୧୧ ଟାରେ ଭୋଟ ଗଣତି । ସିହ୍ନା ନା ମୁର୍ମୁ, କିଏ ହେବେ ଆଗାମୀ ରାଷ୍ଟ୍ରପତି?

ନୂଆଦିଲ୍ଲୀ: ରାଇସିନା କାଉଣ୍ଟଡାଉନ୍ । କିଏ ହେବ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି । କାହାର ନୂଆ ଠିକଣା ହେବ ରାଇସିନା ହିଲସ । ଆଜି ଆସିବ ଫଳାଫଳ । ଦିନ ୧୧ଟାରୁ ଆରମ୍ଭ ହେବ ଗଣତି । ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ବୋଲି ଆକଳନ କରାଯାଉଛି । କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି ।

ବିଜେଡି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ପଠାଇବା ପାଇଁ ଜୋରଦାର ପ୍ରୟାସ କରିଛି । ନବୀନ ନିଜେ ଏଥିପାଇଁ ଦମ ଲଗାଇ ଦେଇଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ଓଡିଆ ଏମପି ଓ ସାଂସଦଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ତେବେ ୬୦ ପ୍ରତିଶତରୁ ଅଧିକ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ ବୋଲି ଆଶା କରାଯାଉଛି । ବିରୋଧୀଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନା ଦ୍ରୌପଦୀ ମୁର୍ମୁଙ୍କୁ କଡା ଟକ୍କର ନଦେଲେ ତାଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିବ ।

ପାଖାପାଖି ୪୦ ପ୍ରତିଶତ ଭୋଟ୍‌ ଯଶବନ୍ତ ସିହ୍ନାଙ୍କୁ ମିଳିପାରେ । ନିର୍ବାଚନ ପାଇଁ ମୋଟ୍‌ ବିଧାୟକ ଓ ସାଂସଦଙ୍କ ଭୋଟର ମୁଲ୍ୟ ରହିଛି ୧୦ ଲକ୍ଷ ୮୬ ହଜାର ୪୩୧ । ଅନ୍ୟ ନିର୍ବାଚନ ଭଳି ଏଥିରେ ମଧ୍ୟ ୫୦ ପ୍ରତିଶତ ଭୋଟ ମିଳିଲେ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ହେବେ । ଆସନ୍ତା ୨୫ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବ ।

କେମିତି ହେବ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ?

ପ୍ରଥମେ ବାଲଟ ପେପର ଗୁଡ଼ିକ ସଜାଯାଏ । ରିଟର୍ଣ୍ଣି ଅଫିସରଙ୍କ ଦ୍ବାରା ବାଲଟ ପେପରର ଯାଞ୍ଚ ହେବ । ଦ୍ରୌପଦୀ ମୁର୍ମୁ ଓ ଯଶଓ୍ବନ୍ତ ସିହ୍ନାଙ୍କ ଲାଗି ରହିବ ଦୁଇଟି ଟ୍ରେ । ପ୍ରଥମେ ବିଧାୟକ ଓ ପରେ ସାଂସଦ ମାନଙ୍କର ବାଲଟ ପେପର ସଜାଯିବ । ପ୍ରତି ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ ରହିଛି । ରାଜ୍ୟର ଜନସଂଖ୍ୟା ଅନୁସାରେ ରହିଛି ବିଧାୟକଙ୍କ ଭୋଟ ମୂଲ୍ୟ । ବାଲଟ ପେପର ସଜାଯିବା ପରେ ଗଣତି ଆରମ୍ଭ ହେବ । ପାର୍ଲାମେଣ୍ଟର ରୁମ ନଂ ୭୩ରେ ପ୍ରତିଷ୍ଠା ହୋଇଛି ମିଡିଆ ଷ୍ଟାଣ୍ଡ । ଗଣତି ଆରମ୍ଭ ହେବା ପରେ ମିଡିଆ ଷ୍ଟାଣ୍ଡରେ ପ୍ରକାଶ ପାଇବ ଫଳ । ରାଷ୍ଟ୍ରପତି ଲାଗି ଭୋଟ ଗଣତି ହେବ ଭିନ୍ନ ପ୍ରଣାଳୀରେ । ପ୍ରାର୍ଥୀ ଯେତିକି ଭୋଟ ପାଇଥିବେ ତାହାକୁ ୨ରେ ହରଣ କରାଯିବ। ଫଳାଫଳରେ ମିଶାଯିବ ୧ ।