ଚେନ୍ନାଇ ସୁପରକିଙ୍ଗ୍ସ ପରାଜୟ ପଛରେ ଧୋନୀ ! ଜାଣନ୍ତୁ କାହିଁକି ଜିତିଲା ବାଙ୍ଗାଲୋର

ନନ୍ଦିଘୋଷ ବ୍ୟୁରୋ: ଶନିବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ଯେଉଁ ମ୍ୟାଚ ଚଳିତ ସିଜିନର ଶେଷ ପ୍ଲେଅଫ ଦଳର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା । ତେବେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଚତୁର୍ଥ ଦଳଭାବେ ପ୍ଲେଅଫରେ ସ୍ଥାନ ପକ୍କା କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଚେନ୍ନାଇ ପ୍ଲେଅଫରେ ପହଞ୍ଚିବା ପାଇଁ ଅନ୍ତିମ ଓଭରରେ ୧୭ ରନର ଆବଶ୍ୟକତା ରହୁଥିବା ମାତ୍ର ଧୋନୀ ପ୍ରଥମ ବଲରୁ ଏକ ୧୧୦ ମିଟରର ଲମ୍ବା ଛକା ମାରିଥିଲେ । ଯାହାକି ଚେନ୍ନାଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଭରି ଦେଇଥିଲା । ଗତ ସିଜିନରେ ୟଶ ଦୟାଲଙ୍କ ଶେଷ ଓଭରରେ ୬ ଛକା ମାରି ରିଙ୍କୁ ସିଂ ବିଜୟ କରିଥିଲେ । ଆଉ ଶନିବାର ଚେନ୍ନାଇ ବାଙ୍ଗାଲୋର ମ୍ୟାଚରେ ଧୋନୀ ପଥମ ବଲରେ ଛକା ମାରିଥିଲେ ।

ଆଉ ୫ ବଲରୁ ୧୧ ରନ ଆବଶ୍ୟକ ହେଉଥିଲା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି, ଧୋନୀ ବଡ଼ ଛକା ମାରିଲେ କିନ୍ତୁ ସେ କିଭଳି ପରାଜୟର କାରଣ ପାଲଟିଲେ । ତେବେ ଏହି ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି କି, ଧୋନୀଙ୍କ ଲମ୍ବା ଛକା ଚେନ୍ନାଇ ପରାଜୟର ମୁଖ୍ୟ କାରଣ । କାହିଁକି ନାଁ ଧୋନୀଙ୍କ ୧୧୦ ମିଟର ଛକାଟି ଷ୍ଟାଡିୟମ ବାହାରକୁ ଚାଲି ଯାଇଥିଲା । ଫଲରେ ଅମ୍ପାୟାର ନୂଆ ବଲରେ ଖେଳ ଆରମ୍ଭ କରିଥିଲେ । ତେବେ ପୁରୁଣା ବଲଟି ଓଦା ହୋଇଥିବାବେଳେ ବୋଲରଙ୍କୁ ଅସୁବିଧା ଉପୁଜାଉଥିଲା । ଯେଉଁ କାରଣରୁ ଅମ୍ପାୟାରଙ୍କୁ ବାଙ୍ଗାଲୋର ପକ୍ଷରୁ ବଲ ବଦଳାଇବା ପାଇଁ ଅପିଲ କରାଯାଇଥିଲା । ମାତ୍ର ଅମ୍ପାୟାର ବଦଳାଇନଥିଲେ । କିନ୍ତୁ ଧୋନୀ ବଡ଼ ଛକା ମାରି ଷ୍ଟାଡିୟମ ବାହାରକୁ ବଲ ପଠାଇବା ପରେ ନୂଆ ବଲରେ ବୋଲିଂ ହୋଇଥିଲା । ଯାହାକି ବାଙ୍ଗାଲୋର ପାଇଁ ଲାଭଦାୟକ ହୋଇଥିଲା । ନୂଆ ବଲରେ ୟର୍କର ଏବଂ ନକଲ ବଲ କାମ କରିଥିଲା ।