ପଡୋଶୀ ଦେଶରେ ଭୂକମ୍ପ ଅନୁଭୂତ ହେଲେ କାହିଁକି ଥରୁଛି ଦିଲ୍ଲୀ ?

କାଠମାଣ୍ଡୁ: ନେପାଳରେ ଭୂକମ୍ପର ପ୍ରଭାବ ଦିଲ୍ଲୀରେ ପଡିଛି । କିଛି ଦିନ ମଧ୍ୟରେ ଦିଲ୍ଲୀରେ ୩ ଥର କମ୍ପନ ଅନୁଭୂତ ହୋଇଛି । ତେବେ ପ୍ରଶ୍ନ ଉଠୁଛି ପଡୋଶୀ ରାଷ୍ଟ୍ରରେ ଭୂକମ୍ପ ହେଲେ ଦିଲ୍ଲୀ ଓ ଏନସିଆରରେ କାହିଁକି ପଡୁଛି ପ୍ରଭାବ । ଦିଲ୍ଲୀ ଓ ଏନସିଆର ରହିଛି ସେସମିକ ଜୋନ ୪ରେ । ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅନୁସାରେ ଏହାକୁ ହାଇସେସମିକ ରିସ୍କ ଜୋନ ଭାବେ ଗ୍ରହଣ କରାଯାଇଥାଏ ।

ଏହି ଅଞ୍ଚଳରେ ମଧ୍ୟମ ଧରଣରୁ ଉଚ୍ଚ କ୍ଷମତା ବିଶିଷ୍ଟ ତୀବ୍ରତା ପରିଲକ୍ଷିତ ହେବାର ଆଶଙ୍କା ଅଧିକ ଥାଏ । ଭୌଗଳିକ ସ୍ଥିତି ଅନୁଯାୟୀ ଦିଲ୍ଲୀରେ ଭୂତାତ୍ତ୍ବିକ କାର୍ଯ୍ୟକଳାପ ଅଧିକ ରହିଥାଏ । ହିମାଳୟ ରେଞ୍ଜ ନିକଟରେ ଦିଲ୍ଲୀ ଅବସ୍ଥିତ ଥିବାରୁ ଭୂକମ୍ପପ୍ରବଣ ଜୋନ ଭାବେ ଏହା ପରିଚିତ । ଇଣ୍ଡିଆନ ଓ ୟୁରେସୀୟ ଟେକ୍ଟୋନିକ ପ୍ଲେଟର ସଂଘାତ ଫଳରେ ହିମାଳୟ ଗଠିତ ହୋଇଥିଲା । ଏହି କାରଣରୁ ଏହି ଅଞ୍ଚଳରେ ସର୍ବଦା କମ୍ପନ ଅନୁଭୂତ ହୋଇଥାଏ । ଭୂପୃଷ୍ଠର ଉପରିସ୍ଥ ସ୍ତରରେ ଟେକ୍ଟୋନିକ ପ୍ଲେଟର ଚଳନ ଯୋଗୁ କମ୍ପନ ଅନୁଭୂତ ହୋଇଥାଏ ।