spot_img

Latest Posts

କାହାକୁ ଜିତାଇବେ ବସ୍ତା ଭୋଟର?

ନନ୍ଦିଘୋଷ ବ୍ୟୁରୋ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ସରଗରମ ବସ୍ତା ନିର୍ବାଚନ ମଣ୍ଡଳୀ । ଏଠାରେ ଅଛନ୍ତି ୨ ଲକ୍ଷ ୪୨ ହଜାର ୯୯୨ ଜଣ ଭୋଟର । ଏଠାରେ ତ୍ରିମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଉଛି । ତେବେ ବିଜେଡିର ଗଡ ଭାବେ ପରିଚିତି ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିଲେ ମଧ୍ଯ ବିଜେପି ପକ୍ଷରୁ ଏପର୍ଯ୍ଯନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ   ବସ୍ତା ନିର୍ବାଚନ ମଣ୍ଡଳିରେ କିଏ ପିନ୍ଧିବ ସୁନା ମୁକୁଟ କଣ ରହିଛି ନିର୍ବାଚନି ହାୱ୍ବା ।

ସାଧାରଣ ନିର୍ବାଚନ ପାଇଁ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ସରଗରମ ବାଲେଶ୍ଵର ଜିଲ୍ଲାର ବସ୍ତା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ବାଲିଆପାଳ ବ୍ଲକର ୨୮ ଟି ପଞ୍ଚାୟତ ଓ ବସ୍ତା ବ୍ଲକର ୧୭ ଟି ପଞ୍ଚାୟତ ରହିଛି । ଅଣସଂରକ୍ଷିତ ତାଲିକାରେ ଥିବା ଏହି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ଅଛନ୍ତି ୨ ଲକ୍ଷ ୪୨ ହଜାର ୯୯୨ ଜଣ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୨୪ ହଜାର ୭୯୩ ଜଣ , ମହିଳା ଭୋଟର  ୧ ଲକ୍ଷ ୧୭ ହଜାର ୫୭୮ ଜଣ । ଅନ୍ୟାନ ଭୋଟର ମାତ୍ର ୮ ଜଣ । ଏହି ନିର୍ବାଚନ ମଣ୍ଡଳୀରେ ରହିଛି ବିଜେଡିର ଦବଦବା ।

ଏଠାରେ ତ୍ରିମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଉଛି । ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ସୁବାସିନୀ ଜେନା । କଂଗ୍ରେସ ପକ୍ଷରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ବିଜନ ନାୟକ। ତେବେ କିଏ ହେବ ବସ୍ତା ବିଧାୟକ ? କାହାକୁ ବାଛିବେ ଜନତା ? ତା ଉପରେ ସମସ୍ତଙ୍କ ନଜର। ତେବେ ଭୋଟରଙ୍କ ନିଷ୍ପତ୍ତି ବିକାଶ ହିଁ ସାଜିବ ପ୍ରମୁଖ ପ୍ରସଙ୍ଗ ।

୨୦୦୦ ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁ ମହାନ୍ତି ୬୧ ହଜାର ୩୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ଦେବୀ ପ୍ରସନ୍ନ ଚାନ୍ଦ ୪୩ ହଜାର ୭୬୮ଖଣ୍ଡ ,ବିଜେପିରୁ ଶ୍ଯାମ ପ୍ସାଦ ବେହେରା ୫ ହଜାର ୧୯୯ ଖଣ୍ଡ ଭୋଟ ପାଇଥିଲେ । ୨୦୦୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁନାଥ ମହାନ୍ତି ୬୧ ହଜାର ୩୧୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁନାଥ ମହାନ୍ତି ୭୪ ହଜାର ୪୭୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।

କଂଗ୍ରେସ ପ୍ରାର୍ଥୀ ଜୟ ନାରାୟଣ ମହାନ୍ତିଙ୍କୁ ମିଳିଥିଲା ୬୪ ହଜାର ୯୪୨ ଖଣ୍ଡ ,ବିଜେପି ପ୍ରାର୍ଥୀ ଅରବିନ୍ଦ ବେହେରାଙ୍କୁ ମାତ୍ର ୪ ହଜାର ୭୧୩ ଖଣ୍ଡ ଭୋଟ ମିଳିଥିଲା । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କ ମଧ୍ୟ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ ୭୬ ହଜାର ୭୩୭ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କୁ ମିଳିଥିଲା ୭୦ ହଜାର ୩୦୪ ଖଣ୍ଡ ଭୋଟ,ବିଜେପି ପ୍ରାର୍ଥୀ ଶାମ୍ୟାପ୍ରସାଦ ବେହେରା  ୧୧ ହଜାର ୧୬୫ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବସ୍ତା ନିର୍ବାଚନ ମଣ୍ତଳୀରେ ରାଜନୈତିକ ସମୀକରଣ ବଦଳି ଯାଇଥିଲା,  ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଆଉ ଦଳୀୟ ଟିକେଟ ମିଳି ନଥିଲା, ଫଳରେ ସେ ଶଙ୍ଖ ଛାଡ଼ି ପଦ୍ମ ଶିବିରରେ ସାମିଲ ହୋଇଥିଲେ ।

୨୦୧୯ ନିର୍ବାଚନରେ ବିଜେପିରୁ ରଘୁନାଥ ମହାନ୍ତି, ବିଜେଡ଼ିରୁ ପୁଣି ନିତ୍ୟାନନ୍ଦ ସାହୁ ଓ କଂଗ୍ରେସ ରୁ ପୂର୍ବତନ ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ ନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ ,ଏଥିରେ ମଧ୍ୟ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ କଂଗ୍ରେସ ପ୍ରାର୍ଥୀ ବିଜନ ନାୟକଙ୍କ ଠାରୁ ୧୧ ହଜାର ୮୬୪ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ  ୭୧ ହଜାର ୭୩୭ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ  ବିଜନ ନାୟକ ୫୯ ହଜାର ୮୭୩ ଖଣ୍ଡ ଭୋଟ,  ବିଜେପି ପ୍ରାର୍ଥୀ ରଘୁନାଥ ମହାନ୍ତି ୩୬ ହଜାର ୮୭୪ ଖଣ୍ଡ ଭୋଟ ପାଇଥିଲେ । ୨୦୨୪ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ପ୍ରସ୍ତୁତି।

 

 

Latest Posts

Don't Miss