ଭାରତ- ପାକିସ୍ତାନ ଭିତରେ ଆରମ୍ଭ ହୋଇଗଲା କି ଯୁଦ୍ଧ ? କିଏ କରିବ ଆନୁଷ୍ଠାନିକ ଘୋଷଣା ?
1 min read
ନନ୍ଦିଘୋଷ ବ୍ୟୁରୋ : ଏପ୍ରିଲରେ ପହଲଗାଓଁ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ହୋଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି ସାମରିକ ସଂଘର୍ଷ । ଭାରତ ଏୟାର ଷ୍ଟ୍ରାଇକ କରି ପାକିସ୍ତାନର ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି । ଏହାରି ମଧ୍ୟରେ ପାକିସ୍ତାନ ଭାରତର ଅନେକ ବଡ଼ ସହର ଉପରେ ଆକ୍ରମଣର ବିଫଳ ପ୍ରୟାସ ମଧ୍ୟ କରିଛି । ତେବେ କ’ଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲାଣି ? ଯୁଦ୍ଧ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହେବ କି, ନା କେବଳ ସଂକେତ ଯଥେଷ୍ଟ ?
ଯୁଦ୍ଧର ପର୍ଯ୍ୟାୟ ଏବଂ ପରିସ୍ଥିତି
-ଯଦିଓ ଯୁଦ୍ଧ ହଠାତ୍ ଆରମ୍ଭ ହେବା ପରି ମନେ ହୁଏ, ଏହା ଯେକୌଣସି ରୋଗ ପରି ଧୀରେ ଧୀରେ ବ୍ୟାପିଥାଏ । ଯେପରି ଏହା କୌଣସି କାରଣରୁ ରାଜନୈତିକ ଭାଷଣବାଜିରୁ ଆରମ୍ଭ ହୁଏ । ଉଦାହରଣ ସ୍ୱରୂପ , ପହଲଗାଓଁ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଉଛି । ଭାରତ ବିଭିନ୍ନ କୂଟନୈତିକ ପଦକ୍ଷେପ ନେଇ ଇସଲାମାବାଦ ସହି କିଛି ଚୁକ୍ତି ଭାଙ୍ଗିଲା ପରେ ଉଭୟ ଦେଶ ପରସ୍ପର ଉପରେ ଅନେକ କଟକଣା ଲଗାଇବା ଆରମ୍ଭ କଲେ । ଅନ୍ୟ ପଟେ ସୀମାରେ ସୈନ୍ୟ ମୁତୟନ କରାଗଲା । ଏହାରି ମଧ୍ୟରେ ଭାରତ ବାଛି ବାଛି ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାରେ ଆକ୍ରମଣ କରିଥିଲା । ଏହାକୁ ମିଲିଟାରୀ ଅପରେସ ବା ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଏ ।
– ଯୁଦ୍ଧ କେବଳ ଦେଶର ସୀମା ମଧ୍ୟରେ ସୀମିତ ନୁହେଁ ବରଂ ଦେଶର ଯେକୌଣସି ସ୍ଥାନରେ ହୋଇପାରେ, ଶତ୍ରୁ ଯେକୌଣସି ସ୍ଥାନରୁ ଆତର୍କିତ ଆକ୍ରମଣ କରିପାରେ । ତେବେ ଏହାର ଶେଷ ପର୍ଯ୍ୟାୟ ହେଉଛି ପରମାଣୁ ଯୁଦ୍ଧ । ଯଦିଓ ପରମାଣୁ ଯୁଦ୍ଧର ସମ୍ଭାବନା କମ୍ କାରଣ ବଡ଼ ଶକ୍ତିମାନେ ଦୁଇ ଦେଶ ମଧ୍ୟରେ ସମାଧାନ କରିବା ପାଇଁ ଆଗକୁ ଆସୁଛନ୍ତି । ତଥାପି ପାକିସ୍ତାନ ଯେଭଳି ଆତଙ୍କବାଦୀଙ୍କ ଇଶାରାରେ ଚାଲୁଛି, ତେଣୁ ଏହି ଭୟ ଲାଗି ରହିବା ସ୍ୱାଭାବିକ ।
ଯୁଦ୍ଧ ଆରମ୍ଭ ବୋଲି ସାଧାରଣ ନାଗରିକ କେମିତି ଜାଣିବେ ?
ସମ୍ୱିଧାନ ଅନୁଯାୟୀ ଯୁଦ୍ଧ ଘୋଷଣାର କୌଣସି ସିଧାସଳଖ ପ୍ରକ୍ରିୟା ନାହିଁ । ଯଦିଓ କେଳବ ନ୍ୟାସନାଲ ଏମରଜେନ୍ସି ବା ଜାତୀୟ ଜରୁରୀକାଳୀନ ପରିସ୍ଥିତ ଘୋଷଣା ନେଇ ଉଲ୍ଲେଖ ଅଛି । ଯଦି ଯୁଦ୍ଧ ଘୋଷଣା କରିବା କଥା ଆସେ ତେବେ, ରାଷ୍ଟ୍ରପତିଙ୍କର ଯୁଦ୍ଧ ଘୋଷଣା କରିବାର ଅଧିକାର ଅଛି । ସମ୍ୱିଧାନ ଧାରା ୩୫୨ରେ ଉଲ୍ଲେଖ ଅଛି ଯେ, ଜାତୀୟ ଜରୁରୀକାଳୀନ ଘୋଷଣା ହେଲେ, ଏହା ଯୁଦ୍ଧ ଭଳି ପରିସ୍ଥିତର ମୁକାବିଲା ପାଇଁ ଘୋଷଣା ବୋଲି ବିବେଚନା କରାଯାଇଥାଏ ।
ଯୁଦ୍ଧ ନିଷ୍ପତ୍ତିରେ କିଏ କିଏ ସାମିଲ ?
-ରାଷ୍ଟ୍ରପତି ହେଉଛନ୍ତି ସେନାର ସର୍ବୋଚ୍ଚ କମାଣ୍ଡର, ଅର୍ଥାତ୍ ତାଙ୍କର ଏହି ଅଧିକାର ଅଛି । ହେଲେ ସେ ଏକା ଏହି ନିଷ୍ପତ୍ତି ନେଇପାରିବେ ନାହିଁ । ତାଙ୍କୁ ସରକାରଙ୍କ ଠାରୁ ପରାମର୍ଶ ନେବାକୁ ପଡିବ । ଯଦି ଯୁଦ୍ଧ କିମ୍ୱା ଶାନ୍ତିର ଆନୁଷ୍ଠାନିକ ଘୋଷଣା ହୁଏ , ତେବେ ଏହା ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟଙ୍କର ପରାମର୍ଶ ନିଆଯାଇଥାଏ ।
-ପ୍ରକୃତରେ ଯୁଦ୍ଧର ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ନିଆଯାଇଥାଏ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଅନ୍ତର୍ଭୁକ୍ତ ।
-ଏହା ଛଡା ଆବଶ୍ୟକତା ଅନୁସାରେ ସେନା ମୁଖ୍ୟ, ଗୁଇନ୍ଦା ସଂସ୍ଥା ଏବଂ କୁଟନୀତିଜ୍ଞଙ୍କର ମଧ୍ୟ ମତାମତ ନିଆଯାଇପାରିବ ।
-ସଂସଦରେ ପ୍ରତିରକ୍ଷା ବଜେଟକୁ ଅନୁମୋଦନ କରାଯାଏ ଏବଂ ସରକାରଙ୍କ ଠାରୁ ଉତ୍ତର ମଧ୍ୟ ମଗାଯାଏ ।