ମୋଦି ସରକାରଙ୍କ ଏହି ୪ ପଦକ୍ଷେପ ଚୀନକୁ ଡରାଇଛି..

1 min read

ଲଦାଖ ଭିତରକୁ ଅନୁପ୍ରେବଶ କରିଥିବା ଚୀନ ସେନା ୨ରୁ ୩ କିମି ପଛକୁ ଫେରିଛି । ଭାରତୀୟ ସେନା ମଧ୍ୟ କିଛି ଦିନର ଗତିରୋଧ ପରେ ପଛକୁ ଫେରିଛି ।ତେବେ ଦୁନିଆ ସାମ୍ନାରେ ଗୋଟିଏ ପ୍ରଶ୍ନ ଯେ, ଚୀନ ହଠାତ ଏଭଳି ଆକ୍ରାମକ ହେବାର କାରଣ କ’ଣ ? କାରଣ ୨୦୧୮ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଚୀନ ସହ ଆମର ସୀମା ବିବାଦ ଥିଲେ ମଧ୍ୟ ୧୯୬୨ ପରଠାରୁ ସୀମାରେ ଗୋଟିଏ ବି ଗୁଳି ଫୁଟିନି । ତେବେ ଚୀନ ବର୍ତ୍ତମାନ ଏଭଳି ଆକ୍ରାମକ ହେବା ଭାରତକୁ ନିଶ୍ଚିତ ଭାବେ ଅସହଜ କରିଛି ।

ପୂର୍ବତନ ସେନା ମୁଖ୍ୟ ବିପି ମଲ୍ଲିକଙ୍କ ଅନୁସାରେ କାଶ୍ମୀରରୁ ଧାରା ୩୭୦ ହଟାଇବା ଗୋଟିଏ କାରଣ ହୋଇପାରେ । ଚୀନ ଭାରତର ପଦକ୍ଷେପ ବିରୋଧରେ ସେତେବେଳେ ଟିପ୍ପଣୀ କରିଥିଲା । ଚୀନ ଯଥାସ୍ଥିତି ବନାଇ  ରଖିବାକୁ ସେତେବେଳେ କହିଥିଲା । ଚୀନର ଚେଲା ପାକିସ୍ତାନ ସବୁବେଳେ ଚୀନକୁ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହି ଆସୁଛି ।

ଏହାପରେ ଆସିଲା କରୋନା କାଳ । ଦୁନିଆ କରୋନାକୁ ନେଇ ଲକଡାଉନ୍ ଭିତରେ ରହିଛି । ଚୀନ କରୋନାକୁ ଲୁଚାଇ ରଖିଥିବା ଅଭିଯୋଗରେ ଆମେରିକା,ଅଷ୍ଟ୍ରେଲିଆ ଓ ଜାପାନ ତା’ ବିରୋଧରେ ମେଣ୍ଟ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଏହି ତିନି ଦେଶ ଆଣିଥିବା ପ୍ରସ୍ତାବକୁ ଭାରତ ସମର୍ଥନ କରିଥିଲା । ଦୁନିଆରେ ଚୀନ ଏକୁଟିଆ ହେଉଥିବା ଅନୁଭବ କରୁଛି । ଏଣେ ଭାରତର ବିରୋଧ ତାକୁ ପ୍ରତିକ୍ରିୟାଶୀଳ କରିଛି ।

ଲଦାଖ ଓ ଅନ୍ୟ ସୀମାବର୍ତ୍ତି ଅଂଚଳରେ ଭାରତର ସଡକ ନିର୍ମାଣ ମଧ୍ୟ ଚୀନକୁ ଉତକ୍ଷିପ୍ତ କରିଛି । ୧୯୬୨ ଯୁଦ୍ଧରେ ଗମନାଗମନ ସୁବିଧା ଅଭାବ ଯୋଗୁ ଭାରତ ହାରିବା ମଧ୍ୟ ଗୋଟିଏ କାରଣ ଥିଲା । ଭାରତ ଏବେ ସୀମାରେ ନିଜ ରୋଡ୍ ନେଟୱର୍କକୁ ଶକ୍ତିଶାଳୀ କରୁଛି । ଯାହାକୁ ଚୀନ ପସନ୍ଦ କରୁନାହିଁ । ଏପ୍ରିଲ ମାସରେ  ଲେହର କାରୁଠାରୁ କାରାକୋରମ ପର୍ଯ୍ୟନ୍ତ ଗୋଟିଏ ବାଇକ୍ ରାଲି ଆୟୋଜନ ହୋଇଥିଲା । ଏଥିରେ ଭାରତୀୟ ଯବାନ ମଧ୍ୟ ସାମିଲ ହୋଇଥିଲେ । ନବନିର୍ମିତ ୨୫୫ କିମି ଲମ୍ବ ବିଶିଷ୍ଟ ଦାରବୁକ-ଶୋୟାକ-ଦୌଲତବେଗ୍ ଓଲଡି ସଡକ ଦେଇ ଏହି ବାଇକ୍ ରାଲି ଯାଇଥିଲା । ଏହି ସଡକ ଭାରତୀୟ ସେନାକୁ ଚୀନ୍ ଅଧିକୃତ ଅକସାଇ ଚୀନ ପର୍ଯ୍ୟନ୍ତ ରାସ୍ତା ଦିଏ ।

ଭାରତ ଚୀନକୁ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଚ୍ୟାଲେଂଜ୍ କରୁଛି

କରୋନା ମହାମାରୀ ଭିତରେ ଚୀନରେ ଥିବା ଅନେକ ବିଦେଶୀ କଂପାନୀ ସେଠାରୁ ନିଜ ମାନୁଫ୍ୟାକ୍ଚରିଂ ୟୁନିଟକୁ ଭାରତ ଆଣିବାକୁ ଇଛା ପ୍ରକଟ କରିଛନ୍ତି । ପ୍ରାୟ ୧୦୦୦ କମ୍ପାନୀ ଭାରତ ଆସିବେ ବୋଲି କୁହାଯାଉଛି । ଯାହା ଚୀନ ଅର୍ଥନୀତିକୁ ପ୍ରଭାବିତ କରିବ । ଚୀନ ଏହାକୁ ନେଇ ଉତକ୍ଷିପ୍ତ ରହିଛି ।ଚୀନକୁ ଭାରତ ଅର୍ଥନୈତିକ ମୋର୍ଚ୍ଚାରେ ମଧ୍ୟ ଚ୍ୟାଲେଂଜ୍ କରୁଛି । ଏପ୍ରିଲ ମାସରେ ଭାରତ ସରକାର ପ୍ରତ୍ୟକ୍ଷ ପୁଂଜି ନିବେଶ ବା ଏଫ  ଡି ଆଇରେ ପରିବର୍ତ୍ତନ ଆଣିଥିଲେ । ଭାରତ ସରକାରଙ୍କ ଆଶଙ୍କା ଥିଲା ଯେ, କରୋନାର ଫାଇଦା ଉଠାଇ ଚୀନ୍ ଭାରତୀୟ କଂପାନୀଙ୍କ ଅଧିଗ୍ରହଣ କରିପାରେ । ତେଣୁ ଭାରତ ସରକାର ଗୋଟିଏ ନୂଆ ନିୟମ କରିଥିଲେ  । ଏହି ନିୟମ ଅନୁସାରେ ଭାରତର ପଡୋଷୀ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ପୁଂଜି ନିବେଶ ପାଇଁ ଆଗୁଆ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ । ଏହି ନିୟମ ଚୀନକୁ ଦେଖି ଅଣାଯାଇଛି । ଚୀନ୍ ଏଥିପାଇଁ ମଧ୍ୟ ଭାରତକୁ ନେଇ ସନ୍ତୁଷ୍ଟ ନାହିଁ ।

Leave a Reply