କିଏ ପାଇବ ବାଲ୍ ଠାକରେଙ୍କ ଧନୁ ଓ ତୀର ସଙ୍କେତ ?

ମୁମ୍ବାଇ: ମହାରାଷ୍ଟ୍ରର ପିଛା ଛାଡୁନି ବିବାଦ । ଶିବସେନା ଦୁଇ ଫାଳ ହେବା ପରେ ବି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହେବାର ନାଁ ନେଉନି । ଦଳ ଭାଗ ହୋଇ ସରକାର ବଦଳିବା ପରେ ଶିବସେନାର ଦଳୀୟ ସଙ୍କେତ ଧନୁ ଓ ତୀରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ନେଇଛି ।

ଧନୁ ଓ ତୀର ସଙ୍କେତକୁ ନିଜର ବୋଲି ଏକନାଥ ସିନ୍ଦେ ଗୋଷ୍ଠୀ ଦାବି କରୁଥିବା ବେଳେ ଏନେଇ ଆଜି ଉତ୍ତର ରଖିବେ ଉଦ୍ଧବ ଠାକରେ ଗୋଷ୍ଠୀ । ଗତକାଲି ଭାରତର ନିର୍ବାଚନ କମିଶନ ଧନୁ ଓ ତୀର ବିବାଦର ଶୁଣାଣି କରି ଆଜି ଉତ୍ତର ରଖିବାକୁ ଠାକରେ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ନଭେମ୍ବର ୩ରେ ଅନ୍ଧେରୀ ଓ୍ବେଷ୍ଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଧନୁ ଓ ତୀର ସଙ୍କେତ କାହାକୁ ମିଳିବ ସେ ନେଇ ଉତ୍କଣ୍ଠା ଜାରି ରହିଛି । ଉପନିର୍ବାଚନ ସକାଶେ ଧନୁ ଓ ତୀର ସଙ୍କେତ ପାଇବାକୁ ହକଦାର ବୋଲି ଗତ ୪ ତାରିଖରେ ନିର୍ବାଚନ କମିଶନ ନିକଟରେ ଦାବି କରିଥିଲେ ସିନ୍ଦେ ଗୋଷ୍ଠୀ । ଆଜି ଏ ସମ୍ପର୍କରେ ସମସ୍ତ ତଥ୍ୟ ଉଦ୍ଧବ ଠାକରେ ଗୋଷ୍ଠୀ ଦାଖଲ କରିବା ପରେ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ ।

ଅକ୍ଟୋବର ୪ ତାରିଖରେ ସିନ୍ଦେ ଗୋଷ୍ଠୀ ଲେଖିଥିବା ପତ୍ରରେ ଦର୍ଶାଇଥିଲେ, ଠାକରେ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ଧନୁ ଓ ତୀର ସଙ୍କେତ ପାଇବାକୁ ହକଦାର ନୁହେଁ ଏବଂ ଶିବସେନା ନାମରେ ବେଆଇନ ଭାବେ ପ୍ରାର୍ଥୀଙ୍କୁ ଠିଆ କରାଇବା ଲାଗି ଉଦ୍ୟମ କରୁଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ଧନୁ ଓ ତୀର ବିବାଦ ପ୍ରସଙ୍ଗରେ କରାଯାଇଥିବା ଆବେଦନକୁ ଗତ ସେପ୍ଟେମ୍ବର ୨୭ରେ ସୁପ୍ରିମକୋର୍ଟ ଶୁଣାଣି ଲାଗି ଗ୍ରହଣ କରିଥିଲେ । ପରେ ଅକ୍ଟୋବର ୭ରେ ଉତ୍ତର ରଖିବାକୁ ଦୁଇ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ସିନ୍ଦେ ଗୋଷ୍ଠୀ ୩ଟି ଆବେଦନ ଦାଖଲ କରିଛି ।