହି ବୟାନ ହିଁ ଯଥେଷ୍ଟ ଥିଲା ଉତ୍ତରାଖଣ୍ଡର ଲୋକଙ୍କ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଚିନ୍ତା କରୁନାହାନ୍ତି ।  ନରସଂହାର ଓ ମୁଲାୟମଙ୍କ ବୟାନ ପାଇଁ ଆଜି ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ସମାଜବାଦୀ ପାର୍ଟି ପାଦ ମଜବୁଦ କରିପାରିନି । ପ୍ରତି ନିର୍ବାଚନରେ ଦଳ ପ୍ରାର୍ଥୀ ଦେଉଛି ଓ ରାଜ୍ୟବାସୀ ସାଇକେଲିଆ ଦଳକୁ ପ୍ରତ୍ୟାଖାନ କରି ଚାଲିଛନ୍ତି ।

Leave a Reply