୩ ମେୟର ପଦ ବିଜେଡି କବଜାରେ: କେଉଁଠି କିଏ ଜିତିଲେ ଅଧ୍ୟକ୍ଷ ପଦ ?

ଭୁବନେଶ୍ବର: ପୌର ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ୩ଟି ଯାକ ମହାନଗର ନିଗମ ଦଖଲ କରିଛି ବିଜେଡି । ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟ ହୋଇ ପ୍ରଥମ ମହିଳା ମେୟର ହୋଇଛନ୍ତି । କଟକରେ ସୁବାସ ସିଂ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜେଡି ମେୟର ଭାବେ ବିଜୟୀ ହୋଇଛନ୍ତି ।

ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦରେ ବିଜେଡିକୁ ମିଳିଛି ବଡ ସଫଳତା । ୭୩ ଅଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ ଓ ସ୍ବାଧୀନ ୯ଟି ପଦରେ ବାଜିମାତ କରିଛନ୍ତି ।

ଅନୁଗୁଳରେ ସମସ୍ତ ୩ ପୌର ପରିଷଦରେ ଅଧ୍ୟକ୍ଷ ପଦ ହାସଲ କରିଛି ବିଜେଡି । ବାଲେଶ୍ବରର ୫ ପରିଷଦରୁ ବିଜେଡି ୪ ଓ ବିଜେପି ଗୋଟିଏ ଅଧ୍ୟକ୍ଷ ପଦ ହାତେଇଛି । ବରଗଡ଼ର ୪ଟି ପରିଷଦରୁ ବିଜେଡି ୩ ଓ ସ୍ବାଧୀନ ଗୋଟିଏ ପଦ ହାସଲ କରିଛନ୍ତି । ଭଦ୍ରକର ୩ ଆସନରୁ ବିଜେଡି ୨ ଓ ସ୍ବାଧୀନ ଗୋଟିଏ ପଦବୀ ପାଇଛନ୍ତି । ବଲାଙ୍ଗୀରର ୫ ଆସନରୁ ବିଜେଡି ୩, ବିଜେପି ଗୋଟିଏ ଓ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି ।

ବୌଦ୍ଧର ଏକମାତ୍ର ଆସନ ଯାଇଛି ବିଜେଡି ହାତକୁ । କଟକର ୩ଟି ଆସନରୁ ୩ଟି ଯାକ ଆସନରେ ବିଜେଡିର ବିଜୟ ହୋଇଛି । ଦେବଗଡ଼ର ଏକମାତ୍ର ଆସନରେ ବିଜେଡି ବିଜୟୀ ହୋଇଛି । ଢେଙ୍କାନାଳର ୩ ଆସନରୁ ବିଜେଡି ୨ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଗଜପତିର ୨ଟି ଯାକ ଆସନ ବିଜେଡି ଲାଭ କରିଛି । ଗଞ୍ଜାମର ୧୭ଆସନରୁ ବିଜେଡି ୧୨ଟି, ବିଜେପି ୨, କଂଗ୍ରେସ ୧ ଓ ସ୍ବାଧୀନ ୨ଟି ଆସନରେ ବିଜୟୀ ହୋଇଛନ୍ତି ।

ଜଗତସିଂହପୁରର ୨ଟି ଆସନରୁ ବିଜେଡି ଓ କଂଗ୍ରେସକୁ ଗୋଟିଏ ଲେଖାଁଏ ଆସନ ମିଳିଛି । ଯାଜପୁରର ୨ଟି ଆସନରୁ ୨ଟି ଯାକ ବିଜେଡି ହାତକୁ ଯାଇଛି । ଝାରସୁଗୁଡାର ୩ ଆସନରୁ ବିଜେଡି ୨ ଓ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି । କଳାହାଣ୍ଡିର ୪ଟି ଆସନରୁ ବିଜେଡି ୨ ଓ ବିଜେପି ୨ ଆସନ ପାଇଛନ୍ତି । କନ୍ଧମାଳର ୩ ଆସନରୁ ବିଜେଡିକୁ ୨ ଓ ବିଜେପିକୁ ଗୋଟିଏ ଆସନ ମିଳିଛି । କେନ୍ଦ୍ରାପଡ଼ାର ସମସ୍ତ ୨ଟି ଆସନ ବିଜେଡି ହାତକୁ ଯାଇଛି । କେନ୍ଦୁଝରର ୫ ଆସନରୁ ବିଜେଡି ୪ ଓ ବିଜେପି ଗୋଟିଏ ଆସନ ପାଇଛନ୍ତି । ଖୋର୍ଦ୍ଧାର ୪ଟି ଯାକ ଆସନରେ ବିଜେଡି ବିଜୟୀ ହୋଇଛି ।

କୋରାପୁଟର ୪ ଆସନରୁ ବିଜେଡିକୁ ୧, କଂଗ୍ରେସକୁ ୨ ଓ ସ୍ବାଧୀନଙ୍କୁ ଗୋଟିଏ ଆସନ ମିଳିଛି । ମାଲକାନଗିରିର ୨ ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ମୟୂରଭଞ୍ଜର ୪ ଆସନରୁ ବିଜେଡି ୩ ଓ ବିଜେପି ଗୋଟିଏ ପାଇଛନ୍ତି । ନବରଙ୍ଗପୁରର ୨ ଆସନରୁ ବିଜେଡିକୁ ଗୋଟିଏ ଓ ବିଜେପିକୁ ଗୋଟିଏ ଆସନ ମିଳିଛି । ନୟାଗଡ଼ର ୪ ଆସନରୁ ବିଜେଡି ୨ ଓ ସ୍ବାଧୀନ ୨ଟିରେ ବିଜୟୀ ହୋଇଛନ୍ତି । ନୂଆପଡାର ୩ ଆସନରୁ ବିଜେପି ୧, କଂଗ୍ରେସ ୧ ଓ ସ୍ବାଧୀନ ୧ ଆସନ ପାଇଛନ୍ତି । ପୁରୀର ୩ ଆସନରୁ ବିଜେଡି ୩ଟିରେ ବିଜୟୀ ହୋଇଛି । ରାୟଗଡ଼ାର ୩ ଆସନରୁ ବିଜେଡି ୨ ଓ ସ୍ବାଧୀନ ଗୋଟିଏ ପାଇଛନ୍ତି । ସମ୍ବଲପୁରର ୨ ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁରର ସମସ୍ତ ୩ ଆସନରେ ବିଜେଡି ବିଜୟୀ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ୩ ଆସନରୁ ବିଜେଡି ୨ ଓ ବିଜେପି ୧ ଆସନରେ ବିଜୟୀ ହୋଇଛି ।