ମେ ମାସରେ କାହିଁକି ଆସୁଛି ଶକ୍ତିଶାଳୀ ବାତ୍ୟା ?

1 min read

ଭୁବନେଶ୍ୱର: କାହିଁକି ମେ’ ମାସରେ ଓଡ଼ିଶାକୁ ଆସୁଛି ଶକ୍ତିଶାଳୀ ବାତ୍ୟା ? ପୋଷ୍ଟ ମନ୍ସୁନ୍ ଅପେକ୍ଷା ପ୍ରି ମନସୁନରେ କାହିଁକି ବାତ୍ୟା ହେଉଛି ଭୟଙ୍କର ? ଲଗାତର ୪ ବର୍ଷ ହେବ କାହିଁକି ଉପକୂଳ ହେଉଛି ଛାରଖାର ? ବଦଳି ଗଲାଣି କି ପାଣିପାଗର ମିଜାଜ୍ ? ଖରାଦିନେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଗଭୀର ଅବପାତ ନେଉଛି ଭୟଙ୍କର ବାତ୍ୟାର ରୂପ । ଚଳିତ ବର୍ଷ ମଧ୍ୟ ଏଭଳି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେବେ ଖରାଦିନେ ଶକ୍ତିଶାଳୀ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଜ୍ଞାନୀ ବିଶ୍ବ ତାପନ ବା ଗ୍ଳୋବାଲ ଓ୍ବାର୍ମିଂକୁ ଦାୟୀ କରିଛନ୍ତି । ଗ୍ଳୋବାଲ ଓ୍ବାର୍ମିଂ ପାଇଁ ସମୁଦ୍ରର ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଉଛି। ଫଳରେ ମେ’ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳ ଗୋଟାଇ ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇ ଭୟଙ୍କର ରୂପରେ ଲ୍ୟାଣ୍ଡଫଲ କରୁଛି ।

ଗତ ୪ ବର୍ଷ ହେବ ମେ’ ମାସରେ ଓଡ଼ିଶା ୪ଟି ଭୟଙ୍କର ବାତ୍ୟାର ସାମ୍ନା କରିଛି । ଆଉ ମାତ୍ର ୪ ଦିନ ପରେ ଏପ୍ରିଲ ଯାଇ ମେ’ ଆସିବ। ଆଉ ମେ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ଛନକା ପଶିବ। ତେଣୁ ଆସନ୍ତା ମେ’ ମାସରେ ବଙ୍ଗୋପସାଗରର ସିଷ୍ଟମ ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ଗତ ସପ୍ତାହେ ହେବ ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ଓଡ଼ିଶା ଉପରେ ସକ୍ରିୟ ଥିବା ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତାକାଲି କାଳବୈଶାଖୀ ନେଇ ଉତ୍ତର-ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ କୁଆପଥର ବୃଷ୍ଟି ନେଇ କଟକ, ଯାଜପୁର ଏବଂ ଢେଙ୍କାନାଳକୁ ସତର୍କ କରାଯାଇଛି ।

୨୦୧୯ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ଭୟଙ୍କର ବାତ୍ୟା ଫନି କଥା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠୁଛି । ମାତ୍ର ୩ ଘଣ୍ଟାରେ ଫନି ଯେଉଁ ତାଣ୍ଡବ ରଚିଲା ତାହା ଆଖିରେ ଦେଖିଥିବା ଲୋକ କେବେ ଭୁଲିପାରିବ ନାହିଁ । ପରେ ୨୦୨୦ ମେ ୨୦ରେ ଅମ୍ଫାନ, ୨୦୨୧ ମେ ୨୬ ରେ ୟାସ ଏବଂ ୨୦୨୨ ମେ ୭ ତାରିଖରେ ଅସାନୀ ବାତ୍ୟା ମଧ୍ୟ ଓଡ଼ିଶାରେ ତାଣ୍ଡବ ରଚିଛି ।