ଭାରତ ମାଟ୍ରିମୋନୀକୁ ନେଇ ଅସନ୍ତୋଷ, ଟ୍ରେଣ୍ଡ କରୁଛି ବୟକଟ ଭାରତ ମାଟ୍ରିମୋନୀ

1 min read

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହାସଟ୍ୟାଗ୍ ବୟକଟ୍ ଭାରତ ମାଟ୍ରିମୋନୀ । ଆପଣ ଭାବୁଥିବେ ଫିଲ୍ମ ପରେ ଏବେ ଲୋକେ ମାଟ୍ରିମୋନୀ ସାଇଟକୁ ବୟକଟ କରିବାକୁ ଲାଗିଲେଣି କି?  ଆଜ୍ଞା ନା, ଭାରତ ମାଟ୍ରିମୋନୀ ବିବାଦ ଘେରରେ ଛନ୍ଦି ହେବାର କାରଣ ହେଉଛି ଏହାର ଏକ ବିଜ୍ଞାପନ ।

ସୋସିଆଲ ମିଡିଆରେ ଏହାର ବିଜ୍ଞାପନ ଦର୍ଶକଙ୍କୁ ପସନ୍ଦ ଆସିନି । ସେଥିପାଇଁ ଏବେ ଚିଡି ଯାଇଛନ୍ତି ସୋସିଆଲ ମିଡିଆ ୟୁଜର୍ । ଏବେ ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ।

ହୋଲି ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ମାଟ୍ରିମୋନୀରେ ଏକ ବିଜ୍ଞାପନ ଆସିଥିଲା । ହୋଲି ଅବସରରେ ନିର୍ଯାତନା ଯୋଗୁ ଅନେକ ମହିଳା ହୋଲି ପାଳିବା ବନ୍ଦ କରିଦେଇଥିବା ବିଜ୍ଞାପନରେ ଦର୍ଶାଯାଇଥିଲା ।

ଏହାସହ ଆଉ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି, ଯାହା ଏହା ସୂଚାଉଛି ଯେ, ମହିଳାଙ୍କ ଦେହରେ ଲାଗିଥିବା ହୋଲି ରଙ୍ଗ ତ ଧୋଇଯାଏ କିନ୍ତୁ ନିର୍ଯାତନାର ଦାଗ ମନରୁ କେବେ ଲିଭି ନଥାଏ ।

ତେବେ ହୋଲି ଭଳି ଗୋଟେ ହିନ୍ଦୁ ପର୍ବ ପର୍ବାଣୀ ଅବସରରେ ଏପରି ବିଜ୍ଞାପନକୁ ବିଭିନ୍ନ ହିନ୍ଦୁ ସଂଗଠନ ବିରୋଧ କରିଛନ୍ତି । ଟ୍ବିଟରେ ଏହାକୁ ବହୁ ସମାଲୋଚନା କରାଯାଉଛି । ୟୁଜର୍ସ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇବା ସହ କମେଣ୍ଟ ବି କରିଛନ୍ତି ।

ଅନ୍ୟ ସବୁ ପର୍ବ ପର୍ବାଣୀରେ ଭାରତ ମାଟ୍ରିମୋନୀ ଶୁଭେଚ୍ଛା ଜଣାଇବା ସହ ହୋଲିରେ ମହିଳାଙ୍କୁ ନେଇ ଏପରି ବିଜ୍ଞାପନକୁ ୟୁଜର୍ସ ଗ୍ରହଣ କରିନାହାନ୍ତି । ଏଥିପାଇଁ ମାଟ୍ରିମୋନୀ କ୍ଷମା ମାଗୁ ବୋଲି ମଧ୍ୟ ଦାବି ଉଠୁଛୁ ।