ବିହାର ନିର୍ବାଚନରେ କ’ଣ ହେବ ମୁସଲିମ ଭୋଟର ମତିଗତି ?

ନନ୍ଦିଘୋଷ ବ୍ୟୁରୋ: ଚଳିତ ବିହାର ନିର୍ବାଚନରେ କଣ ହେବ ମୁସଲିମ ଭୋଟର ମତିଗତି । ବିହାରରେ ମୁସଲିମ-ଯାଦବ ଭୋଟ ବ୍ୟାଙ୍କ ଥିଲା ଆରଜେଡିର ସମ୍ବଳ। ଏହାକୁ ଲକ୍ଷ୍ୟ କରି ତେଜସ୍ବୀ ଯାଦବ ଏହି ଦୁଇ ବର୍ଗର ଭୋଟ ଲାଗି ବିଶେଷ ଆଶାବାଦୀ ଅଛନ୍ତି । ହେଲେ ମହାଗଠବନ୍ଧନର ସ୍ବପ୍ନକୁ ଚୁରମାର କରିପାରନ୍ତି ଓବେସିଙ୍କ ଏଆଇଏମଆଇଏମ । ଚଳିତ ନିର୍ବାଚନରେ ଅସଦୁଦ୍ଦିନ ଓବେସିଙ୍କ ଏଆଇଏମଆଇଏମ ନେତୃତ୍ବାଧୀନ ଗ୍ରାଣ୍ଡ ଡେମୋକ୍ରାଟିକ ଆଲାଏନ୍ସ ୬୪ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରିଥିବାବେଳେ ପ୍ରଶାନ୍ତ କିଶୋରଙ୍କ ଜନସୂରାଜ ପାର୍ଟି ୪୦ ମୁସଲିମ ପ୍ରାର୍ଥୀ ଦେଇଛି ।

ଚଳିତ ନିର୍ବାଚନରେ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି, ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଏଜେପି ସହ ମିଶି AIMIM ଗ୍ରାଣ୍ଡ ଡେମୋକ୍ରାଟିକ ଆଲାଏନ୍ସ ଗଠନ କରିଛି ଯାହା କି ମହାଗଠବନ୍ଧନ ଲାଗି ସଙ୍କଟ ସୃଷ୍ଟି କରିବ। ବିହାରରେ ମୁସଲିମଙ୍କ ସଂଖ୍ୟା ପ୍ରାୟ ୨ କୋଟି ୩୦ ଲକ୍ଷ। ଅର୍ଥାତ ମୋଟ ଜନସଂଖ୍ୟାର ୧୭.୭ ପ୍ରତିଶତ । ରାଜ୍ୟର ମୋଟ ୨୪୩ ଆସନରୁ ପ୍ରାୟ ୭୦ ଆସନରେ ମୁସଲମାନଙ୍କ ପ୍ରାଧାନ୍ୟ ରହିଛି ।

କଟିହାରରେ ୪୩%, କିଷନଗଞ୍ଜରେ ୬୮%, ଆରାରିଆରେ ୪୨%, ପୂର୍ଣ୍ଣିଆରେ ୩୮% ମୁସଲିମ ରହିଛନ୍ତି । ଗତ ୨୦୨୦ ନିର୍ବାଚନରେ ମହାଗଠବନ୍ଧନ ଲାଗି ବିପଦ ସୃଷ୍ଟି କରିଥିଲା AIMIM । ୨୦୨୦ରେ AIMIM ୫ଟି ଆସନ ଜିତିଥିଲା ହେଲେ ସେମାନଙ୍କ ମଧ୍ଯରୁ ୪ ଜଣ ଆରଜେଡିକୁ ଚାଲିଯାଇଥିଲେ । AIMIM ଭଲ ପ୍ରଦର୍ଶନ କରି ନଥିଲେ ବି ଏହା ଯେ ମହାଗଠବନ୍ଧନ ଲାଗି ଘାଟା ସୃଷ୍ଟି କରିଥିଲା ଏହା ସ୍ପଷ୍ଟ । ଚଳିତ ନିର୍ବାଚନରେ ବି ବିପଦ ସୃଷ୍ଟି କରିପାରେ AIMIM ।