ଚଣ୍ଡିଗଡ଼: ରବିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପାଇଁ ସୋନିଆ ଗାନ୍ଧିଙ୍କ ଅଫରୁ ପ୍ରତ୍ୟାଖାନ କରିଦେଇଛନ୍ତି । ଅଫରକୁ ପ୍ରତ୍ୟାଖାନ କରି ସେ କହିଥିଲେ ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ଶିଖ ହୁଅନ୍ତୁ । ଏଇଠି ପ୍ରଶ୍ନ ଉଠିପାରେ ଅମ୍ବିକା ସୋନି ହିଁ କାହିଁକି ? କ’ଣ ପାଇଁ କଂଗ୍ରେସ ହାଇକମାଣ୍ଡ୍ ସୋନିଙ୍କ ଉପରେ ଭରସା କରିଥିଲେ ? ଆଉ କ’ଣ ପାଇଁ ସୋନି ମୁଖ୍ୟମନ୍ତ୍ରୀ ହେବାକୁ ମନା କରିଦେଇଥିଲେ ? ଏହାର ଉତ୍ତର ଖୋଜିବାକୁ ଇତିହାସର ଫର୍ଦ୍ଦ ଓଲଟାଇବାକୁ ପଡ଼ିବ । ଯିବାକୁ ପଡିବ ପାଖାପାଖି ୫୦ ବର୍ଷ ତଳକୁ ।
ଅମ୍ବିକା ସୋନି ଓ ଗାନ୍ଧି ପରିବାରର ସମ୍ପର୍କ ଏବେର ନୁହେଁ । ଏହି ସମ୍ପର୍କ ଭାରତ-ପାକିସ୍ତାନ ବିଭାଜନ ସମୟରେ ସ୍ଥାପିତ ହୋଇଥିଲା । ଅମ୍ବିକାଙ୍କ ପିତା ପ୍ରଶାସନିକ ଅଧିକାରୀ ଥିଲେ । ପଞ୍ଜାବରୁ ଆସୁଥିବାରୁ ଅମ୍ବିକାଙ୍କ ପିତାଙ୍କ ସମ୍ପର୍କ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ସହିତ ଦୃଢ ହୋଇଥିଲା । ଫଳରେ ଅମ୍ବିକାଙ୍କ ଯିବା ଆସିବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଥିଲା । ଆଉ ଏହି ମାଧ୍ୟମରେ ଇନ୍ଦିରାଙ୍କ ସହିତ ତାଙ୍କ ସମ୍ପର୍କ ସ୍ଥାପିତ ହୋଇଥିଲା । ଏହି ସମ୍ପର୍କ ଜରୁରୀକାଳିନ ପରିସ୍ଥିତି କାଳରେ ଅଧିକ ଦୃଢ ହୋଇଥିଲା । ଅମ୍ବିକା ସୋନି, ସଞ୍ଜୟ ଗାନ୍ଧିଙ୍କ ଦୃଢ ସମର୍ଥକ ଥିଲେ । ଜୁନ୍ ୧୨,୧୯୭୫ରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରିଥିଲେ । ସେହିଦିନ ହିଁ ଇନ୍ଦିରାଙ୍କ ପ୍ରତି ସମର୍ଥନ ଜ୍ଞାପନ ପାଇଁ ଦିଲ୍ଲୀରେ ଏକ ରାଲି କରିବାର ନିଷ୍ପତି ହୁଏ । ଏହି ରାଲିକୁ ସଫଳ କରିବା ଦାୟିତ୍ୱ ଅମ୍ବିକାଙ୍କ ଉପରେ ପଡିଥିଲା । କାରଣ ଅମ୍ବିକା ଥିଲେ ସେତେବଳେ ଯୁବ କଂଗ୍ରେସର ସଭାପତି । ୩୩ ବର୍ଷୀୟ ଅମ୍ବିକା ଏହି ରାଲିକୁ ସଫଳ କରିବା ପାଇଁ ନିଜ ପୁରା ଦମ୍ ଲଗାଇ ଦେଇଥିଲେ । ଦିଲ୍ଲୀ ରୋଡ୍ ୱେ’ର ବସ ସହିତ ଟ୍ରକରେ ଆଖପାଖ ଗାଁରୁ ଲୋକଙ୍କୁ ବୁହାଯାଇ ରାଲିକୁ ସଫଳ କରାଯାଇଥିଲା ।

ଗାନ୍ଧି ପରିବାର ପ୍ରତି ସୋନିଙ୍କ ସମର୍ପଣ ଭାବର ଏହା ଗୋଟିଏ ଉଦାହରଣ ନୁହେଁ । ୧୯୬୯ ମସିହାରେ ବ୍ୟାଙ୍କ ଜାତୀୟକରଣକୁ ବିରୋଧ କରି କଂଗ୍ରେସରେ ମେଳି ହୋଇଥିଲା । ପରେ କଂଗ୍ରେସ ସିଣ୍ଡିକେଟ୍ ଇନ୍ଦିରାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଇନ୍ଦିରା କଂଗ୍ରେସରୁ ଅଲଗା ହୋଇ କଂଗ୍ରେସ- ଆର ଗଠନ କରିଥିଲେ । ଇନ୍ଦିରା ସୋନିଙ୍କୁ କଂଗ୍ରେସ ଆରରେ ସ୍ଥାନ ଦେଇଥିଲେ । ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ବିଭାଜିତ ହେବା ପରେ ଇନ୍ଦିରାଙ୍କ ବାସଭବନରେ ଗୋଟିଏ ସଭା ହୋଇଥିଲା । ଏହି ସଭାରେ କିଛି ଯୁବକ ଅଚାନକ ଚିଲାଇବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ୬ ଫୁଟ ଉଚ୍ଚତାର ସୋନି ତୁରନ୍ତ ମଂଚରୁ ଓହ୍ଲାଇ ହୁଟିଂ କରୁଥିବା ଯୁବକମାନଙ୍କୁ ଚାପୁଡା ମାରିବା ଆରମ୍ଭ କରିଦେଇଥିଲେ । ଏହି ଘଟଣାରୁ ଜଣା ପଡେ ସୋନି ଗାନ୍ଧି ପରିବାରର କେତେ ବିଶ୍ୱସ୍ତ ଥିଲେ ।

ସଂଜୟ ଗାନ୍ଧିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ, ଇନ୍ଦିରାଙ୍କ ହତ୍ୟା ଓ ରାଜୀବଙ୍କ ହତ୍ୟା ପରେ ମଧ୍ୟ ସୋନି ଗାନ୍ଧି ପରିବାର ସହିତ ଥିଲେ । ୧୯୭୬ ମସିହାରେ, ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ଠିକ୍ ୧ ବର୍ଷ ପରେ ଇନ୍ଦିରା ଅମ୍ବିକା ସୋନିଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ଚୟନ କଲେ । ସଂଜୟ ଗାନ୍ଧୀଙ୍କ ମୃତ୍ୟୁ ଏବଂ ଇନ୍ଦିରାଙ୍କ ହତ୍ୟା ପରେ ମଧ୍ୟ ଗାନ୍ଧୀ ପରିବାରର ହାତ ଛାଡିନଥିଲେ ଅମ୍ବିକା । ସେ ଏବେ ମଧ୍ୟ ପଞ୍ଜାବର ରାଜ୍ୟସଭାର ସଦସ୍ୟ ଅଛନ୍ତି। ବୋଧହୁଏ ସେଇଥିପାଇଁ ଯେତେବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ, ସେତେବେଳେ ଅମ୍ବିକା ସୋନି ସମ୍ଭବତଃ ଏହି ପଦବୀ ପାଇଁ ସେମାନଙ୍କ ନଜରରେ ଏକଦମ ଫିଟ୍ ଥିଲେ । କିନ୍ତୁ ରବିବାର ସକାଳେ ଅମ୍ବିକା ସୋନି ଗାନ୍ଧୀ ପରିବାରର ଏହି ଅଫରକୁ ମୁହଁରେ ହିଁ ପ୍ରତ୍ୟାଖ୍ୟାନ କରିଦେଲେ..ଯାହା ପୂର୍ବରୁ କେବେ ହୋଇନଥିଲା,ସଂଜୟ ଗାନ୍ଧୀଙ୍କ ଖାସ୍ ଓ ଇନ୍ଦିରାଗାନ୍ଧୀଙ୍କ ଉପରେ ଜୀବନ ଲୁଟୁଥିବା ଅମ୍ବିକା ରାହୁଲ ଓ ସୋନିଆଙ୍କ କଥା ରଖିଲେନାହିଁ କାହିଁକି ?
ଆଶା ଅନୁସାରେ ଏହା ପଛରେ ଦୁଇଟି କାରଣ ଥାଇପାରେ | ପ୍ରଥମେ ଦଳର ସୁଦୃଢତା ପାଇଁ ଅମ୍ବିକା ଜଣେ ଶିଖଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ଅଛନ୍ତି। ଦ୍ୱିତୀୟରେ, ଅମ୍ବିକା ସୋନି ୭୯ ବର୍ଷ ବୟସରେ ଗାନ୍ଧୀ ପରିବାରର ମୁଖା ହେବାକୁ ଚାହାଁନ୍ତି ନାହିଁ। ତାହା ପୁଣି ୬ ମାସ ପାଇଁ..କାହିଁକି ନା ଆଗାମୀ ନିର୍ବାଚନରେ କଂଗ୍ରେସର ବିଜୟର ସମ୍ଭାବନା ଖୋଦ୍ ଦଳର ନେତାମାନଙ୍କୁ ବି ଦେଖାଯାଉନାହିଁ ।

