ଡ୍ରାଗନ୍ ୨ କିଲୋମିଟର ପଛକୁ ଘୁଞ୍ଚିବା ପାଇଁ କାହିଁକି ବାଧ୍ୟ ହେଲା ? ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ସୀମାରେ ଗତ କିଛି ଦିନ ଧରି ଆକ୍ରାମକ ଆଭିମୁଖ୍ୟ ଦେଖାଇବା ପରେ ଲାଲସେନା ପଛକୁ ଘୁଞ୍ଚିଛି । କେବଳ ପଛକୁ ଯାଇନି ଅଧିକନ୍ତୁ ତିନି ଚାରି ଦିନ ହେଲା ଚୀନ୍ ସେନା ଶାନ୍ତ ଅଛି । ତେବେ ଆସନ୍ତୁ ଜାଣିବା ଏମିତି କ’ଣ ହେଲା ଯେଉଁଥିପାଇଁ ଡ୍ରାଗନ ପଛକୁ ଫେରିବା ପାଇଁ ବାଧ୍ୟ ହେଲା ?

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ଚୀନ୍ ରଣନୀତି ହେଉଛି ଧିରେ ଧିରେ ଇଂଚ-ଇଂଚ ଜମି ଉପରେ କବଜା । ଡୋକଲାମ ଥିଲା ଏହି ରଣନୀତିର ପୁରୁଣା ଉଦାହରଣ । ଚୀନ ଭାବିଥିଲା ଯେ, ଭାରତୀୟ କ୍ଷେତ୍ର ଉପରେ ସେ କବଜା କରିନେବ କିନ୍ତୁ ସେଭଳି ହୋଇପାରି ନାହିଁ ।

ପଛକୁ ଘୁଞ୍ଚିବାର ପ୍ରମ୍ମୁଖ କାରଣ

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଚୀନ୍ ପଛକୁ ଫେରିବାର ତିନୋଟି ମୁଖ୍ୟ କାରଣ ରହିଛି । ପ୍ରଥମ କାରଣ ହେଉଛି ଭାରତୀୟ ସେନାର ଜୋରଦାର ପ୍ରସ୍ତୁତି । ଲଦ୍ଦାଖରେ ଗତ ମାସ ୫ ତାରିଖ ଓ ସିକ୍କିମରେ ୪ ଦିନ ପରେ ୯ ମେ’ର ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସିକ୍କିମ ବିବାଦ ବଢିନଥିଲା କିନ୍ତୁ ଲଦ୍ଦାଖର ଗଲବାନ ଓ ପ୍ୟୋଙ୍ଗୟାଙ୍ଗ ସୋ ହ୍ରଦ ନିକଟରେ ଏଲଏସି(ବାସ୍ତବିକ ନିୟନ୍ତ୍ରଣ ରେଖା)ରେ ଚୀନ ଆକ୍ରାମକ ହେବା ସହ ସେଠାରେ ନିଜ ସୈନ୍ୟ ସଂଖ୍ୟା ବୃଦ୍ଧି କରିଥିଲା । କୁହାଯାଉଛି ଯେ, ଚୀନ ଏଲଏସିରେ ୫ ହଜାର ସୈନିକ ମୁତ୍ତୟନ କରିଥିଲା । ଏହାର ଯବାବରେ ଭାରତ ମଧ୍ୟ ଏଲଏସିରେ ନିଜ ସୈନିକ ସଂଖ୍ୟା ବୃଦ୍ଧି କରିଥିଲା । ଏହାସହ ଚୀନକୁ ଯବାବ ଦେବାଭଳି ଟ୍ୟାଙ୍କ ଓ ଭାରି ଅସ୍ତ୍ର ମୁତ୍ତୟନ କରିଥିଲା । ଏତେ ସବୁ ପ୍ରସ୍ତୁତି ସତ୍ୱେ ମଧ୍ୟ ଭାରତ ସଂଯମତା ଅବଲମ୍ବନ କରିଥିଲା । ଦୁଇ ଦେଶଙ୍କ ମଧ୍ୟରେ ଆଲୋଚନାର ପଥ ଅବରୋଧ କରିନଥିଲା । ୬ ଜୁନରେ ଉଭୟ ଦେଶର ଲେଫ୍ଟେନାଣ୍ଟ ଜେନରାଲ ରାଙ୍କ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବାର ଅଛି । ଏଠି କହି ରଖୁଛୁ ଯେ, ଗତିରୋଧ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ମୋଟ ୧୦ ଥର ଆଲୋଚନା ହୋଇଛି ।

ଭାରତର ନାଲି ଆଖି ଡ୍ରାଗନକୁ ଡରାଇଲା ?

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ଚୀନ ସହ ସବୁବେଳେ କଠୋର ଆଭିମୁଖ୍ୟ ପ୍ରଦର୍ଶନର ଆବଶ୍ୟକତା ରହିଛି । ଯେଉଁ ଦେଶ ନରମ ହୁଏ ଚୀନ୍ ସେହି ଦେଶକୁ ନାଲି ଆଖି ଦେଖାଏ । କିନ୍ତୁ ଏଠାରେ ଓଲଟା ହେଲା । ଭାରତ ନରମ ଆଚରଣ ଦେଖାଇଲା ନାହିଁ । ଚୀନକୁ ତାରି ଭାଷାରେ ଯବାବ ଦେବାକୁ ଉଦ୍ୟମ କଲା । ଡ୍ରାଗନକୁ ନାଲି ଆଖି ଯବାବରେ ଭାରତ ମଧ୍ୟ ନାଲି ଆଖି ଦେଖାଇଲା । ଫଳ ହେଲା ଚୀନ୍ ଏବେ ଆଲୋଚନା ଟେବୁଲକୁ ଫେରିଛି । ଚୀନ ନିଜ ବିସ୍ତାରବାଦୀ ନୀତିକୁ ବଢାଇବାରେ ଲାଗିଛି । ଚୀନ୍ ଯାହା ଭାରତ ସହ କରୁଛି ସେହି ନୀତି ତାଇୱାନ୍,ଜାପାନ ଓ ଭିଏତନାମ ଭଳି ଦେଶଙ୍କ ପାଇଁ ମଧ୍ୟ ଅବଲମ୍ବନ କରୁଛି ।

ବାହାରେ ଝଗଡା କରି ଘରେ ଶାନ୍ତି ଆଣିବାକୁ ଚାହୁଁଥିଲା ଡ୍ରାଗନ

ଚୀନର କରୋନା କାଣ୍ଡ ଖାଲି ଦୁନିଆକୁ ମହଙ୍ଗା ପଡିନି ,ଡ୍ରାଗନ ମଧ୍ୟ  ଏହା ଦ୍ୱାରା ପ୍ରଭାବିତ ହେଉଛି । ବିଶ୍ୱର ମ୍ୟାନୁଫେକ୍ଚରିଂ ରାଜଧାନୀ ଭାବେ ପରିଚିତ ଚୀନରୁ ରପ୍ତାନୀ କମ ହେବାରେ ଲାଗିଛି । ଯାହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଛି । ଦେଶରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଦେଶବାସୀଙ୍କ ନଜର ହଟାଇବା ପାଇଁ ଚୀନ୍ ଭାରତ ବିରୋଧରେ ଫ୍ରଣ୍ଟ ଖୋଲିଛି । ତାଇୱାନ୍ ଓ ଦକ୍ଷୀଣ ଚୀନ ସାଗରରେ ଡ୍ରାଗନ ଆମେରିକା ଡରରେ ସେମିତି କିଛି କରିବାକୁ ଡରୁଛି । ତେଣୁ ଭାରତକୁ ଟାର୍ଗେଟ୍ କରିଥିଲା । ଭାରତ ସହ ସୀମା ବିବାଦକୁ ଉସକାଇ ଜିନପିଙ୍ଗ୍ ରାଷ୍ଟ୍ରବାଦୀ କାର୍ଡ୍ ଖେଳିବାକୁ ଉଦ୍ୟମ କରିଥିଲା । କିନ୍ତୁ ଭାରତର ପାଲଟା ଆକ୍ରାମକ ଆଭିମୁଖ୍ୟ ଡ୍ରାଗନକୁ ୟୁଟର୍ଣ୍ଣ ନେବାକୁ ବାଧ୍ୟ କରିଛି ।

ଚାରିପଟୁ ଚାପରେ ଚୀନ୍

ଚୀନର ଆଭିମୁଖ୍ୟ ନରମ ହେବା ପଛର ଆଉ ଗୋଟିଏ କାରଣ ହେଲା ବିଶ୍ୱର ଚାପ । କରୋନା ପରେ ବଡ ବଡ ଦେଶ ଚୀନକୁ ନେଇ ଅସନ୍ତୁଷ୍ଠ ଅଛନ୍ତି । ଗୋଟିଏ ପଟେ କରୋନା ଅନ୍ୟପଟେ ଚୀନର ବିସ୍ତାରବାଦୀ ନୀତି । ଏସବୁକୁ ନେଇ ବାକି ବିଶ୍ୱ ଚୀନ୍ ବିରୋଧରେ ମେଳି ବାନ୍ଧିଲାଣି । ଯାହାର ନେତୃତ୍ୱ ନେଉଛି ଆମେରିକା । ଆମେରିକା ଓ ଅନ୍ୟକିଛି ୟୁରୋପୀୟ ରାଷ୍ଟ୍ର  ଚାହୁଁଛନ୍ତି ଚୀନକୁ ଭାରତ ଯବାବ ଦେଉ । ଚୀନ ବିରୋଧରେ ଭାରତକୁ ସାହାଯ୍ୟ କରିବା ଓ ଛିଡା କରିବା ପାଇଁ ଏହି ଦେଶଙ୍କର ସ୍ୱାର୍ଥ ରହିଛି ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯଦି ଭାରତକୁ ଜି-୭ରେ ସାମିଲ କରିବାକୁ ଚାହୁଁଛନ୍ତି ତେବେ ଏହାପଛରେ ତାଙ୍କର ଭାରତ ପ୍ରେମ ଯେତିକି ନାହିଁ ସେତିକି ହେଉଛି ଡ୍ରାଗନକୁ ଲଗାମ କସିବା । ଏମିତିରେ ଚୀନକୁ ଲାଗିଲା ଯେ, ବର୍ତ୍ତମାନ ସୀମାର ତା’ର ଦାଦାଗିରିକୁ ବାକି ବିଶ୍ୱ ପସନ୍ଦ କରୁନି ତେଣୁ ଚୁପ ରହିବା ଭଲ ହେବ । ଅବଶ୍ୟ ଭାରତ ଯଦି ଚୀନର ଦାଦାଗିରିକୁ ସହିଯାଇଥାନ୍ତା ତେବେ ଚିତ୍ର ଅଲଗା ହୋଇଥାନ୍ତା ।

ଚୀନ୍ ସୀମାନ୍ତରେ ଏୟାର ଷ୍ଟ୍ରିପ୍ ତିଆରି କରୁଛି ଭାରତ, ଲଦାଖରେ ବୋଫୋର୍ସ ମୁତୟନ

Leave a Reply