ଉତ୍ତରପ୍ରଦେଶର ବର୍ତ୍ତମାନ ସ୍ଥିତି ପାଇଁ ଯୋଗୀଙ୍କ ବ୍ୟବସ୍ଥା ହିଁ ଦାୟୀ
1 min readନୂଆଦିଲ୍ଲୀ: ଉନ୍ନାଓରୁ ହାଥରସ୍ । ସବୁଠି ଯୋଗୀ ସରକାରର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ । ହାଥରସରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କ ସହ ଜଘନ୍ୟ କାଣ୍ଡକୁ ଯୋଗୀ ସରକାର ଯେଉଁ ପ୍ରକାରେ ଭାବେ ଦବାଇ ଦେବାକୁ ଚେଷ୍ଟା କଲେ । ତାକୁ ସାରା ଦେଶ ନିନ୍ଦା କରୁଛି । ଏହି ମାମଲରେ ପ୍ରଥମେ ଉତ୍ତର ପ୍ରଦେଶ ପୋଲିସ ଠିକରେ ଏତଲା ରୁଜୁ କରିନଥିଲା । ଏଫଆଇଆରରେ ଗଣଦୁଷ୍କର୍ମ ଧାରା ମଧ୍ୟ ଲଗାଯାଇ ନଥିଲା । ଠିକ୍ ସମୟରେ ମେଡିକାଲ ପରୀକ୍ଷା କରାଗଲା ନାହିଁ । ଯେତେବେଳେ ଏହି ମାମଲାରେ ହାଥରସ୍-ଆଗ୍ରାର ସ୍ଥାନୀୟ ସାମ୍ବାଦିକ ଖବର ପ୍ରସାରଣ କଲେ ପ୍ରଶାସନ ଏହାକୁ ମିଛ କହିବା ସହ ସ୍ୱର ଦବାଇବା ପାଇଁ ମକଦ୍ଦମା କରିବାକୁ ଚେଷ୍ଟା କରିଥିଲା । ପୋଲିସ କହିଥିଲା ହାଥରସ୍ ଜିଲ୍ଲାରେ କୌଣସି ଗଣଦୁଷ୍କର୍ମ ଘଟଣା ଘଟିନାହିଁ ।
ମାମଲା ଧୀରେ ଧୀରେ ସଙ୍ଗୀନ ହେବାରୁ ସରକାର ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ପରିବର୍ତ୍ତେ ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଗତ ମଙ୍ଗଳବାର ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ରାତାରାତି ପରିବାରର ବିନା ଅନୁମତିରେ ହିଁ ମରଶରୀରକୁ ଦାହ କରି ଦେଇଥିଲା । ଏବେ ପୂରା ଗାଁକୁ ପୋଲିସ ଘେରାବନ୍ଦୀ କରି ରଖିବା ସହ ଜେଲ୍ କରି ଦେଇଛି ।
ରାଜ୍ୟରେ ଆଇନ୍ କାନୁନ୍ ବ୍ୟବସ୍ଥା ସମ୍ଭାଳୁଥିବା ଏଡିଜିଙ୍କ କହିବା କଥା- ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇନାହିଁ । ଯେତେବେଳେ କି ମୃତ୍ୟୁପୂର୍ବରୁ ଯୁବତୀ ଦୁଷ୍କର୍ମ ହୋଇଥିବା ନେଇ ଜମାନବନ୍ଦୀ ଦେଇଥିଲେ । ହାଥରସ ଘଟଣାର ୨୪ ଘଣ୍ଟା ଭିତରେ ହିଁ ବଳରାମପୁର, ଆଜମଗଡ଼ ଓ ଭଦୋହୀ ଜିଲ୍ଲାରୁ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଖବର ଆସିଥିଲା । ଏ ସମସ୍ତ ଘଟଣା ରାଜ୍ୟରେ ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର କିଭଳି ହେଉଛି ତାହା ଦର୍ଶାଉଛି ।
ଦଳିତ ମହିଳାଙ୍କ ଉପରେ ବଢ଼ିଥିବା ଅତ୍ୟାଚାର ସହ ଗତ କିଛିମାସ ହେଲା ପ୍ରତିଦିନ ବ୍ରାହ୍ମଣ ସମାଜର କୌଣସି ବ୍ୟକ୍ତିଙ୍କୁ ମାରି ଦିଆଯାଉଥିବା ନେଇ ଖବର ଆସୁଛି । ବ୍ରାହ୍ମଣଙ୍କ ହତ୍ୟାକୁ ନେଇ ଲାଗୁଛି ଯେମିତି ଉତ୍ତରପ୍ରଦେଶରେ ଚାଲିଛି ଗ୍ୟାଙ୍ଗୱାର । ଏ ସମସ୍ତ ଘଟଣା ସାବ୍ୟସ୍ତ କରୁଛି ଉତ୍ତରପ୍ରଦେଶରେ ଆଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ତେବେ, ପ୍ରଶ୍ନ ଉଠିଛି ଏହା ପଛରେ ମୁଖ୍ୟ କାରଣ କଣ ?
ପ୍ରଶାସନରେ ଠାକୁରଙ୍କ ଦବଦବା
ଉତ୍ତରପ୍ରଦେଶରେ ବିଗିଡ଼ି ପଡ଼ିଥିବା ଆଇନ୍ ବ୍ୟବସ୍ଥା ଉପରେ ଆଲୋଚନା କଲେ ତାହା ଜିଲ୍ଲାରେ ଥିବା ଜିଲ୍ଲାପାଳ ଓ ଏସପିଙ୍କ ଜାତିକୁ ନେଇ ବୁଝିହେବ । ଗତ କିଛିଦିନ ତଳେ ପୂର୍ବତନ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ରାଜ୍ୟର ୪୦ରୁ ଅଧିକ ଜିଲ୍ଲାପାଳ ଓ ଏସପିଙ୍କ ଜାତି ତଥ୍ୟ ସାର୍ବଜନୀନ କରିଥିଲେ । ଯେଉଁମାନେ କି ମୁଖ୍ୟମନ୍ତ୍ରୀଙ୍କ ଜାତିର । ଜିଲ୍ଲାର ଜିଲ୍ଲାପାଳ ଓ ଏସଏସପିଙ୍କ ଜାତିକୁ ନେଇ ଆଇନ୍ ବ୍ୟବସ୍ଥାର ଖରାପ ସ୍ଥିତି ଜାଣିବା ପଛର କାରଣ ହେଉଛି ଅଧିକାରୀଙ୍କ ପୂର୍ବାଗ୍ରହ କିଛି ନିର୍ଦ୍ଦିଷ୍ଟ ସମୁଦାୟ ପ୍ରତି ପକ୍ଷପାତିତା ପ୍ରଦର୍ଶନ । ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ପୂର୍ବାଗ୍ରହ ଆଇନ ବ୍ୟବସ୍ଥାକୁ ବୁଝିବା ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅସ୍ତ୍ର ହୋଇଥାଏ । ହାଥରସ୍ ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କ ପୂର୍ବାଗ୍ରହ ମଧ୍ୟ ଦେଖଯାଉଛି । କିନ୍ତୁ, ଏଥିରୁ ଉତ୍ତରପ୍ରଦେଶରେ ବଦଳିଥିବା ବର୍ତ୍ତମାନର ଖରାପ ଆଇନ୍ ବ୍ୟବସ୍ଥାକୁ ଠିକରେ ବୁଝି ହେବନାହିଁ । ଏହାକୁ ବୁଝିବା ପାଇଁ ବର୍ତ୍ତମାନ ସରକାରର ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ଗଭୀର ଭାବେ ଦେଖିବାକୁ ପଡ଼ିବ । ଯାହା ଆଧାରରେ ଯୋଗୀ ଆଦିତ୍ୟନାଥ ସରକାର ଚଳାଇବାକୁ ଚେଷ୍ଟା କରୁଛନ୍ତି ।
କ୍ଷମତାର କେନ୍ଦ୍ରୀକରଣ
ଯୋଗୀ ଆଦିତ୍ୟନାଥଙ୍କ ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ଦେଖିଲେ- ଉତ୍ତରପ୍ରଦେଶରେ ସରକାର କ୍ଷମତାକୁ କେନ୍ଦ୍ରୀଭୂତ କରି ପରିଚାଳନା ପାଇଁ ଚେଷ୍ଟା କରାଯାଉଛି । ଏହା ପଛରେ ବଡ଼ କାରଣ ହେଉଛି ବିଜେପିରେ ଅନୁଭବୀ ନେତାଙ୍କ ଅଭାବ । ଯାହାକି ଆଜିକାଲି ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ବନ୍ଧରେ କୁହାଯାଉଛି । ଉତ୍ତରପ୍ରଦେଶର ସ୍ଥିତି ବି ଆହୁରି ଖରାପ । କାରଣ ଏଠି ନିର୍ବାଚନ ଜିତିବା ଲାଗି ବିରୋଧୀ ଦଳରେ ବଡ଼ ବଡ଼ ନେତାଙ୍କୁ ଦଳରେ ସାମିଲ୍ କରାଯାଇଥାଏ । ନିର୍ବାଚନ ଚାପରେ ବିବସତା ଯୋଗୁଁ ଯୋଗୀ ବିରୋଧୀ ଦଳର ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ତ କରନ୍ତି । କିନ୍ତୁ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଅନ୍ତି ନାହିଁ । ଖାସ୍ ଏଥିପାଇଁ ଯୋଗୀ ନିଜ ପାଖରେ ଗୃହ ମନ୍ତ୍ରାଳୟ ସମେତ ଅନ୍ୟ ମୁଖ୍ୟ ବିଭାଗ ନିଜ ପାଖରେ ରଖିଛନ୍ତି ।
ଏମିତିରେ ବିଡ଼ମ୍ବନା ହେଉଛି ଉତ୍ତରପ୍ରଦେଶ ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟିରୁ ୟୁରୋପର ଅଧିକାଂଶ ଦେଶ ତୁଳନାରେ ବଡ଼ । ପୁଣି ଉତ୍ତରପ୍ରଦେଶରେ ସ୍ୱତନ୍ତ୍ର ଭାବେ ଗୃହମନ୍ତ୍ରୀ ନାହାଁନ୍ତି । ଯିଏ ଗୃହମନ୍ତ୍ରୀ, ସିଏ ରାଷ୍ଟ୍ର ମନ୍ତ୍ରୀ ଅଟନ୍ତି । ଯିଏ କି କ୍ୟାବିନେଟ୍ ବୈଠକରେ ସାମିଲ ହୋଇପାରନ୍ତି ନାହିଁ । ନିଜ ମନ୍ତ୍ରୀଙ୍କ ସହ କ୍ଷମତା ନ ବାଣ୍ଟିବା ପାଇଁ ଯୋଗୀ ବହୁତ୍ କମ କ୍ୟାବିନେଟ୍ ବୈଠକ ବି ଡାକନ୍ତି । ଏବଂ ଅଧିକାଂଶ ସମୟ ସଚିବଙ୍କ ସହ ବୈଠକ କରିଥାନ୍ତି । ତେବେ, ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯୋଗୀଙ୍କ ପାଖରେ ସେମିତି କୌଣସି ପ୍ରଶାସନିକ ଅନୁଭବ ହିଁ ନାହିଁ । ସେଥିପାଇଁ ସରକାର ଚଳାଇବାରେ ସେ ସଚିବଙ୍କ ଉପରେ ନିର୍ଭର କରିଥାନ୍ତି ।
ସଚିବଙ୍କ ଉପରେ ଯୋଗୀ ନିର୍ଭର
ପ୍ରଶାସନିକ ଅନୁଭବ ନଥିବା ଯୋଗୀ କ୍ଷମତା ଠାରୁ ଅନ୍ୟମାନଙ୍କୁ ଦୂରେଇ ରଖିବାକୁ ସଚିବଙ୍କ ଉପରେ ନିର୍ଭର କରନ୍ତି । ଏଥିପାଇଁ ସେ ରାଜ୍ୟରେ ମନ୍ତ୍ରୀଙ୍କ ନୁହେଁ ବରଂ ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ଏକ ଟିମ୍ କରି ଚଳାଉଛନ୍ତି । ଏହି ପ୍ରକାରେ ଅଲଗା ଅଲଗା ବିଭାଗ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ।