ଚାମ୍ପିୟନ୍ସ ଟ୍ରଫିରେ କେବଳ ୮ଟି ଟିମକୁ କାହିଁକି ବଛାଯାଏ, ଜାଣନ୍ତୁ ୨୭ ବର୍ଷର ଇତିହାସ

1 min read

 ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ । ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ କୌଣସି ବିଶ୍ବକପ ଠାରୁ କମ୍ ନୁହେଁ । ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଚାମ୍ପିୟନ୍ସ ଟ୍ରଫି କେବେ ଆରମ୍ଭ ହୋଇଥିଲା, କେଉଁ ଟିମ୍ କେତେଥର ଚାମ୍ପିୟନ ହୋଇଛି ଆଦିକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ଏବେ ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କିମାରିଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଚାମ୍ପିୟନ ଟ୍ରଫିରେ ସର୍ବଦା ୮ଟି ଟିମ କ’ଣ ପାଇଁ କ୍ବାଲିଫାଏ କରିଥାନ୍ତି ଆଉ ଏଥିପାଇଁ କୌଣସି ଟିମ୍ କିପରି କ୍ବାଲିଫାଏ କରିଥାନ୍ତି ।

୧୯୯୮ ମସିହାରେ ଆଇସିସି ଚାମ୍ପିୟନ ଟ୍ରଫିର ଶୁଭାରମ୍ଭ ହୋଇଥିଲା । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟର ନାମ ନକଆଉଟ ଟ୍ରଫି ରହିଥିଲା । ୧୯୯୮ରେ ହୋଇଥିବା ନକଆଉଟ ଟ୍ରଫି ଦକ୍ଷିଣ ଆଫ୍ରିକା ଜିତିଥିଲା । ମାତ୍ର ୨୦୦୦ରେ ଏହି ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଥର ଆୟୋଜିତ ହେବା ପରେ ତା’ର ନାମ ଚାମ୍ପିୟନ୍ସ ଟ୍ରଫି ରଖାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଚାମ୍ପିୟନ ଟ୍ରଫିର ୮ଟି ସଂସ୍କରଣ ଖେଳାଯାଇଛି । ଭାରତ ଓ ଅଷ୍ଟ୍ରେଲିଆ ୨-୨ ଥର ଲେଖାଏଁ ଟ୍ରଫି ଉଠାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ଥରେ ଲେଖାଏଁ ଚାମ୍ପିୟନ ହୋଇଛନ୍ତି ।

ଚାମ୍ପିୟନ୍ସ ଟ୍ରଫିରେ ୮ଟି ଟିମ କ’ଣ ପାଇଁ ବଛାଯାଇଥାଏ? ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ କ୍ରିକେଟର ୨୭ ବର୍ଷ ତଳର ଇତିହାସର ପୃଷ୍ଠାକୁ ଓଲଟାଇବାକୁ ପଡ଼ିବ । ୧୯୯୮ରେ ଆଇସିସି ନକଆଉଟ ଟ୍ରଫି ନାମରେ ଏହି ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରିଥିଲା । ଟୁର୍ଣ୍ଣାମେଣ୍ଟର ଫର୍ମାଟ ଅନୁସାରେ, ଟିମମାନଙ୍କର ପ୍ରଥମ ମ୍ୟାଚ କ୍ବାର୍ଟର ଫାଇନାଲ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ୯ଟି ଟିମ୍ ଅଂଶଗ୍ରହଣ କରିଥିଲେ । ପ୍ରିଲିମିନାରୀ ମ୍ୟାଚରେ ନ୍ୟଜିଲାଣ୍ଡ ପ୍ରତିପକ୍ଷ ଜିମ୍ବାଓ୍ବେକୁ ହରାଇ କ୍ବାର୍ଟର ଫାଇନାଲ ଷ୍ଟେଜ ପାଇଁ କ୍ବାଲିଫାଏ କରିଥିଲା । ତା’ପରେ ନକଆଉଟ ଟ୍ରଫିର ନାମ ପରିବର୍ତ୍ତନ କରାଯାଇ ଚାମ୍ପିୟନ୍ସ ଟ୍ରଫି କରାଯାଇଥିଲା । ତେବେ ୮ଟି ଟିମର ଫର୍ମାଟ ଜାରି ରହିଥିଲା । ବର୍ତ୍ତମାନର ଫର୍ମାଟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ୮ଟି ଟିମ୍ କ୍ବାଲିଫାଏ କରିଥାନ୍ତି ।

ଦିନିକିଆ ବିଶ୍ବକପର ପଏଣ୍ଟସ ଟେବୁଲର ପ୍ରଥମ ୮ଟି ସ୍ଥାନରେ ରହିଥିବା ଦଳଗୁଡ଼ିକ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ କ୍ବାଲିଫାଏ କରିଥାନ୍ତି ।

– ୧୯୯୮ରେ ଦକ୍ଷିଣ ଆଫ୍ରିକା ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ।

– ୨୦୦୦ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଥିଲା ।

-୨୦୦୨ରେ ଭାରତ ପ୍ରଥମ ଥର ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଭାରତ ଓ ଶ୍ରୀଲଙ୍କାକୁ ଉପବିଜେତା ଘୋଷଣା କରାଯାଇଥିଲା  ।

-ଏହାପରେ ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଭାରତ ଇଂଲଣ୍ଡକୁ ହରାଇ ଦ୍ବିତୀୟ ଥର ଚାମ୍ପିୟନ ହୋଇଥିଲା ।

– ୨୦୦୪ରେ ଇଂଲଣ୍ଡକୁ ହରାଇ ଓ୍ବେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା ।

– ୨୦୦୬ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ।

– ୨୦୦୯ରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ କ୍ରମାଗତ ଦ୍ବିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା ।

–  ୨୦୧୭ରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

ଚଳିତ ଚାମ୍ପିୟନ୍ସ ଟ୍ରଫିରେ ସମସ୍ତ ଟିମଙ୍କୁ ଦୁଇଟି ଗ୍ରୁପ କରାଯାଇଛି । ଗ୍ରୁପ ଏ-ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଛନ୍ତି । ଗ୍ରୁପ-ବି-ରେ ଇଂଲଣ୍ଡ, ଦକ୍ଷିଣଆଫ୍ରିକା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ରହିଛନ୍ତି । ଭାରତର ଏଥର ରୋହିତ ଶର୍ମାଙ୍କ କ୍ୟାପ୍ଟେନଶିପରେ ଚାମ୍ପିୟନଟ୍ରଫି ଖେଳିବ ।