କାହିଁକି ଆତ୍ମହତ୍ୟା କରୁଛନ୍ତି ଯବାନ?

ନନ୍ଦିଘୋଷ ବ୍ୟୁରୋ: ପ୍ରତି ମାସରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ୧୨ ଜଣ କରୁଛନ୍ତି ଆତ୍ମହତ୍ୟା । କର୍ମକ୍ଷେତ୍ରରେ ପ୍ରାଣ ହରାଉଥିବା ଯବାନଙ୍କ ସଂଖ୍ୟାଠାରୁ ଏହି ସଂଖ୍ୟା ଅଧିକ ବୋଲି ଗୃହ ମନ୍ତ୍ରାଳୟ ତଥ୍ୟରୁ ଜଣାଯାଇଛି । ଆସନ୍ତା ୧୦ ତାରିଖରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ହେବାକୁ ଯାଉଥିବାବେଳେ ଏହି ତଥ୍ୟ ପଦାକୁ ଆସିଛି । ୨୦୨୦ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ସିଏପିଏଫରେ ୫୦୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଯାହାର ଅର୍ଥ ପ୍ରତିମାସରେ ୧୨ ଜଣ ଯବାନ ଆତ୍ମହତ୍ୟା କରୁଛନ୍ତି ।

୨୦୧୧ରୁ ୨୦୨୧ ମଧ୍ୟରେ ଆତ୍ମହତ୍ୟା କରିଥିବା ଯବାନଙ୍କ ସଂଖ୍ୟା ୧ ହଜାର ୩୨୫ ରହିଛି । ଅପରେସନ ବେଳେ ସେହି ସମୟକାଳ ମଧ୍ୟରେ ୬୫୪ ଜଣ ପ୍ରାଣ ହରାଇଥିବାବେଳେ ଦୁଇଗୁଣରୁ ଅଧିକ ସଂଖ୍ୟକ ଯବାନ ଆତ୍ମହତ୍ୟା କରିଥିଲେ । ସିଏପିଏଫ ମଧ୍ୟରେ ରହିଛନ୍ତି ଆସାମ ରାଇଫଲସ. ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ସିଆରପିଏଫ, ଆଇଟିବିପି, ସଶସ୍ତ୍ର ସୀମା ବଳ ଇତ୍ୟା । ତେବେ ଆତ୍ମହତ୍ୟା କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ସିଆରପିଏଫ ଯବାନ । ୨୦୧୫ରୁ ୩୩୫ ଜଣ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି । ପଛକୁ ଅଛନ୍ତି ବିଏସଏଫ । ଏହାର ୨୬୦ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି ।

ସିଆଇଏସଏଫର ୧୫୦ ଜଣ ଆତ୍ମହତ୍ୟା କରିଛନ୍ତି । ୨୦୨୦ରୁ ୨୦୨୨ ମଧ୍ୟରେ ୪୩୬ ଜଣ ଆତ୍ମହତ୍ୟା କରିଥିବାବେଳେ କେବଳ ସିଆରପିଏଫର ୧୫୪ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି । ସେପଟେ ବିଏସଏଫରେ ସର୍ବାଧିକ ସ୍ବେଚ୍ଛାକୃତ ଅବସର ଘଟୁଥିବାବେଳେ ସିଆଇଏସଏଫରେ ସର୍ବାଧିକ ଇସ୍ତଫା ହାର ରହିଛି । ତେବେ କାର୍ଯ୍ୟକ୍ଷେତ୍ରରେ ମାନସିକ ଚାପ, ଛୁଟି ସମ୍ପର୍କିତ ସମସ୍ୟା ଆଦି କାରଣରୁ ଆତ୍ମହତ୍ୟା ଓ ସହକର୍ମୀଙ୍କୁ ହତ୍ୟା ଆଦି ଘଟଣା ବଢୁଥିବା କୁହାଯାଇଛି । ପରିବାରଠାରୁ ଦୀର୍ଘଦିନ ଧରି ଦୂରରେ ରହିବା, ଅବିବାହିତ ରହିବା ଲାଗି ବାଧ୍ୟ କରିବା, ହାଇରିସ୍କ ଏରିଆରେ ମୁତୟନ ଆଦି କାରଣରୁ ଏହା ଘଟୁଥିବା କୁହାଯାଇଛି ।