’ଦଙ୍ଗଲ’ ଫିଲ୍ମରେ କାମ କରିବାକୁ କାହିଁକି ଅରାଜି ଥିଲେ ଅମିର: ଫିଲ୍ମ ଆୟ କରିଥିଲା ୨ ହଜାର କୋଟିରୁ ଅଧିକ

ବଲିଉଡ ଅଭିନେତା ଅମିର ଖାନଙ୍କ ଫିଲ୍ ’ଦଙ୍ଗଲ’ ବକ୍ସ ଅଫିସରେ ବମ୍ପର ଆୟ କରିଥିଲା । ଏହି ଫିଲ୍ମ ଚୀନରେ ରିଲିଜ ହେବା ସହ ଇତିହାସ ରଚିଥିଲା । ଦଙ୍ଗଲ ଦେଶର ସବୁଠାରୁ ଅଧିକ ଆୟକାରୀ ଫିଲ୍ମ ଭାବେ ରେକର୍ଡ କରିଥିଲା । ତେବେ ଏହା ମଧ୍ୟରେ ଉକ୍ତ ଫିଲ୍ମକୁ ନେଇ ସାମ୍ନାକୁ ଆସିଛି କିଛି ବଡ଼ ରହସ୍ୟ । ଏହି ଫିଲ୍ମରେ କାମ କରିବାକୁ ଅମିର ଆଗ୍ରହୀ ନଥିଲେ । ଫିଲ୍ମରେ କାମ କରିବାକୁ ସେ ଏକବର୍ଷ ସମୟ ଲଗାଇ ଦେଇଥିଲେ । ସାଧାରଣ ଭାବେ ଅମିର ଦେଶର ଏପରି କିଛି କଳାକାରଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ କି ଭାବିଚିନ୍ତି ପ୍ରାଜେକ୍ଟ ହାତକୁ ନେଇଥାନ୍ତି । ଅମିର ସର୍ବଦା ଦର୍ଶକଙ୍କୁ କିଛି ନୂଆ ଭେଟି ଦେଇଥାନ୍ତି । ତେବେ ଦେଶର ସର୍ବାଧିକ ଆୟକାରୀ ଫିଲ୍ମରେ ଅମିର କ’ଣ ପାଇଁ କାମ କରିବାକୁ ଇଛୁକ ନଥିଲେ, ତାହା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।
ଅମିରଙ୍କ ଜନ୍ମଦିନ ଅବସରରେ ଦଙ୍ଗଲ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ଏକ ସାକ୍ଷାତକାରରେ ଏ ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛନ୍ତି । ପ୍ରଥମ ଥର ହିଁ ଅମିରଙ୍କୁ ’ଦଙ୍ଗଲ’ ସ୍କ୍ରିପ୍ଟ ପସନ୍ଦ ଆସିଯାଇଥିଲା, ମାତ୍ର ତାହା ତାଙ୍କର କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ବୋଲି ଅମିର ଦ୍ବନ୍ଦ୍ବରେ ରହିଥିଲେ । ମହାବୀର ଫୋଗାଟଙ୍କ ଚରିତ୍ର ପାଇଁ ଅମିର ପ୍ରଥମ ପସନ୍ଦ ଥିଲେ । ମାତ୍ର ପରେ ଅମିର ଉକ୍ତ ଚରିତ୍ରରେ କାମ କରିବା ପାଇଁ ରାଜି ହୋଇଯାଇଥିଲେ, ଯାହାକି ଖୁସିର କଥା ବୋଲି ନିତେଶ କହିଛନ୍ତି ।