ଜାଣନ୍ତୁ ଏଥର କାହିଁକି ଲୋକସଭା ବାଚସ୍ପତି ପଦ ଉପରେ ଦିଆଯାଉଛି ଅଧିକ ଗୁରୁତ୍ବ ?

ନନ୍ଦିଘୋଷ ବ୍ୟୁରୋ: ଏଥର ବାଚସ୍ପତି ପଦର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । କାରଣ ବିଜେପିର ନିଜସ୍ବ ବହୁମତ ନାହିଁ। କେନ୍ଦ୍ରରେ ମେଣ୍ଟ ସରକାର। ତେଣୁ ସମସ୍ତଙ୍କୁ ନେଇ ମନେଇ ବୁଝେଇ ଗୃହ ଚଳାଇବାକୁ ପଡ଼ିପାରେ। କେନ୍ଦ୍ର ସରକାର ବା କହିବାକୁ ଗଲେ ବିଜେପିର ଏକଚାଟିଆ ମନମାନି ଚଳିବ ନାହିଁ। ୯୦ ଦଶକରୁ ଯେପରି ୨୦୧୪ ଯାଏ ମେଣ୍ଟ ସରକାରର ଅସ୍ଥିରତା ଥିଲା, ଏଥର ମଧ୍ଯ ସେପରି ଦେଖିବାକୁ ମିଳିପାରେ। ତେଣୁ ବିଜେପି ବାଚସ୍ପତି ପଦ ନିଜ ପାଖରେ ରହିବାକୁ ଚାହୁଁଛି ଏବଂ ଗତ ଥର ଗୃହ ଚଳାଇବାର ଦକ୍ଷତା ଓ ଅଭିଜ୍ଞତା ଥିବା ଓମ୍ ବିର୍ଲାଙ୍କୁ ଏଥର ମଧ୍ଯ ପ୍ରାର୍ଥୀ କରିଛି। ଆଗରୁ ଟିଡିପି ଓ ଜେଡିୟୁ ମଧ୍ଯ ନିଜର ସାଂସଦଙ୍କୁ ବାଚସ୍ପତି କରିବାକୁ ଚାହୁଁଥିଲେ। କାରଣ ଏପରି ହେଲେ ଅକସ୍ମାତ ଦଳ ବିଭାଜନର ଆଶଙ୍କା ଦେଖାଦେଲେ, ସେ ହୁଏତ ସମ୍ଭାଳି ନେବେ। ତୁରନ୍ତ କିଛି ନିଷ୍ପତ୍ତି ନେବେ ନାହିଁ। ବିରୋଧୀଙ୍କ ପାଖରେ ସଂଖ୍ଯା ନ ଥିଲେ ମଧ୍ଯ ସେମାନେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇଛନ୍ତି। ପ୍ରକୃତରେ ସେମାନେ ଉପବାଚସ୍ପତି ପଦ ଦାବି କରୁଥିଲେ। ଏଥିରେ ଏନଡିଏ ଟାଳଟୁଳ ନୀତି କରିବାରୁ ଓ କିଛି ସ୍ପଷ୍ଟ ନ କରିବାରୁ ବିରୋଧୀ ବୋଧହୁଏ ଆଶଙ୍କା କରିଥିଲେ, ଉପବାଚସ୍ପତି ପଦ ମିଳିବ ନାହିଁ। ତେଣୁ ଶେଷରେ ସେମାନେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇ କେ ସୁରେଶଙ୍କୁ ପ୍ରାର୍ଥୀ କରିଛନ୍ତି।