ସାର ଜୀବନ ରାଜା ଭଳି ଜୀବନ ବିତାଏ, ଶେଷରେ କରେ ଆତ୍ମହତ୍ୟା

ଭୁବନେଶ୍ବର: ଜଙ୍ଗଲର ରାଜା ସିଂହ । ଯାହାର ଗୋଟିଏ ଗର୍ଜନରେ ଥରି ଯାଏ ପୂରା ଜଙ୍ଗଲ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁଇବର୍ଷର ହୋଇଯିବା ପରେ ଗୋଟିଏ ସିଂହ ଜଙ୍ଗଲରେ ରାଜୁତି କରିବା ଆରମ୍ଭ କରିଥାଏ । ହେଲେ ଏହି ମହାବଳି ରାଜା ଶେଷ ଜୀବନରେ କରିଥାଏ ଆତ୍ମହତ୍ୟା । ଏହା ହିଁ ଜଙ୍ଗଲ ନିୟମ । ବୃଦ୍ଧାବସ୍ଥାରେ ଗୋଟିଏ ସିଂହ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କଟିଥାଏ । ପୂରା ପରିବାର ଦଳରୁ ବହିଷ୍କାର କରି ତାକୁ ଏକା ଏକା ମରିବାକୁ ଛାଡି ଚାଲି ଯାଇଥାନ୍ତି । ବାର୍ଦ୍ଧକ୍ୟ ଅବସ୍ଥାରେ ଦଳରୁ ବିଦା ହୋଇ ଜଙ୍ଗଲ ରାଜା ଦାନା ଟିକେ ପାଇଁ ଡହଳବିକଳ ହୋଇଥାଏ । ସ୍ଥିତି ଏମିତି ହୋଇଥାଏ ଯେ, ଖାଇବାକୁ ନପାଇ ଗୋଟିଏ ସ୍ଥାନରେ ପଡି ପଡି ଚାଲି ଯାଇଥାଏ ତା’ ଜୀବନ । କହିବାକୁ ଗଲେ ଏକ ପ୍ରକାର ଆତ୍ମହତ୍ୟା କରି ଦେଇଥାଏ ସିଂହ । ସିଂହଙ୍କ ଏମିତି ଦୟନୀୟ ଅନ୍ତକୁ ନେଇ ଆମର ବିଶେଷ ଉପସ୍ଥାପନା ‘ଜଙ୍ଗଲ ରାଜାଙ୍କ ଆତ୍ମହତ୍ୟା’ ।

ବୁଢା ସିଂହକୁ ମରିବାକୁ ଛାଡି ଚାଲି ଯାଆନ୍ତି ପରିବାର

ଚିଡିଆଖାନାରେ ତ ସିଂହ ଦେଖିଥିବେ । କେବେ ଜଙ୍ଗଲରେ ସିଂହ ଦେଖିଛନ୍ତି କି ? ଜଙ୍ଗଳରେ ସିଂହ ହାବୁଡରେ ପଡିବା କଥା ଚିନ୍ତା କରିଛନ୍ତି କି ? ଏମିତି କଥା ଭାବିବା ବେଳକୁ ଦେହ ଶିହରି ଉଠୁଛି । ଯଦି ଭାବନା ସତ ହୋଇଯିବ ତେବେ ମଣିଷର ଅବସ୍ଥା ଜଙ୍ଗଲର ଏହି ବାହୁବଳୀ ଆଗରେ କ’ଣ ହେବ ? ମଣିଷ କଥା ଛାଡ଼ନ୍ତୁ, ସିଂହର ଗୋଟିଏ ଗର୍ଜନରେ ପୂରା ଜଙ୍ଗଲ ଥରି ଯାଇଥାଏ । ହେଲେ ଏହି ବଳଶାଳୀ ଜୀବ ଅନ୍ତିମ ସମୟରେ କରିଥାଏ ଆତ୍ମହତ୍ୟା ।

ସିଂହ ଯେବେ ବୁଢ଼ା ହୋଇଯାଏ ତା’ ଶରୀରରେ ପୂର୍ବ ଭଳି ଶକ୍ତି ରହି ନଥାଏ । ନିଜ ଅନ୍ତିମ ସମୟରେ ବହୁତ ଖରାପ ସମୟ ଦେଇ ଗତି କରିଥାଏ ଜଙ୍ଗଲର ରାଜା । ଅନ୍ତିମ ସମୟରେ ଶିକାର ବି ମିଳିନଥାଏ । ଦିନ ଦିନ ଧରି ସିଂହକୁ ଭୋକିଲା ରହିବାକୁ ପଡିଥାଏ । ଏମିତି ସ୍ଥିତିରେ ସିଂହ ଜୀବନରୁ ମୋହ ତୁଟାଇ ଆତ୍ମହତ୍ୟା କରିଦେଇଥାଏ ।

କିଶୋର ସିଂହ ଦଳରୁ କରନ୍ତି ବହିଷ୍କାର

ସିଂହ ସବୁ ବେଳେ ଦଳରେ ରହିଥାଏ । ଗୋଟିଏ ଗୋଟିଏ ଦଳରେ ୧୫ରୁ ୨୦ଟି ସିଂହ ରହିଥାନ୍ତି । ଗୋଟିଏ ଦଳରେ ୩ରୁ ଅଧିକ ସିଂହୀ ଓ ପିଲା ଥାନ୍ତି ।  ବାକି ସବୁ ସିଂହ । ସିଂହୀ ପିଲା ଦେବାର ପ୍ରାୟ ଦୁଇ ସପ୍ତାହ ପରେ ସେମାନଙ୍କ ଆଖି ଖୋଲିଥାଏ ଓ ୪ ସପ୍ତାହ ପରେ ଏମାନେ ଚାଲିବା ଆରମ୍ଭ କରିଥାନ୍ତି । ଏହାପରେ ସେମାନେ ମାତା ସିଂହ ଓ ଦଳ ସହ ଶିକରକୁ ଯାଇଥାନ୍ତି । ସିଂହ ଓ ସିଂହୀଙ୍କ ଶିକାର ଦେଖି ଏମାନେ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି ଓ ପ୍ରାପ୍ତ ବୟସର ହେବା ବେଳକୁ ନିଜ ଜାତି ଭଳି ଜଣେ ଜଣେ ପରିପକ୍ବ ଶିକାରୀ ହୋଇଯାଇଥାନ୍ତି । ଏହି ସମୟରେ ବୁଢା ହୋଇ ଯାଇଥିବା ସିଂହଙ୍କୁ ଏହି ପିଲାମାନେ ସେମାନଙ୍କ ଦଳରୁ ବାହାର କରିଦେଇଥାନ୍ତି । ସିଂହଙ୍କ ପରିବାରର ଏହି ପରମ୍ପରା କାହିଁ କେତେ ଦିନରୁ ଚାଲି ଆସୁଛି ।

ଦଳରୁ ବାହାର ହେବା ପରେ ବୁଢା ସିଂହ ସମ୍ପୂର୍ଣ୍ଣ ଏକା ହୋଇଯାଇଥାଏ । ଶିକାର ପଛରେ ଦୌଡ଼ି ତାକୁ ଧରିବା ତା’ପକ୍ଷେ ସମ୍ଭବ ହୋଇନଥାଏ । ଏମିତି ସ୍ଥିତିରେ ମଲା ଜୀବ ଖାଇବା ଆରମ୍ଭ କରିଥାଏ । ହେଲେ ବୁଢା ସିଂହର ଭାଗ୍ୟ ଏତେ ବି ଭଲ ନଥାଏ ଯେ, ସହଜରେ ତାକୁ ମଲା ଜୀବ ମିଳିଯିବେ । ଦିନ ଦିନ ଧରି ଭୋକିଲା ରହିବା ପରେ ଏମିତି ଜୀବନକୁ ନେଇ ଅତିଷ୍ଠ ହୋଇଯିବା ସହ ସିଂହ ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଇଥାଏ । କାରଣ ସିଂହ ଏମିତି ଏକ ଜୀବ, ଯିଏ ଭୋକ ସହି ପାରିନଥାଏ । ଅଧିକାଂଶ ସିଂହ ଭୋକରେ ଅତିଷ୍ଠ ହୋଇ ଶେଷ ସମୟରେ ଆତ୍ମହତ୍ୟା କରି ଦେଇଥାନ୍ତି ।

ଆମେ ଯେମିତି ସାମାଜିକ ନିୟମରେ ବନ୍ଧା, ପ୍ରତ୍ୟେକ ଜୀବ ମଧ୍ୟ ସେମାନଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମରେ ବନ୍ଧା । ସିଂହ ଏଥିରୁ ବାଦ ପଡିବ ବା କେମିତି ? ଯୁବାବସ୍ଥାରେ ଦଳରେ ରହି ଜଙ୍ଗଲରେ ରାଜ କରୁଥିବା ସିଂହକୁ ବୁଢା ବୟସରେ ଏକା ଏକା ଜୀବନ ବିତାଇବା ଓ ଖାଇବାକୁ ନପାଇ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବା ଜଙ୍ଗଲ ନିୟମ ଓ ଏହା ଆଗକୁ ଜାରି ରହିବ ।

Leave a Reply