ଦୁନିଆରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ

1 min read

ନନ୍ଦିଘୋଷ ବ୍ୟୁରୋ : ଦୁନିଆରେ ଅଧିକ ସଂଖ୍ୟାରେ ପୁରୁଷ ଆତ୍ମହତ୍ୟା କରୁଛନ୍ତି । WHOର ସୂଚନା ଅନୁସାରେ , ଦୁନିଆରେ ଲକ୍ଷେ ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟା କରୁଥିବା ପୁରୁଷଙ୍କ ହାର ୧୨.୬ ରହିଥିବା ବେଳେ ଲକ୍ଷେ ମହିଳାଙ୍କ ମଧ୍ୟରେ ହାର  ୫.୪ ରହିଛି । NCRBର ୨୦୨୨ ମସିହାର ରିପୋର୍ଟ ଅନୁଯାୟୀ,  ଅତ୍ମହତ୍ୟା କରୁଥିବା ଲୋକଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ରହିଛି । ଏହା ପରେ ୧୮ରୁ ୩୦ ଓ ୪୫ରୁ ୬୦ ବର୍ଷର ଲୋକ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି ।

ବେଙ୍ଗାଲୁରୁର ଏକ କମ୍ପାନୀରେ ଏଆଇ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିବା ଅତୁଲ ସୁଭାଷ ମୋଦୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ପ୍ରାୟ୧ ଘଣ୍ଟା ୨୦ ମିନିଟର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ୨୪ ପୃଷ୍ଠାର ଏକ ଆତ୍ମହତ୍ୟା ନୋଟ୍ ମଧ୍ୟ ଲେଖାଯାଇଛି । ଏଥିରେ ସେ ତାଙ୍କ ପତ୍ନୀ ନିକିତା ସିଙ୍ଗାନିଆ ଏବଂ ତାଙ୍କ ପରିବାରକୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ।

ଆତ୍ମହତ୍ୟା ନୋଟରେ ଅତୁଲ କହିଛନ୍ତି ଯେ ନିକିତା ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ବିରୋଧରେ ଘରୋଇ ହିଂସା, ହତ୍ୟା ଉଦ୍ୟମ, ଯୌତୁକ ନିର୍ଯାତନା ଭଳି ୯ଟି ମାମଲା ଦାୟର କରିଛନ୍ତି । ୨୦୧୯ରେ ଅତୁଲ ଏବଂ ନିକିତା ବିବାହ କରିଥିଲେ। ଅତୁଲ କହିଛନ୍ତି ଯେ ବିବାହ ପରଠାରୁ ନିକିତା ଏବଂ ତାଙ୍କ ପରିବାର କିଛି ବାହାନା କରି ତାଙ୍କଠାରୁ ଟଙ୍କା ମାଗୁଥିଲେ । ଭିଡିଓରେ ଅତୁଲ କହୁଛନ୍ତି, ମୁଁ ଆତ୍ମହତ୍ୟା କରିବା ଉଚିତ କାରଣ ମୁଁ ଯେଉଁ ଟଙ୍କା ରୋଜଗାର କରୁଛି ତାହା ମୋର ଶତ୍ରୁମାନଙ୍କୁ ଅଧିକ ଶକ୍ତିଶାଳୀ କରୁଛି । ମୋ ଟ୍ୟାକ୍ସରୁ ମିଳିଥିବା ଟଙ୍କା ସହିତ କୋର୍ଟ ଏବଂ ପୋଲିସ ବ୍ୟବସ୍ଥା ମୋତେ, ମୋ ପରିବାର ଏବଂ ଭଲ ଲୋକଙ୍କୁ ହଇରାଣ କରିବ । ତେଣୁ ପଇସା ପଠାଇବା ଏଠାରୁ ବନ୍ଦ ହେବା ଉଚିତ ।ଏହି ଘଟଣାର ବିଷୟରେ କହିବାକୁ ଗଲେ, ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କ ଦ୍ବାରା ଅତୁଲଙ୍କ ବିରୋଧରେ ମିଥ୍ୟା ମାମଲା ଦାୟର କରାଯାଇଥିଲା । ଏହା ତାଙ୍କୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ କଲା । ଆତ୍ମହତ୍ୟା ଭଳି ଠୋସ୍ ପଦକ୍ଷେପ ନେବାରେ ଅତୁଲ ସୁଭାଷ ଏକା ନୁହଁନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରନ୍ତି  । ସାରା ବିଶ୍ୱରେ ଆତ୍ମହତ୍ୟା ହେଉଛି ତୃତୀୟ ପ୍ରମୁଖ କାରଣ  । କେବଳ ଭାରତରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି ।

ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି

ଯଦି ଆମେ NCRB ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ, ଆତ୍ମହତ୍ୟା କରୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ ଅଧିକ । ଦୁଇ ଦଶନ୍ଧିର ପରିସଂଖ୍ୟାନକୁ ଦେଖିଲେ, ଭାରତରେ ପ୍ରତି ୧୦ଟି ଆତ୍ମହତ୍ୟା ମଧ୍ୟରୁ ୬କିମ୍ବା୭ ଜଣ ପୁରୁଷ ଅଟନ୍ତି । ୨୦୦୧ ରୁ ୨୦୨୨ ମଧ୍ୟରେ, ପ୍ରତିବର୍ଷ ଆତ୍ମହତ୍ୟା କରୁଥିବା ମହିଳାଙ୍କ ସଂଖ୍ୟା ୪୦ ରୁ ୪୮ ହଜାର ମଧ୍ୟରେ ରହିଥିଲା। ଯେତେବେଳେ କି, ଆତ୍ମହତ୍ୟା କରୁଥିବା ପୁରୁଷଙ୍କ ସଂଖ୍ୟା ୬୬ ହଜାରରୁ ଏକ ଲକ୍ଷକୁ ବୃଦ୍ଧି ପାଇଛି । ୨୦୨୨ ମସିହାରେ ୧.୭୦ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରିଥିଲେ, ଯେଉଁଥିରୁ ୧.୨୨ ଲକ୍ଷରୁ ଅଧିକ ପୁରୁଷ ଥିଲେ । ଏହାର ଅର୍ଥ ହେଉଛି ପ୍ରତିଦିନ ହାରାହାରି ୩୩୬ ପୁରୁଷ ଆତ୍ମହତ୍ୟା କରନ୍ତି । ଏହି ରିପୋର୍ଟ ଅନୁଯାୟୀ, ସାଢେ ୪ ମିନିଟରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି ।

କେବଳ ଭାରତରେ ନୁହେଁ, ସାରା ବିଶ୍ୱରେପୁରୁଷମାନେ ଅଧିକ ଆତ୍ମହତ୍ୟା କରନ୍ତି । WHO ଅନୁଯାୟୀ, ବିଶ୍ବର ପ୍ରତି ଏକ ଲକ୍ଷ ପୁରୁଷଙ୍କ ମଧ୍ୟରୁ ୧୨.୬ ଜଣ ଆତ୍ମହତ୍ୟା କରନ୍ତି । ପ୍ରତ୍ୟେକ ଲକ୍ଷ ମହିଳାଙ୍କ ମଧ୍ୟରେ ୫.୪ ଅଟେ ।

NCRB ର ୨୦୨୨ ରିପୋର୍ଟରେ ଦର୍ଶାଯାଇଛି ଯେ, ୩୦ ରୁ ୪୫ ବର୍ଷ ବୟସର ଲୋକମାନେ ଆତ୍ମହତ୍ୟା କରିବାର ସମ୍ଭାବନା ଅଧିକ  । ଏହା ପରେ, ୧୮ ରୁ ୩୦ ବର୍ଷ ବୟସ ମଧ୍ୟରେ ଏବଂ ୪୫ ରୁ ୬୦ ବର୍ଷ ମଧ୍ୟରେ ଅଧିକ ବ୍ୟକ୍ତି ଆତ୍ମହତ୍ୟା କରନ୍ତି ।

ଗତ ବର୍ଷ ୩୦ ରୁ ୪୫ ବର୍ଷ ବୟସର ୫୪ ହଜାର ୩୫୧ ଲୋକ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ପ୍ରାୟ ୭୭ ପ୍ରତିଶତ ପୁରୁଷ ଥିଲେ। ସେହିଭଳି ୧୮ ରୁ ୩୦ ବର୍ଷ ବୟସର ୫୯ ହଜାର ୧୦୯ ଲୋକ ଆତ୍ମହତ୍ୟା କରିଛନ୍ତି । ଯେଉଁଥିରୁ ୬୫ ପ୍ରତିଶତ ପୁରୁଷ। ଏଥି ସହିତ, ୪୫ ରୁ୬୦ ବର୍ଷ ବୟସର ୩୧ ହଜାର ୯୨୧ ଜଣଙ୍କ ମଧ୍ୟରୁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୨ ପ୍ରତିଶତରୁ ଅଧିକ ପୁରୁଷ ଥିଲେ । ସମାନ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଆତ୍ମହତ୍ୟା କରୁଥିବା ଅଧିକାଂଶ ଲୋକ ବିବାହିତ। ଗତ ବର୍ଷ ୧ ଲକ୍ଷ ୧୪ ହଜାର ୪୮୫ ବିବାହିତ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୭୪ ପ୍ରତିଶତ ପୁରୁଷ ଥିଲେ।

ଆତ୍ମହତ୍ୟାର କାରଣ କ’ଣ?

ଆତ୍ମହତ୍ୟା କରିବାର ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ କାରଣ ରହିଛି  । ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଉଦାସୀନତା ଏବଂ ଚାପ ଯୋଗୁଁ ଆତ୍ମହତ୍ୟା ବଢୁଛି । ବେଳେବେଳେ ଏକ ମେଡିକାଲ କାରଣ ମଧ୍ୟ ଥାଏ । ଏହା ବ୍ୟତୀତ, ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ସମସ୍ୟାରୁ ମୁକ୍ତି ପାଇବ ନାହିଁ, ସେତେବେଳେ ସେ ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ ।

NCRB ନିଜ ରିପୋର୍ଟରେ ଆତ୍ମହତ୍ୟାର କାରଣ ବିଷୟରେ ମଧ୍ୟ କହିଛି । ଏହି ରିପୋର୍ଟ ଅନୁଯାୟୀ,  କରିବାରିକ ସମସ୍ୟା, ରୋଗ(ଏଡସ୍, କର୍କଟ ଇତ୍ୟାଦି) କାରଣରୁ ଲୋକମାନେ ପ୍ରାୟତଃ ଆତ୍ମହତ୍ୟା କରନ୍ତି । ଗତବର୍ଷ ପାରିବାରିକ ସମସ୍ୟା କରଣରୁ ୩୨ ପ୍ରତିଶତ  ଏବଂ ଅସୁସ୍ଥତା କାରଣରୁ ୧୯ ପ୍ରତିଶତ ଆତ୍ମହତ୍ୟା କରିଥିଲେ । ୨୦୨୨ ମସିହାରେ ବିବାହ ସମ୍ବନ୍ଦୀୟ ସମସ୍ୟା କରଣରୁ ୮ ହଜାର ୧୬୪ ଲୋକ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ୫୨ ପ୍ରତିଶତ ପୁରୁଷ ଥିଲେ ।

୨୦୨୧ ମସିହାରେ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷମାନେ ଅତ୍ମହତ୍ୟା କରନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାପଡିଲା ଯେ, ପୁରୁଷମାନଙ୍କୁ ପ୍ରାୟତଃ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ଏହି କାରଣରୁ ସେମାନେ ନିଜର ସମ୍ବେଦନଶୀଳ ଭାବନାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବାକୁ ସକ୍ଷମ ନୁହଁନ୍ତି । ତେଣୁ ଶେଷରେ ସେମାନେ କ୍ଲାନ୍ତ ହୋଇ ଆତ୍ମହତ୍ୟା କରନ୍ତି ।

୨୦୨୩ ପୁରୁଷମାନଙ୍କ ମଧ୍ୟରେ ଆତ୍ମହତ୍ୟାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାପଡିଛି ଯେ, ବେକାରୀ କାରଣରୁ ପୁରୁଷମାନଙ୍କ ଆତ୍ମହତ୍ୟା ଆଶଙ୍କା ବଢିଥାଏ । କାରଣ ସେମାନେ ଅନୁଭବ କରନ୍ତି ଯେ, ସମାଜ ଏବଂ ପରିବାର ସେମାନଙ୍କଠାରୁ ଯାହା ଆଶା କରନ୍ତି ତାହା ପୂରଣ କରିବାରେ ସେମାନେ ସକ୍ଷମ ନୁହଁନ୍ତି। ଏସବୁ ବ୍ୟତୀତ ମଦ୍ୟପାନ ଏବଂ ନିଶା ସେବନ ମଧ୍ୟ ପୁରୁଷମାନଙ୍କଠାରେ ଆତ୍ମହତ୍ୟା କରିବାର କାରଣ ବୋଲି ବିବେଚନା କରାଯାଏ, କାରଣ ମଦ୍ୟପାନ ଆତ୍ମହତ୍ୟା ବଢାଇଥାଏ ।

 ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ କି?

ଆତ୍ମହତ୍ୟା ଉଦ୍ୟମ ଅପରାଧ କି ନୁହେଁ ସେ ବିଷୟରେ ଅନେକ ସମୟରେ ବିତର୍କ ଚାଲିଥାଏ? ତେଣୁ ଉତ୍ତର ହେଉଛି- ଏହା ପୂର୍ବରୁ ହଁ ଥିଲା କିନ୍ତୁ ବର୍ତ୍ତମାନ ନା । ଆତ୍ମହତ୍ୟା ଉଦ୍ୟମ ଆଇପିସିରେ ଏକ ଅପରାଧ ଥିଲା । କିନ୍ତୁ ଭାରତୀୟ ନ୍ୟାୟ ସଂହିତାରେ ସେପରି କୌଣସି ବ୍ୟବସ୍ଥା ନାହିଁ । ତଥାପି, ଏଥିରେ ଧାରା ୨୨୪ ଅଛି, ଯେଉଁଥିରେ କୁହାଯାଇଛି ଯେ, ଯେକେହି ଜଣେ ସରକାରୀ କର୍ମଚାରୀଙ୍କୁ କାମ କରିବାକୁ ବାରଣ କରିବା କିମ୍ବା ରୋକିବା ଉଦ୍ଦେଶ୍ୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି, ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ଜୋରିମାନା କରାଯାଇପାରେ ।

ତଥାପି, ଆତ୍ମହତ୍ୟା ଏକ ଗମ୍ଭୀର ମାନସିକ ଏବଂ ସାମାଜିକ ସମସ୍ୟା  ।ଯଦି ଆପଣଙ୍କର ମଧ୍ୟ କିଛି ଅସୁବିଧା ଅଛି ତେବେ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ କଥା ହୁଅନ୍ତୁ କିମ୍ବା ଡାକ୍ତରୀ ପରାମର୍ଶ ନିଅନ୍ତୁ  । ଯଦି ସଠିକ୍ ସମୟରେ ଉପଯୁକ୍ତ ପରାମର୍ଶ ନିଆଯାଏ, ତେବେ ଏହାକୁ ବହୁ ପରିମାଣରେ ରୋକାଯାଇପାରିବ ।