ଆସାମ ଓ ମିଜୋରାମ ମଧ୍ୟରେ ଉଗ୍ରରୂପ ନେଲା ସୀମା ବିବାଦ: ବେଆଇନ ଅନୁପ୍ରବେଶ ହିଁ ଅଶାନ୍ତିର କାରଣ

ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେଇଛି । ୬ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ପରେ ଏବେ ସାରା ଦେଶର ନଜର ଏହି ଦୁଇ ରାଜ୍ୟ ଉପରେ । କେନ୍ଦ୍ର ସରକାର ବିବାଦକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବିରୋଧୀ ମଧ୍ୟ ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି । ଇଂରେଜ ଅମଳରୁ ଲାଗି ରହିଛି ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ । ଏଥିପାଇଁ ଆଜି ବି ବଳିପଡୁଛନ୍ତି ସୀମାବର୍ତ୍ତି ଅଞ୍ଚଳ ଲୋକେ ।

ଆସାମ ଓ ମିଜୋରାମ ସୀମାରେ ବଡ଼ ଧରଣର ସଂଘର୍ଷରେ ଆସାମର ୫ ପୋଲିସ କର୍ମଚାରୀଙ୍କ ସହ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏଭଳି ହିଂସା ପରେ ପୂରା ଦେଶର ନଜର ଏବେ ଏହି ଦୁଇ ଅଞ୍ଚଳ ଉପରେ ପଡ଼ିଛି ।

ଆସାମର କହିବା କଥା, ମିଜୋରାମ ଧୀରେ ଧୀରେ ଆସାମ ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କଲାଣି । ଯାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆସାମର ଏକ ଜଙ୍ଗଲ ମଧ୍ୟ ମିଜୋରାମ ଧୀରେ ଧୀରେ ସଫା କରିଦେଲାଣି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅଭିଯୋଗ କରିଛନ୍ତି । ଆସାମର ସୀମା ବିବାଦ କେବଳ ମିଜୋରାମ ସହ ନାହିଁ । ରାଜ୍ୟର ସୀମାକୁ ଲାଗିଥିବା ଅନ୍ୟ ୫ଟି ରାଜ୍ୟ ସହ ବିବାଦ ମଧ୍ୟ ଜାରି ରହିଛି । ଏହି ସମସ୍ତ ରାଜ୍ୟ ନିଜ ନିଜ ଉପରେ ବେଆଇନ ଅନୁପ୍ରବେଶ ଭଳି ଅଭିଯୋଗ କରିଆସୁଛନ୍ତି । ଆସାମ ସହ ମିଜୋରାମର ଏହି ବିବାଦ ଗଲା ୧୦୦ ବର୍ଷର । ଇଂରେଜ ଅମଳରୁ ଏହି ସମସ୍ୟା ଜାରି ରହିଥିଲେ ମଧ୍ୟ କୌଣସି ସରକାର ଏହାର ସମାଧାନ ନକରିବା ଆଶ୍ଚର୍ଯ୍ୟର ପ୍ରସଙ୍ଗ ପାଲଟିଛି ।

Leave a Reply