spot_img

Latest Posts

ରେମୁଣାରେ ଉଷ୍ମ ରାଜନୈତିକ ପରିବେଶ

ନନ୍ଦିଘୋଷ ବ୍ୟୁରୋ: ଉଷ୍ମ ହେବାରେ ଲାଗିଛି ରେମୁଣାର ରାଜନୈତିକ ପରିବେଶ । ଗାଁଠାରୁ ସହର ସବୁଠି ରାଜନୀତିର ଚର୍ଚ୍ଚା। କିଏ କାହାକୁ ଦେବେ ଭୋଟ ? କେଉଁ ପ୍ରାର୍ଥୀ ଭୋଟରଙ୍କ ପ୍ରଥମ ପସନ୍ଦ ? ଆଉ କେଉଁ ପ୍ରସଙ୍ଗ ପାଲଟିବ ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଞ୍ଜ ? ଏନେଇ ଚାଲିଛି ଘୋମାଘୋଟ ଆଲୋଚନା । ଜୁନ୍ ୧ ତାରିଖରେ ଭୋଟ୍ ଥିବାରୁ ପ୍ରାର୍ଥୀମାନେ ବୁଲିବୁଲି ସମର୍ଥନ ଜୁଟାଉଛନ୍ତି । ଦେଖିବା ରେମୁଣା ନିର୍ବାଚନମଣ୍ଡଳୀର ସ୍ଥିତି।

ସଭା, ଶୋଭାଯାତ୍ରା। କିଏ ଦଳୀୟ ପତାକା ଧରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି, କିଏ ମିଶ୍ରଣ ପର୍ବ କରି ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ଏଭଳି ଦେଖିବାକୁ ମିଳୁଛି। ଏହି ନିର୍ବାଚନମଣ୍ଡଳୀରେ ପତ୍ରିପାଳ ପଞ୍ଚାୟତର ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ପୂର୍ବତନ ବିଧାୟକ ଗୋବିନ୍ଦ ଦାସଙ୍କୁ ବିଜେପି ଓ ସୁଦର୍ଶନ ଜେନାଙ୍କୁ କଂଗ୍ରେସ ଭରସା କରି ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ୁଛନ୍ତି ।

୨୦୦୯ରେ ରେମୁଣାରୁ ବିଜେଡି ପ୍ରାର୍ଥୀ ସୁଦର୍ଶନ ଜେନା ୫୫ ହଜାର ୮୪୭ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଗୋବିନ୍ଦ ଦାସ ୨୫ ହଜାର ୧୨୪ ଓ ବିଜେପି ପ୍ରାର୍ଥୀ ଗିରିଧାରୀ ଦାସ ପାଇଥିଲେ ୧୪ ହଜାର ୫୫୩ ଭୋଟ । ୨୦୧୪ରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ୭୦ ହଜାର ୯୭୩ ଭୋଟ ପାଇ ନିର୍ବାଚିତ ହୋଇଥିଲେ। । ବିଜେଡି ପ୍ରାର୍ଥୀ ସୁଦର୍ଶନ ଜେନାଙ୍କୁ ୫୭ ହଜାର ୧୪୪ ଓ କଂଗ୍ରେସ ପ୍ରାର୍ଥୀ ପ୍ରତ୍ୟୁଷ ଜେନାଙ୍କୁ ୧୩ ହଜାର ୭୧୬ ଭୋଟ  ମିଳିଥିଲା। ୨୦୧୯ରେ ପଲଟି ଯାଇଥିଲା ବାଜି।

ବିଜେଡି ପ୍ରାର୍ଥୀ ସୁଧାଂଶୁ ପରିଡ଼ା ୭୯ ହଜାର ୯୭ ଖଣ୍ଡ ଭୋଟ ପାଇ ବିଜେପି ହାତରୁ ରେମୁଣା ଆସନ ଛଡ଼ାଇ ନେଇଥିଲେ। ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସଙ୍କୁ ୭୪ ହଜାର ୯୭୯ ଓ କଂଗ୍ରେସ ପ୍ରାର୍ଥୀ ପ୍ରତାପ ସେଠୀଙ୍କୁ ୯ ହଜାର ୪୫୪ ଭୋଟ ମିଳିଥିଲା। ରେମୁଣାରେ ଅଛନ୍ତି ୨ ଲକ୍ଷ ୨୫ ହଜାର ୭୪୮ ଭୋଟର । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୪ ହଜାର ୬୯୯ ପୁରୁଷ,  ୧ ଲକ୍ଷ ୧୧ ହଜାର ୨୫ ଜଣ ମହିଳା ଓ ୨୪ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ବିଜେଡି ଏକମାତ୍ର ଦଳ ଭାବେ ତୃଣମୂଳ ସ୍ତରର ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ପାଇଁ ବିଦ୍ୟାସ୍ମିତା ଭୋଟରଙ୍କ ମନ ଜିଣୁଛନ୍ତି ।

 

 

Latest Posts

Don't Miss