କାହିଁକି ନିଜ ମା’ଙ୍କ ମୁଣ୍ଡ କାଟିଥିଲେ ପ୍ରଭୁ ପର୍ଶୁରାମ ?

ପର୍ଶୁରାମ ଋଷି ଯମଦଗ୍ନି ଏବଂ ରେଣୁକାଙ୍କ ପୁଅ ଥିଲେ । ରେଣୁକା ନିଜର ଭକ୍ତି ଏବଂ ତାଙ୍କ ପତିଙ୍କ ପ୍ରତି ସମର୍ପିତ ଯୋଗୁଁ ପରିଚିତ । ତାଙ୍କ ଆସ୍ଥା ଏପରି ଥିଲାଯେ, ବିନା ପକ୍ୱ ମାଠିଆରେ ସେ ପାଣି ଆଣିପାରୁଥିଲେ ।

ପର୍ଶୁରାମ ତାଙ୍କ କ୍ରୋଧୀ ସ୍ୱଭାବ ଯୋଗୁଁ ଖୁବ୍‌ ପରିଚିତ ଥିଲେ। ଏକଦା ତାଙ୍କ ମା’ ରେଣୁକା ଆଶ୍ରମ ନିକଟରେ ଥିବା ଏକ ନଦୀକୁ ପାଣି ଆଣିବାକୁ ଯାଇଥିଲେ। ସେଠାରେ ସେ ପାଣି ଆଣିବା ବେଳେ ଜଣେ ରାଜପୁତ୍ରଙ୍କୁ ଦେଖି ମୋହିତ ହୋଇଯାଇଥିଲେ। ଏପରିକି ସେ କଣ ପାଇଁ ଆସିଛନ୍ତି ତାହା ମଧ୍ୟ ଭୁଲି ଯାଇଥିଲେ। ସେପଟେ ଆଶ୍ରମରେ ଯମଦଗ୍ନୀ ରେଣୁକାଙ୍କ ଅପେକ୍ଷା କରିଥିଲେ। ସେ ଧ୍ୟାନବଳରେ ରେଣୁକାଙ୍କ ମନକଥା ଜାଣିପାରି ରାଗିଗଲେ। ରେଣୁକା ବିଳମ୍ବରେ ଆଶ୍ରମରେ ଆସି ପହଞ୍ଚିବାରୁ ଯମଦଗ୍ନୀ ବଡପୁଅକୁ ମାତାଙ୍କ ବଧ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ତାହା କରିବାକୁ ମନା କରିଦେଲେ । ଏହାପରେ ସେ  ଜଣ ଜଣ କରି ୪ ପୁଅଙ୍କୁ ସମାନ ନିର୍ଦ୍ଦେଶ ଦେଇ ବିଫଳ ହେବା ପରେ ଏଥିଲାଗି ପର୍ଶୁରାମଙ୍କୁ ନିର୍ଦ୍ଦେଶ ଦେଇ ମାତାଙ୍କ ସମେତ ୪ ଭ୍ରାତାଙ୍କୁ ବଦ୍ଧ କରିବାକୁ କହିଥିଲେ। ପର୍ଶୁରାମ ସାମାନ୍ୟ ବିଳମ୍ବ ନ କରି ପିତା ଯମଦଗ୍ନିଙ୍କ ଆଜ୍ଞା ପାଳନ କରିଥିଲେ।

ଏଥିରେ ସନ୍ତୁଷ୍ଟ ହୋଇ ଯମଦଗ୍ନି ପର୍ଶୁରାମଙ୍କୁ ବର ଯାଚନା କରିଥିଲେ। ଏଥିରେ ସେ ତାଙ୍କ ମାତା ଓ ୪ ଭାଇଙ୍କୁ ପୁଣିଥରେ ଜୀବନ ଦେବାକୁ ନିବେଦନ କରିଥିଲେ ।  ଏଥିରେ ପିତା ତାଙ୍କର ସମସ୍ତ କାମନା ପୂର୍ତ୍ତି କରିଥିଲେ। ତେବେ ପୂର୍ବରୁ ତାଙ୍କ ପିତାଙ୍କ କ୍ଷମତା ବିଷୟରେ ଜ୍ଞାତ ଥିଲେ, ତେଣୁ ଆଜ୍ଞା ମାନି ନେଇଥିଲେ ।  ଆଜ୍ଞା ପାଳନ କରି ପିତାଙ୍କ ଇଛା ପୁରଣ କରିବା ସହ ତାଙ୍କ ତପ ବଳରେ ଭାଇ ଓ ମାତାଙ୍କ ପ୍ରାଣ ରକ୍ଷା ବି କରିଥିଲେ।