କାହିଁକି ମହିଳାଙ୍କୁ ମୋହରା କରୁଛନ୍ତି ନିଶା ମାଫିଆ ?
ଭୁବନେଶ୍ୱର: ନିଶା କବଳରେ ଭୁବନେଶ୍ୱର । ପୁରୁଷ ଅପେକ୍ଷା ନିଶା କାରାବାରରେ ମାତିଛନ୍ତି ମହିଳା । ପୋଲିସର ସନ୍ଦେହୀ ଆଖିକୁ ଚକମା ଦେବା ପାଇଁ ମହିଳାଙ୍କୁ ଢାଲ କରୁଛନ୍ତି ମାଫିଆ । ବସ୍ତିର ଗଳି କନ୍ଦିରେ କରୁଛନ୍ତି କାରବାର । ଏଥିରେ ରୋକ୍ ଲଗାଇବା ପାଇଁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ପରେ ଅବକାରୀ ସ୍କ୍ୱାଡ୍ କରିଛି ସ୍ପେଶାଲ ଡ୍ରାଇଭ୍ । ଗତ ୭ ଦିନରେ ୧୦ଟି ମାମଲା ରଜୁ ହୋଇଥିବା କେବଳ ୫ ମହିଳାଙ୍କୁ ଗରିଫ କରିଛି ଅବକାରୀ ଟିମ୍ ।
ରାଜଧାନୀରେ ବଦଳିଛି ବ୍ରାଉନସୁଗାର ବେପାର ତରିକା । କେତେବେଳେ ଗାଡ଼ିର ହେଡ୍ ଲାଇଟରେ ତ ଆଉ କେତେ ବେଳେ ପରିବା ବ୍ୟାଗରେ । ଧଳା ଜହର ଧନ୍ଦାର ମଙ୍ଗ ଧରିଛନ୍ତି ମହିଳା ବେପାରୀ । ବସ୍ତି ଓ ଗଳି କନ୍ଦିରେ ମାତିଛନ୍ତି ନିଶାରାଣୀ । ମହିଳାଙ୍କ ମାୟାରେ ଗ୍ରାହକ ହେଉଛନ୍ତି ମୋହ । ସପ୍ତାହକରେ ବନ୍ଧା ହେଲେଣି ୫ ନିଶା କୁଇନ୍ । କିଏ କରଜ ଶୁଝିବାକୁ ତ ଆଉ କିଏ ନିଶା କାରବାରରେ ଜେଲ୍ ଯାଇଥିବା ସ୍ୱାମୀ ଓ ପରିବାର ଲୋକଙ୍କୁ ଜାମିନରେ ଆଣିବାକୁ ବିକୁଛନ୍ତି ବିଷ ।
୧୦ ମାମଲା, ୫ ଗିରଫ
ତାରିଖ | ସ୍ଥାନ | ଗିରଫ | ଜବତ ନିଶା ସାମଗ୍ରୀ |
ଏପ୍ରିଲ ୨୦, ୨୦୨୨ | ନୟାପଲ୍ଲୀ ହାଟିଆଶୁଣି ବସ୍ତି | ଅନୁପମା ପ୍ରଧାନ | ୫୬ ଗ୍ରାମ ବ୍ରାଉନସୁଗାର |
ଏପ୍ରିଲ ୨୧, ୨୦୨୨ | କ୍ୟାପିଟାଲ ଥାନା ନାରାୟଣୀ ବସ୍ତି | ରଞ୍ଜୁ ନାୟକ ଗିରଫ | ୬୩ ଗ୍ରାମ ବ୍ରାଉନସୁଗାର |
ଏପ୍ରିଲ ୨୧,୨୦୨୨ | ବଡଗଡ ଥାନା ଉପର ସାହି | ରୀନା ପ୍ରଧାନ | ୨୫ କେଜି ଗଞ୍ଜେଇ |
ଏପ୍ରିଲ ୨୫,୨୦୨୨ | ଖଣ୍ଡଗିରି ବରବାରି ବସ୍ତି | ଐଶ୍ୱର୍ଯ୍ୟା ମହାପାତ୍ର ଓ କୁନା ମହାନ୍ତି | ୫୬ ଗ୍ରାମ ବ୍ରାଉନସୁଗାର ଓ ମଦ |
କାହିଁକି ମହିଳାଙ୍କୁ ମୋହରା କରୁଛନ୍ତି ନିଶା ମାଫିଆ ? ବସ୍ତି ଅଞ୍ଚଳରେ ମହିଳା ମାନେ ବ୍ରାଉନସୁଗାର ବିକ୍ରି କରୁଥିବାରୁ କଲେଜ ଛାତ୍ର, ଯୁବକମାନେ ତାଙ୍କ ଠାରୁ କିଣିଥାନ୍ତି । ଅଳ୍ପ ପରିମାଣରେ ସାମଗ୍ରୀ ହୋଇଥିବାରୁ ମହିଳା ନିଶା ବେପାରୀ ମାନେ ଲୁଚାଇ ରଖିବାକୁ ସୁବିଧା ହୋଇଥାଏ । ତେଣୁ ସହଜରେ ସନ୍ଦେହ ଘେରକୁ ଆସନ୍ତି ନାହିଁ । ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଟିମ୍ ସ୍ପେଶାଲ ଡ୍ରାଇଭ କରୁଛି । ୭ ଦିନରେ ୩୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୩୩୨ ଗ୍ରାମ ବ୍ରାଉନସୁଗର ଓ ନଗଦ ୪୯ ହଜାର ଟଙ୍କା ଜବତ ହୋଇଛି । ସେପଟେ ବସ୍ତିରେ ଶିକ୍ଷା ଓ ସଚତେନତାର ଆବଶ୍ୟକତା ରହୁଛି । କମ୍ ସମୟରେ ମୋଟା ଅଙ୍କର ଟଙ୍କା ରୋଜଗାର ଲୋଭ ନିଶା କାରବାର ଭଳି ବାଟକୁ ବାଛୁଛନ୍ତି ମହିଳା ।
୨୦୨୧ରେ ନିଶା କାରବାର ନେଇ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୪ ଜଣ ଗିରଫ ହୋଇଥିଲେ । ସେମାନଙ୍କ ଭିତରେ ୧୨ ଜଣ ମହିଳା ନିଶା ବେପାରୀ ଥିଲେ । ଚଳିତ ବର୍ଷ ଆରମ୍ଭରୁ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ଏବେ ସୁଦ୍ଧା ୫ ଜଣ ମହିଳା ଗିରଫ ହୋଇଛନ୍ତି ।