ଶିଞ୍ଜୋ ଆବେଙ୍କ ମୃତ୍ୟୁରେ କାହିଁକି ଖୁସି ମନାଉଛନ୍ତି ଚାଇନିଜ୍? ଜାଣନ୍ତୁ ସମ୍ପୂର୍ଣ୍ଣ ଇତିହାସ

1 min read

ନନ୍ଦିଘୋଷ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗତକାଲି ଗୁଳି କରି ହତ୍ୟା କରାଯାଇଛି । ପଶ୍ଚିମ ଜାପାନର ନାରା ସହରରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଜଣେ ଦୁର୍ବୁର୍ତ୍ତ ଗୁଳି କରିଥିଲା । ହସ୍ପିଟାଲରେ ୬ ଘଣ୍ଟା ଚିକିତ୍ସା ପରେ ଆବେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ତାଙ୍କ ମୃତ୍ୟୁରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ବିଶ୍ୱ ନେତୃତ୍ୱ ମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଭାରତ ସହ ଶିଞ୍ଜୋଙ୍କ ସମ୍ପର୍କ ମଧ୍ୟ ଘନିଷ୍ଠ ଥିଲା । ଭାରତ-ଜାପାନ ସମ୍ପର୍କ ସୁଦୃଢ କରିବାରେ ଶିଞ୍ଜୋଙ୍କ ମୁଖ୍ୟ ଭୂମିକା ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିଲେ । ତାଙ୍କ ସମ୍ମାନରେ ଦିନିକିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ଶନିବାର ଭାରତରେ ପାଳନ ହେଉଛି । ହେଲେ ଅନ୍ୟପକ୍ଷରେ ଚୀନ୍ ଶିଞ୍ଜୋଙ୍କ ମୃତ୍ୟୁରେ ଉତ୍ସବ ମନାଉଛି  ।

ଆକ୍ରମଣକାରୀ ସୁଟରକୁ ଚୀନ୍ ପକ୍ଷରୁ ହିରୋ କୁହାଯାଉଛି । ସାମାଜିକ ଗଣମାଧ୍ୟମରେ ଚୀନ୍ ୟୁଜରଙ୍କ ପୋଷ୍ଟ ଦେଖିବାକୁ ମିଳିଛି । ଆବେଙ୍କୁ ଗୁଳି ଲଗିବା ପରେ ତାଙ୍କର ଚିକିତ୍ସା ମେଡିକାଲରେ ହେଉଥିବା ସମୟରେ ଜଣେ ଚୀନ୍ ୟୁଜର ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ମୁଁ ଆବେଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲି, ଆକ୍ରମଣକାରୀ କିଏ? ମୁଁ ତାଙ୍କୁ ପଇସା ଦାନ କରିବାକୁ ଚାହୁଁଛି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆବେଙ୍କ ମୃତ୍ୟୁର ଉତ୍ସବ ମନାଉଛି, ଏହା ସାମ୍ପେନ ଖୋଲିବା ଭଳି ଅଟେ  ।

Image

ତେବେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋଙ୍କ ମୃତ୍ୟୁରେ ଚୀନ୍ କାହିଁକି ଖୁସି ହେଉଛି ତାର କାରଣ ଜାଣିବା । ଜାପାନର ପ୍ରଧାନମନ୍ତ୍ରୀ ଥିବା ସମୟରେ ଶିଞ୍ଜୋ ଚୀନ୍ ବିରୋଧରେ କଠୋର ନୀତି ଆପଣାଇଥିଲେ । ଚୀନ୍ ଏବଂ ଜାପାନ ସମ୍ପର୍କ ହଜାର ବର୍ଷ ପୂରୁଣା । କେବେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ତ ଆଉ କେତବେଳେ ତିକ୍ତ । ଦୁଇ ଦେଶ ମଧ୍ୟରେ ଦୁଇଟି ଭୟଙ୍କର ଯୁଦ୍ଧ ହୋଇଛି । ୧୮୯୪-୧୮୯୫ରେ ପ୍ରଥମ ଚୀନ-ଜାପାନ ଯୁଦ୍ଧ ହୋଇଥିଲା ଏବଂ ୧୯୩୭-୧୯୪୫ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦ୍ୱିତୀୟ ଯୁଦ୍ଧ ହୋଇଥିଲା  । ଏହି ଦୁଇଟି ଯୁଦ୍ଧରେ ଚୀନର ଅଧିକ କ୍ଷତି ହୋଇଥିଲା ଏବଂ ଲକ୍ଷ ଲକ୍ଷ ଚାଇନିଜ ମୃତ୍ୟୁବରଣ କରିଥିଲେ ।

ଦ୍ୱିତୀୟ ଚୀନ-ଜାପାନ ଯୁଦ୍ଧ ସମୟରେ ୧୯୩୭ରେ ଚୀନର ନାନଜିଙ୍ଗ ସହରରେ ଜାପାନ ସେନା ନରସଂହାର କରିଥିଲେ । ଏହି ସମସ୍ତ ଘଟଣାକୁ ଏବେ ବି ଭୁଲି ନାହିଁ ଚୀନ । ଏହି ନରସଂହାରକୁ ନେଇ ଚୀନ୍ ସବୁବେଳେ ଜାପାନ ଉପରେ ପ୍ରତିଶୋଧ ନେବାକୁ ମଉକା ଖୋଜୁଛି । ଚୀନର ଏହି ଅଭିଯୋଗକୁ ଶିଞ୍ଜୋ ପ୍ରଧାନମନ୍ତ୍ରୀ ଥିବା ସମୟରେ ଖଣ୍ଡନ କରିଥିଲେ । କହିଥିଲେ ଚୀନ୍ ଘଟଣାକୁ ଅତିରଞ୍ଜିତ କରି କହୁଛି । ଯେଉଁ କାରଣରୁ ଶିଞ୍ଜୋଙ୍କ ଉପରେ ଚୀନ୍ ଖପା ହୋଇ ରହୁଥିଲା । ଶିଞ୍ଜୋ ଆବେଙ୍କ ମାମୁଁ ଜେଜେ ନୋବୁସୁକେ କିଶୀଙ୍କ ଉପରେ ଏବେବି ଚାଇନିଜ ଘୃଣା କରୁଛନ୍ତି । କିଶୀଙ୍କ ସମ୍ପର୍କରେ ଚୀନର ପ୍ରସିଦ୍ଧ ଲେଖକ ୱାଙ୍ଗ କ୍ୱିଜିୟାଙ୍ଗ ଲେଖିଛନ୍ତି, ତାଙ୍କ ଅପରାଧର ଧାଡି ସ୍ୱର୍ଗ ପର୍ଯ୍ୟନ୍ତ ଲାଗିଛି, ସେ ବାସ୍ତବରେ ଜଣେ ସୈତାନ ଥିଲେ ।

୧୮୯୬ରେ ଜନ୍ମଗ୍ରହଣ କରିଥିବା ନୋବୁସୁକେ କିଶୀଙ୍କର ସବୁଠୁ ଅଧିକ ଚର୍ଚ୍ଚା ଜାପାନର ଚୀନ ଉପରେ କବଜା ସମୟରେ ଚାଇନିଜଙ୍କ ଉପରେ ଅତ୍ୟାଚାର ପାଇଁ ହୋଇଥାଏ । ୧୯୩୦-୪୦ ସମୟରେ ଚୀନ ଉପରେ ଜାପାନର କବଜା ସମୟରେ କିଶୀଙ୍କ ନିର୍ଦ୍ଦେଶରେ ଚାଇନିଜ ଲୋକଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଥିଲା, ତାକୁ ଚୀନ ଲୋକ କେବେ ଭୁଲି ପାରିନାହାନ୍ତି । ଚୀନ ଲୋକଙ୍କ ଅଭିଯୋଗ ଅନୁଯାୟୀ ମାଞ୍ଚୁକୁଓରେ ଜାପାନୀଜ ସେନା ଜବରଦସ୍ତି ବେଶ୍ୟାବୃତିଠୁ ନେଇ ଚାଇନୀଜଙ୍କୁ ଫାଶୀରେ ଝୁଲାଇବା ଏବଂ ସେମାନଙ୍କ ଉପରେ କେମିକାଲ ପରୀକ୍ଷା ଭଳି ଅନେକ ଅପରାଧ କରିଥିଲେ  ।

କିଶୀଙ୍କ ଇସାରାରେ ହିଁ ଏସବୁ ହୋଇଥିବା ଏବେବ ବି ଚୀନ ଲୋକ ଅଭିଯୋଗ କରନ୍ତି । କିଶୀଙ୍କ ଅତ୍ୟାଚାର ପାଇଁ ତାଙ୍କୁ ଚାଇନୀଜ ରୋବଟ ଗୁଲାମ ବୋଲି କୁହାଯାଉଥିଲା । ତେବେ କେବଳ ମାମୁଁ ଜେଜେଙ୍କ ପାଇଁ ନୁହେଁ ବରଂ ଶିଞ୍ଜୋଙ୍କ ଉପରେ ମଧ୍ୟ ଚାଇନୀଜ ଚିଡୁଥିଲେ । ଆବେଙ୍କୁ ଚୀନ ନୀତିର କଟ୍ଟର ବିରୋଧୀ ଜଣାଯାଉଥିଲା । ସେ ଦକ୍ଷିଣ ଚୀନ ସାଗର ଉପରେ ଚୀନର ଦାବିକୁ ଶିଞ୍ଜୋ ଖାରଜ କରିବା ସହ ବିରୋଧ କରିଥିଲେ । ସେହିପରି ତାଇୱାନ ଉପରେ ଚୀନର କବଜା କରିବା ଉଦ୍ୟମକୁ ମଧ୍ୟ ଶିଞ୍ଜୋ ବିରୋଧ କରିଥିଲେ । ସ୍ୱତନ୍ତ୍ର ଦେଶ ଭାବେ ତାକୁ ଛାଡି ଦେବା ପାଇଁ ମଧ୍ୟ କହିଥିଲେ । ଅବଶ୍ୟ ଚୀନ ଦୀର୍ଘ ସମୟ ହେବ ତାଇୱାନକୁ ଚୀନରେ ମିଶାଇବା ପାଇଁ ଉଦ୍ୟମ ଚଳାଇଛି । ଭାରତ ସହ ଶିଞ୍ଜୋଙ୍କ ସମ୍ପର୍କ ସବୁବେଳେ ଭଲ ରହିଥିଲା । ଭାରତ ପ୍ରତି ଜାପାନର ସମ୍ପର୍କ ବୃଦ୍ଧିକୁ ଭାରତର ପରମ୍ପରାଗତ ଶତ୍ରୁ ଚୀନ୍ ବିରୋଧ କରୁଥିଲା । ଅବଶ୍ୟ ଗତକାଲି ଶିଞ୍ଜୋଙ୍କ ମୃତ୍ୟୁରେ ଚୀନ ସରକାରଙ୍କ ପକ୍ଷରୁ ଔପଚାରିକ ଭାବେ ଶୋକ କରାଯାଇଛି  । କିନ୍ତୁ ଚୀନ ଲୋକ ଖୁସି ମନାଉଛନ୍ତି  । ଚାଇନିଜଙ୍କ ଏପରି ବ୍ୟବହାର ପାଇଁ ନିନ୍ଦା କରାଯାଉଛି  ।