ନିର୍ବାଚନୀ ପ୍ରଚାରରେ ମାସ୍କ କାହିଁକି ବାଧ୍ୟତାମୁଳକ ନୁହେଁ ? ପଚାରିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ତାମିଲନାଡୁ,କେରଳ ଓ ଆସାମରେ ହାଇଭୋଲଟାଜ୍ ନିର୍ବାଚନୀ ଡ୍ରାମା ଚାଲିଛି । ସବୁ ଦଳର ବଡ଼ବ଼ଡ଼ ନେତା ପ୍ରଚାର ମୈଦାନରେ ଅଛନ୍ତି । କିନ୍ତୁ ପ୍ରଚାର କାଳରେ ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନା ନେତା ପିନ୍ଧୁଛନ୍ତି ମାସ୍କ ନା କର୍ମୀ । କରୋନା ଗାଇଡ୍ ଲାଇନ୍ ମାନିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିବେଦନ କରୁଛନ୍ତି । ଦଣ୍ଡ ଓ ତଣ୍ଡ କଥା କହି ଡରାଉଛନ୍ତି କିନ୍ତୁ ପ୍ରଚାର କଥା ଆସିବା ବେଳକୁ ଖୋଦ ନେତା ଏହାକୁ ଭୁଲି ଯାଉଛନ୍ତି । ନେତାଙ୍କଠାରୁ ବଳକା କର୍ମୀ । ନା ରହୁଛି ସାମାଜିକ ଦୂରତା ନା ପିନ୍ଧୁଛନ୍ତି ମାସ୍କ । ଏମିତିରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ, ଭୋଟ୍ ପ୍ରଚାର ବେଳେ କ’ଣ କରୋନା ସଂକ୍ରମଣ ହେଉନାହିଁ ? ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଏର ଏକ ଆବେଦନ ଉପରେ ଶୁଣାଣି କରି ଗୁରୁବାର ଦିନ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହା ସହ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ଜାଣିବାକୁ ହାଇକୋର୍ଟ ଚାହିଁଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଉଦବେଗ ପ୍ରକାଶ କରିଥିଲେ । ବୁଧବାର ଏକା ରାୟ ଦେଇ ହାଇକୋର୍ଟ କହିଥିଲେ ଯେ ,କାରରେ ଡ୍ରାଇଭର ଏକାକୀ ଥିଲେ ମଧ୍ୟ ତାଙ୍କ ପାଇଁ ମାସ୍କ ବାଧ୍ୟତାମୁଳକ ହେବ । ହାଇକୋର୍ଟଙ୍କ ଏହି ରାୟ ପରଠାରୁ ନିର୍ବାଚନୀ ରାଲିରେ ମାସ୍କ ଅନିବାର୍ଯ୍ୟ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଥିଲା । ଅନେକ ପ୍ରଶ୍ନ କରୁଥିଲେ ଯେ, ନିର୍ବାଚନୀ ରାଲି ଗୁଡିକରେ ନେତାଙ୍କଠାରୁ କର୍ମୀ କ’ଣ ପାଇଁ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ମାନୁ ନାହାନ୍ତି ।

ନିର୍ବାଚନୀ ରାଲିରେ ମାସ୍କ୍ ପିନ୍ଧିବାକୁ ଅନିବାର୍ଯ୍ୟ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନହିତ ମାମଲା ଦାଏର ହୋଇଥିଲା । ପିଟିସନରେ ଆବେଦନକାରୀ ନିର୍ବାଚନୀ ସଭାରେ ମାସ୍କକୁ ବାଧ୍ୟତାମୁଳକ କରିବାକୁ ନିବେଦନ କରିଥିଲେ । ଏହା ଉପରେ ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି । ନିର୍ବାଚନୀ ରାଲିରେ କରୋନା ସଂକ୍ରମଣର କେତେ ଆଶଙ୍କା ରହିଛି ଓ ଏହି ସବୁ ରାଲିରେ ମାସ୍କକୁ ଅନିବାର୍ଯ୍ୟ କରାଯିବ କି ନାହିଁ ଏନେଇ ହାଇକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ପଚାରିଛନ୍ତି ।

Leave a Reply